ମହିଳା ସଶକ୍ତିକରଣ ନାଁରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ଦ୍ୱାରା ମହିଳା ଶୋଷଣ, ମହିଳାଙ୍କୁ ସମ୍ମାନ ଦେବାରେ ରାଜ୍ୟ ସରକାରଙ୍କ ଆତ୍ମପ୍ରଚାର ଅଧିକ : ସ୍ମୃତି ପଟ୍ଟନାୟକ

Spread the love

ଭୁବନେଶ୍ୱର : ମହିଳା ସଶକ୍ତୀକରଣ ନାଁରେ ବିଜେଡି ସରକାରଙ୍କ ମହିଳାଙ୍କୁ ଶୋଷଣ କରୁଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳର ମହିଳାମାନେ ଅସୁରକ୍ଷିତ, ତାଙ୍କ ଅଭିଯୋଗ ଶୁଣିବାକୁ କେହି ନାହାନ୍ତି । ନା ଥାନା, ନା ମୁଖିଆ (ମୁଖ୍ୟମନ୍ତ୍ରୀ) ବରଂ ଧମକ ଚମକ, ପ୍ରଲୋଭନ ଦ୍ୱାରା ମାମଲାକୁ ଚପେଇ ଦିଆଯାଉଛି । ବାଧ୍ୟ୍ୟବାଧକତା ତଦନ୍ତ ହେଲେ କ୍ଷମତାର ଅପବ୍ୟବହାର କରି ତଦନ୍ତକୁ ବାଟବଣା କରି ଦିଆଯାଉଛି । ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜି ନିଜ ଦଳର ନେତା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ମହିଳାଙ୍କ ପ୍ରତି ଅନ୍ୟାୟ କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ବିଗତ ଘଟଣା ଉପରେ ଦୃଷ୍ଟିଦେଲେ ସ୍ପଷ୍ଟ ଜଣାପଡୁଛି ବିଜେଡି ମହିଳାଙ୍କୁ କିଭଳି ସୁରକ୍ଷା ଦେଉଛି । ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗିରର ରାଜପରିବାରର ଅନଙ୍ଗ ଉଦୟ ସିଂହଦେଓ, ତାଙ୍କ ପତ୍ନୀ, ବଡପୁଅ ତଥା ପୂର୍ବତନ ସାଂସଦ କଳିକେଶ ସିଂହଦେଓ, ବଡ ବୋହୂ ଓ ସାନପୁଅ ଅର୍କେଶ ସଂହଦେଓଙ୍କ ନାଁରେ ଯୌତୁକ ନିର୍ଯ୍ୟାତନା ଦେଲେ ସାନବୋହୂ । ଅନ୍ୟ ଜଣେ ହେଲେ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ନାଁରେ ଯୌତୁକ ଅଭିଯୋଗ କରିଛନ୍ତି ପୁତ୍ରବଧୂ । ଏହି ଦୁଇ ମହିଳାଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବାରେ ସମର୍ଥ ହେବେ କି ବୋଲି ପ୍ରଶ୍ନ କରିଛନ୍ତି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ।

ଗତକାଲି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ୨.୫କୋଟି ମା ଓ ଭଉଣୀଙ୍କ ଆଖିର ଲୁହ ଓ ଆକ୍ରୋଶରେ ଧ୍ୱଂସ ପାଇବ ଏହି ଅନ୍ୟାୟୀ ବ୍ୟଭିଚାର ବିଜେଡି ସରକାର । ରାଜ୍ୟ ସରକାରଙ୍କ ଖାମଖିଆଲ ନୀତି ଓ ଗୃହବିଭାଗର ପରିଚାଳନାର ଅଯୋଗ୍ୟତା ପାଇଁ ଓଡ଼ିଶାରେ ପ୍ରତ୍ୟେକ ଅଢ଼େଇ ଘଂଟାରେ ଜଣେ ମହିଳା ଦୁଷ୍କର୍ମରେ ଶିକାର ହେଉଛନ୍ତି । ମହିଳାଙ୍କୁ ନିର୍ଯ୍ୟାଚନା କ୍ଷେତ୍ରରେ ଓଡ଼ିଶା ୧ନଂରେ ପଂହଚିଛି । ଓଡ଼ିଶାରେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାରେ ନବୀନ ବାବୁ ବିଫଳ । ବିଜେଡିର ବିଧାୟକମାନେ ନବୀନ ବାବୁଙ୍କ ପାଇଁ ଦୁଷ୍କର୍ମ, ନିର୍ଯ୍ୟାତନା ଦେବାରେ ସିଦ୍ଧହସ୍ତ ହାସଲ କରିଛନ୍ତି ।

 ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ସେକ୍ସ ରାକେଟ ଓ ବିଭିନ୍ନ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ନେଇ ବାନ୍ଧବୀ ସୋନାଲୀ ଦାସ ମଧ୍ୟ ଅଭିଯୋଗ କରିଥିଲେ । ଏ ଘଟଣା ସମ୍ପର୍କରେ ପୋଲିସ ପ୍ରଶାସନ ଜାଣି ବି କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ଓଡ଼ିଶାରେ ମହିଳା ଦୁଷ୍କର୍ମ କିମ୍ବା ନିର୍ଯ୍ୟାତନାରେ ଶିକାର ହେଲେ ପୋଲିସ ଓ ରାଜ୍ୟ ସରକାର କାହିଁକି ନିଷ୍କ୍ରିୟତା ଦେଖାନ୍ତି ତାହା ଓଡ଼ିଶାର ଅଢ଼େଇ କୋଟି ମହିଳାଙ୍କ ମନରେ ପ୍ରଶ୍ନ ଉଠିଛି । ଶ୍ରୀ ମିଶ୍ରଙ୍କ ଏଭଳି ଶାହସିକତା ପାଇଁ ତାଙ୍କୁ ନୂଆ କରି ବିଜୁ ରତ୍ନ ପୁରଷ୍କୃତ କରାଯାଉ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ଓଡ଼ିଶାରେ ମୂରବିହୀନ, ଦିଶାହିନ ଏବଂ ଆଇନ ବିହିନ କୁଶାସନ ଚାଲୁଥିବାରୁ ଏହାର ଫଳ ଭୋଗୁଛନ୍ତି ରାଜ୍ୟବାସୀ । ଓଡ଼ିଶାରେ ଶାସନ ଚଳାଉଛି କିଏ? ଶାସନ ବିଷୟରେ କହୁଛି କିଏ? ଶାସନର ଗତି କୁଆଡେ? ଓଡ଼ିଶାରେ ନ୍ୟାୟ ଭିକ୍ଷା କରୁଥିବା ପୀଡିତା ମା ଓ ଭଉଣୀମାନେ ହତାଶ ହୋଇ ପଡିଛନ୍ତି । ଜଣେ ହେଲେ ମହିଳାଙ୍କୁ ନ୍ୟାୟ ଦେଇ ପାରିଲେ ନାହିଁ ମୁଖ୍ୟମନ୍ତ୍ରୀ ବୋଲି ଶ୍ରୀମତୀ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ବିଜେଡି ନେତାଙ୍କ ବିରୋଧରେ ନାରୀ ନିର୍ଯାତନା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଡ୍ରଜନେରୁ ଅଧିକ ବିଜେଡି ନେତାଙ୍କ ନାଁରେ ପାରିବାରିକ ହିଂସା ଓ ନାରୀ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଅଛି । ପୂର୍ବରୁ ବିଜେଡିର ମନ୍ତ୍ରୀ ରଘୁନାଥ ମହାନ୍ତି ନାଁରେ ମଧ୍ୟ ତାଙ୍କ ବୋହୂ ବର୍ଷାସୋନୀ ଯୌତୁକ ଅଭିଯୋଗ କରିଥିଲେ । ବର୍ତମାନ ବିଜେଡି ସରକାର ମାଆକୁ ସମ୍ମାନ, ମହିଳା ସଶକ୍ତିକରଣ, ଉଚ୍ଚଶିକ୍ଷିତ ମହିଳାଙ୍କ ସମ୍ମାନ ଦେବା ଡିଣ୍ଡିମ ପିଟୁଛି କିନ୍ତୁ ବାସ୍ତରେ ମହିଳାଙ୍କ ନାଁନେଇ ନିଜର ପ୍ରଚାର ପ୍ରସାର କରୁଛି । ମହିଳାଙ୍କୁ ଯଦି ରାଜ୍ୟ ସରକାର ସମ୍ମାନ ଦେଉଛନ୍ତି ତାହାଲେ ତାଙ୍କ ଦଳର ବିଧାୟକଙ୍କ ନାଁରେ କାହିଁକି ନିର୍ଯ୍ୟାତନା ମାମଲା ଆସୁଛି ତାହାର ଜବାବ ରଖନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ମହିଳାମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *