ଓଡ଼ିଶାରାଜନୀତି

ମନ୍ତ୍ରୀ ମରୁଡିକୁ ସମ୍ଭାଳି ନେଲା ଅଭିଜ୍ଞତା

ଭୁବନେଶ୍ୱର : ୨୯ ଦିନ ଆଗରୁ ସରିଗଲା ବିଧାନସଭା। କାର୍ଯ୍ୟଦିବସ ଥିଲା ୩୩ଟି। କିନ୍ତୁ ମାତ୍ର ୮ଟି କାର୍ଯ୍ୟଦିବସରେ ସୀମିତ ରହିଗଲା ଅଧିବେଶନ। କା ମନ୍ତ୍ରୀରେ ମୂଳରୁ ଚାଲିଥିଲା ଗୃହ କାର୍ଯ୍ୟ। ତେବେ ଏସବୁ ଭିତରେ ଅଭିଜ୍ଞ ସାଙ୍ଗକୁ ଏକାଗ୍ରତା ଓ ସର୍ବୋପରି ଟ୍ରେଜେରୀ ବେଞ୍ଚରୁ କ୍ରାଇସିସ୍‌ ମ୍ୟାନେଜର ଭାବେ ଭାଗିଦାରୀ ଯାହାର ଅଧିକ ଥିଲା, ସେ ଥିଲେ ପ୍ରମିଳା ମଲ୍ଲିକ।

ପ୍ରମିଳା ଜଣେ ସିନିଅର୍ ଓ ସିନ୍‌ସିଅର ହେବା ସାଙ୍ଗକୁ ସର୍ବୋପରି ଶୀତ ଅଧିବେଶନରେ ମନ୍ତ୍ରୀ ଓ ବିଧାୟକ ମରୁଡ଼ି ବେଳେ କେତେବେଳେ ବିରୋଧୀଙ୍କୁ ବିଶ୍ୱାସକୁ ନେଇ ତ ପୁଣି କେତେବେଳେ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେଇ ସମ୍ଭାଳି ନେଇଥିଲେ ଗୃହ। ପ୍ରମିଳା ମଲ୍ଲିକ ନବୀନଙ୍କ କ୍ୟାବିନେଟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିଲେ ବି ପଦ୍ମପୁର ପାଇଁ ବିଧାନସଭାରେ ମନ୍ତ୍ରୀ ମରୁଡ଼ି ପଡ଼ିଥିଲା ବେଳେ ଶାସକ ଦଳର ମଙ୍ଗ ଧରିଥିଲେ ଯେମିତି। କନିଷ୍ଠ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ ଉତ୍ତର ଦେଉଥିଲା ବେଳେ ତାଙ୍କ ପାଖେ ପାଖେ ବସି ଗାଇଡ୍ କରୁଥିଲେ ତ ନୂଆ କରି ମୁଖ୍ୟ ସଚେତକ ପଦ ସମ୍ଭାଳିଥିବା ପ୍ରଶାନ୍ତ ମୁଦୁଲିଙ୍କୁ ବି ପ୍ରଶିକ୍ଷଣ ଦେଉଥିଲେ ଯେମିତି। ଗୃହ ମଧ୍ୟଭାଗକୁ ଆସି ବିରୋଧୀ ହଟ୍ଟଗାଳ, ନାରାବାଜି ଓ ଧାରଣା ଦେଉଥିଲା ବେଳେ ସେମାନଙ୍କୁ ବୁଝାଇବାକୁ ପ୍ରଶାନ୍ତଙ୍କ ସହ ଧାଇଁ ଆସୁଥିଲେ ପ୍ରମିଳା। ସେହିଭଳି ବିଜେପି ସଭ୍ୟ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇ ଗୃହକୁ ବଏକଟ୍ କରିବା ବେଳେ ବି ସେମାନଙ୍କୁ ବାଚସ୍ପତିଙ୍କ ନିର୍ଦେଶ କ୍ରମେ ବୁଝାସୁଝା କରିବାକୁ ଚାଲିଯାଉଥିଲେ ପ୍ରମିଳା। ଆଉ ଯେତେବେଳେ ବିରୋଧୀ ନିଜ ଜିଦରେ ଅଟଳ ରହି ଗୃହ ଚଳାଇବାରେ ଅସହଯୋଗ କରୁଥିଲେ, ସେତେବେଳେ ସେମାନଙ୍କ ଭୂମିକାକୁ ନେଇ ବି କଡ଼ା ଭାଷାରେ କଟାକ୍ଷ କରିବାକୁ ପଛାଉନଥିଲେ ପ୍ରମିଳା।

କେବଳ ଏତିକି ନୁହେଁ, ପ୍ରଶ୍ନୋତ୍ତର କାଳ, ଶୂନ୍ୟ କାଳରୁ ନେଇ ମୁଲତବୀ, ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନା ବେଳେ। ସବୁବେଳେ ଉପସ୍ଥିତ ରହୁଥିଲେ ପ୍ରମିଳା। ଏମିତିରେ ବେଶ୍ ରୋକଠୋକ୍ କହୁଥିବା ପ୍ରମିଳା ବେଶ୍ ଅଭିଜ୍ଞ। ରାଜନୀତିରେ ବି। ବିଧାନସଭାରେ ବି। ସେଥିଲାଗି ତ ରାଜ୍ୟରେ ନୂଆ ଜିଲ୍ଲା ଘୋଷଣା କରିବାକୁ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ନାହିଁ କହି ବିଧାୟକ ରାଜକିଶୋର ଦାସଙ୍କ ପ୍ରଶ୍ନର ଉତ୍ତରକୁ ନେଇ ତାଙ୍କୁ ଅକଳରେ ପକାଇଥିଲେ ବିରୋଧୀ। କିନ୍ତୁ ଚତୁର ପ୍ରମିଳା ପଦ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ତାଳ ଦେଇ ଏହି ବିବାଦକୁ ପ୍ରଶମିତ କରିବାକୁ ପରିସ୍ଥିତି ସମ୍ଭାଳି ନେଇଥିଲେ।

ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ ହିସାବରେ ଆଗରୁ ଦାୟିତ୍ୱ ନିର୍ବାହ କରିସାରିଥିବାରୁ ଏଥର ବିଧାନସଭାରେ ସେ ସବୁର ଅଭିଜ୍ଞତାକୁ କେବଳ ଦଳ ଓ ସରକାରଙ୍କୁ ବିରୋଧୀଙ୍କ ଆକ୍ରମଣରୁ ରକ୍ଷା କରିବାକୁ ଲଗାଇଲେନି। ତା ସହ ବରିଷ୍ଠ ହିସାବରେ କନିଷ୍ଠଙ୍କୁ ବି ଏଭଳି ପରିସ୍ଥିତିରେ କେମିତି ମୁକାବିଲା କରାଯିବ, ତାକୁ ବି ଶିଖାଇଲେ। ଯଦିଓ ତାଙ୍କ ବିଭାଗରେ ଥିବା ଅନେକ ଅବହେଳା ଓ ତୃଟିକୁ ଆଉ କେହି ନୁହେଁ, ଖୋଦ୍‌ ଶାସକ ଦଳ ହିଁ ବେଶୀ ଅଙ୍ଗୁଳି ଉଠାଇଛି।

ପ୍ରମିଳା ନିଜର ଅଭିଜ୍ଞତା ବଳରେ ପରିସ୍ଥିତି ସମ୍ଭାଳିନେଲେ ସତ। କିନ୍ତୁ ଗୃହର ଗାରିମା, ମର୍ଯ୍ୟାଦା କେମିତି ପ୍ରତି ମୂହୂର୍ତ୍ତରେ କ୍ଷୁର୍ଣ୍ଣ ହେଉଥିଲା, ତାକୁ ବି ଦେଖୁଥିଲେ ସାଧାରଣ ଜନତା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button