ବିଧାନସଭାରେ ମନ୍ତ୍ରୀ ମରୁଡ଼ି

ଭୁବନେଶ୍ବର: ବିଧାନସଭାରେ ମନ୍ତ୍ରୀ ମରୁଡ଼ି। ପଦ୍ମପୁର ବାଇ-ଇଲେକ୍ସନ ବାଇ କଲାଣି। ସେଥିଲାଗି କା ମନ୍ତ୍ରୀରେ ବିଧାନସଭା ଚାଲିଥିବାରୁ ଏହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ। ଗଣତନ୍ତ୍ରର ପବିତ୍ର ମନ୍ଦିର ବିଧାନସଭାର ଗାରିମାକୁ ଏହା କ୍ଷୁର୍ଣ୍ଣ କରୁଛି କହି ଗର୍ଜିଛନ୍ତି। ସେପଟେ ଶାସକ ଦଳର କହିବା କଥା, ମନ୍ତ୍ରୀ ଅନୁପସ୍ଥିତ ଥିଲେ ବି ବାଚସ୍ପତିଙ୍କ ଅନୁମତି ନେଇ ଅନ୍ୟ ମନ୍ତ୍ରୀ ଉତ୍ତର ରଖୁଛନ୍ତି। ଏହା ବିଧିସମ୍ମତ ବି।
କେଉଁଟା ବେଶୀ ଗୁରୁତ୍ୱପୂର୍ଣ୍ଣ। ବିଧାନସଭା ନା ବାଇ-ଇଲେକ୍ସନ। ବିଧାନସଭାରେ ମନ୍ତ୍ରୀ ମରୁଡ଼ିକୁ ନେଇ ବର୍ଷିଛନ୍ତି ବିରୋଧୀ। କୁଆଡ଼େ ଗଲେ ମନ୍ତ୍ରୀ। ଅନୁପସ୍ଥିତ ମନ୍ତ୍ରୀଙ୍କ ପାଇଁ ଉତ୍ତର ରଖୁଥିବା ମନ୍ତ୍ରୀଙ୍କୁ ଅଧିକୃତ ଅନୁମତି ପତ୍ର ଦେଖାଅ ବୋଲି ପଚାରିଛି ବିଜେପି। ପଦ୍ମପୁର ପ୍ରଚାରରେ ଏମିତି ମାତିଯାଇଛି ଶାସକ ଦଳ ଯେ, ବିଧାନସଭାକୁ ବି ଗୌଣ କରିଦେଲା। ହାତଗଣତି କେଇ ଜଣ ମନ୍ତ୍ରୀଙ୍କୁ ଛାଡ଼ିଦେଲେ ସମସ୍ତେ ପଦ୍ମପୁରରେ ଡେରା ପକାଇଛନ୍ତି। କା ସାଜି ମନ୍ତ୍ରୀ ଅନ୍ୟ ବିଭାଗର ଉତ୍ତର ରଖୁଛନ୍ତି। ପ୍ରାୟ ୧୫ ମନ୍ତ୍ରୀ ଗୃହରେ ଅନୁପସ୍ଥିତିର କାରଣକୁ ନେଇ ସରକାରଙ୍କୁ ଜବାବ ମାଗିଛି ବିଜେପି। ସେଥିଲାଗି ତ ଚାଷୀ ସମସ୍ୟା ସମ୍ପର୍କିତ ମୁଲତବୀ ନୋଟିସ ବେଳେ ଏହାକୁ ପ୍ରତିବାଦ କରି ବିଜେପି ବାଚସ୍ପତିଙ୍କ ପୋଡିଅମ୍ ତଳେ ଧାରଣା ଦେଇଥିଲା। ମୁଖ୍ୟମନ୍ତ୍ରୀ ପରା ନିର୍ଦେଶ ଦେଇଥିଲେ, ବିଧାନସଭାରେ ସମସ୍ତେ ଯୋଗ ଦିଅନ୍ତୁ। ତାହେଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ଫୁ କାହିଁକି। ଗୃହର ନେତା ତ ନିଜେ ହିଁ ଆସୁନାହାନ୍ତି ଗୃହକୁ। କେମିତି ଚାଲିବ ତା ହେଲେ ବିଧାନସଭା ବୋଲି ପଚାରିଛି ବି କଂଗ୍ରେସ। ଆଜିର ଦିନକୁ କଳା ଦିବସ ବୋଲି କହିଛି କଂଗ୍ରେସ।
କାରଣ ଆଜି ପ୍ରଶ୍ନୋତ୍ତର କାଳରେ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଲାଗି କା ମନ୍ତ୍ରୀ ସାଜିଥିଲେ ଅଶୋକ ପଣ୍ଡା। ମୁଲତବୀ ଆଲୋଚନା ବେଳେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଜାଗାରେ କା ମନ୍ତ୍ରୀ ସାଜି ଉତ୍ତର ଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ। ଏପରିକି କିଛି ଶାସକ ଦଳର ପ୍ରଶ୍ନକର୍ତ୍ତା ବିଧାୟକଙ୍କ ବଦଳରେ ଅନ୍ୟ ବିଧାୟକ କା ସାଜିଥିଲେ। ତେବେ ଏଥିରେ କୌଣସି ଅସଙ୍ଗତି ନାହିଁ କି ଏହା ବିଧି ବିରୋଧୀ ନୁହେଁ ବୋଲି କହିଛି ଶାସକ ଦଳ। ଏହା ଏକ ସାମୂହିକ ଦାୟିତ୍ୱବୋଧ। ଅନୁପସ୍ଥିତ ମନ୍ତ୍ରୀଙ୍କ ବଦଳରେ ବାଚସ୍ପତିଙ୍କ ଅନୁମତିରେ ହିଁ ଅନ୍ୟ ମନ୍ତ୍ରୀ ଉତ୍ତର ରଖିପାରିବେ।
ବାଇ-ଇଲେକ୍ସନ ବାଇ କଲାଣି। ସେଥିଲାଗି ତ ଅଧିକାଂଶ ମନ୍ତ୍ରୀ ପଦ୍ମପୁରରେ ଡେରା ପକାଇଛନ୍ତି ବୋଲି ବିରୋଧୀ ଆକ୍ଷେପ ଲଦିଛନ୍ତି। ବିଧାନସଭାର ମର୍ଯ୍ୟାଦା ଯେମିତି ହାନୀ ହେଉଛି।
ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ