ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନା ବିଫଳ

ଆର.ଉଦୟଗିରି: ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି । ବସୁଧl ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ହେଲେ ତାହା ବାସ୍ତବରେ କେତେ ଯେ କାର୍ଯ୍ୟକାରୀ ହେଉଛି ଗଜପତି ଜିଲ୍ଲା ଏହାର ଉଦାହରଣ।
କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାସ, ଜଳ ବହୁଳେ ସୃଷ୍ଟି ନାସ । ଜଳର ଗୁରୁତ୍ବ ବୁଝି ସରକାର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟଜଳ ଯୋଗାଇବାକୁ ବ୍ୟାପକ ପରିଯୋଜନା କରିଛନ୍ତି। ଗଜପତି ଆର,ଉଦୟଗିରି ବ୍ଳକ୍ ମହେନ୍ଦ୍ରଗଡ ପଞ୍ଚାୟତ ମଧ୍ୟ ଏହି ଯୋଜନା ଅନ୍ତର୍ଗତ ଆସୁଛି । ବସୁଧା ଯୋଜନାରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ପାଣି ଟାଙ୍କି । ୫୦ ହଜାର ଲିଟର ବିଶିଷ୍ଟ ଏହି ଟାଙ୍କିର ନିର୍ମାଣ କାର୍ଯ୍ୟ ୨୦୨୦ ମସିହାରେ ହୋଇଥିବାବେଳେ, ଅନେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ୍ ନିର୍ମାଣ ସହ ପ୍ରତ୍ୟେକ ଘରକୁ ପାଇପ୍ ସଂଯୋଗ ମଧ୍ୟ କରାଯାଇସାରିଛି । ହେଲେ, ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ୍ ପାଣି ବୁନ୍ଦେ ଦେଖିନାହାନ୍ତି ସ୍ଥାନୀୟ ବାସିନ୍ଦା। ନିମ୍ନମାନର କାମ ଯୋଗୁଁ ଟାଙ୍କିରେ ଫାଟ ସୃଷ୍ଟି ହୋଇ ସେଥିରୁ ପାଣି ଲିକ୍ କରୁଛି । ଅନେକ ସ୍ଥାନରେ ଘରକୁ ସଂଯୋଗ ହୋଇଥିବା ପାଇପ୍ ମଧ୍ୟ ଫାଟି ଆଁ କଲାଣି । ରାସ୍ତା ପାର୍ କରି ଘରକୁ ସଂଯୋଗ ହୋଇଥିବା ପାଇପ୍ ରାସ୍ତାରେ ପଡିଥିବାବେଳେ ଯାତାୟାତରେ ବାଧା ସୃଷ୍ଟି ହେଉଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପ୍ରଶାସନ ସେଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
ଦୀର୍ଘ ବର୍ଷ ଧରି ସ୍ଥାନୀୟ ଲୋକମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ଆଗକୁ ଖରାଦିନ ଆସୁଥିବାରୁ ପାଣି ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ, ଗ୍ରୀଷ୍ମ ଋତୁ ପୂର୍ବରୁ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଭାକର ମୁନି ।
ତେବେ କେବେ ସୁଧୁରିବ ଏହି ସମସ୍ୟା, ଆଉ କେବେ ମିଳୁଛି ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ତାକୁ ହିଁ ଅପେକ୍ଷା ।