ଓଡ଼ିଶାଯାଜପୁର

ପ୍ରେମ ବିବାହ ତିଷ୍ଟିଲାନି ଆଠ ଦିନ : ଧରା ପଡିଗଲା ସତ

ଯାଜପୁର: ପ୍ରେମ ବିବାହ କରିବା ପରେ ଆଠ ଦିନ ବି ତିଷ୍ଠି ପାରିଲାନି ସମ୍ପର୍କ । ପ୍ରେମିକା ଚାଲିଗଲେ ନିଜ ରାଜ୍ୟକୁ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ନୂଆ ବନ୍ଧୁତା ଗଢିବା ଓ ବନ୍ଧୁତାକୁ ପ୍ରେମର ପରିଚୟ ଦେବା  ଯୁବପିଢି ପାଇଁ ସାଧାରଣ କଥା ହେଇଗଲାଣି । ଏପରି ଜଣେ ଯୁବକ ମିଛ ପ୍ରେମ ସମ୍ପର୍କରେ ଫସାଇ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । କିନ୍ତୁ ବାସ୍ତବ ଘଟଣା ଜାଣିବା ପରେ ଯୁବତୀ ଜଣକ ନିଜ ରାଜ୍ୟକୁ ଫେରି ଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଯାଜପୁରର ଜଣେ ଯୁବକ ତ୍ରିପୁରାର ଜଣେ ଝିଅ ସହ ଫେସବୁକରେ କଥାବର୍ତ୍ତା ହେଉଥିଲେ । ଧିରେ ଧିରେ ସେମାନଙ୍କ ଭିତରେ ବନ୍ଧୁତା ବଢିବାରୁ ନମ୍ବର ଦିଆନିଆ ହେଲା ଓ  ଆରମ୍ଭ ହେଲା ପ୍ରେମ ସମ୍ପର୍କ ।  ଯୁବତୀ ଜଣକ ପେଶାରେ ଡାକ୍ତର ହୋଇଥିବା ବେଳେ, ଯୁବକ ଜଣକ ନିଜକୁ ଜଣେ ଇଞ୍ଜିନିୟର ଭାବେ ପରିଚୟ ଦେଇଥିଲେ ।

ସମୟକ୍ରମେ ପ୍ରେମ ସମ୍ପର୍କ ଏତେ ନିବିଡ ହୋଇଗଲା। ଯୁବକଙ୍କୁ ଛାଡି ଆଉ ଯୁବତୀ ରହିବାକୁ ଚାହିଁଲେ ନାହିଁ। ତେଣୁ 10 ଦିନ ପୂର୍ବରୁ ଯୁବତୀ ଜଣକ କାହାକୁ କିଛି ନକହି ନିଜ ପ୍ରେମକୁ ପାଇବା ପାଇଁ ଓଡିଶା ଆସିଥିଲେ । ଏବଂ  ଏଠାରେ ପହଞ୍ଚି ଯୁବକଙ୍କୁ କୋର୍ଟ ମ୍ୟାରେଜ ମଧ୍ୟ କରିଥିଲେ । ତେବେ ଆଠ ଦିନ ଭିତରେ ଯୁବକଙ୍କ ଅସଲ ଚେହେରା ଯୁବତୀଙ୍କ ସାମ୍ନାକୁ ଆସିଯାଇଥିଲା । ଯୁବକ ଜଣକ ନିଜକୁ ଜଣେ ଇଞ୍ଜିନିୟର କହିଥିବାବେଳେ , ସେ କିନ୍ତୁ ଥିଲେ ଜଣେ ଗ୍ୟାରେଜ ମେକାନିକ । ଉଭୟଙ୍କର ଧର୍ମବି ଅଲଗା ଥିଲା, ଯାହା ଯୁବକ ଜଣକ ଲୁଚାଇଥିଲେ ।

ତେବେ ସତ୍ୟତା ଜାଣିବା ପରେ ଯୁବତୀ ଜଣକ ତାଙ୍କ ଘରକୁ ଫୋନ କରି ସବୁ କଥା କହିଥିଲେ। ଏଥିରେ ଘର ଲୋକେ ତ୍ରିପୁରା ପୋଲିସଙ୍କ ନିକଟରେ ଏବିଷୟରେ ଜଣାଇଥିଲେ । ପରେ  ତ୍ରିପୁରା ପୋଲିସ ଯାଜପୁର ପୋଲିସ ସହ ଯୋଗାଯୋଗ କରି ଉକ୍ତ ଯୁବତୀଙ୍କୁ ଯୁବକଙ୍କ ଘରୁ ଉଦ୍ଧାର କରି କୋର୍ଟକୁ ନେଇଥିଲେ । ସେଠାରେ ଯୁବତୀ ଜଣକ ନିଜ ଇଚ୍ଛାରେ ତାଙ୍କ ଘରକୁ ଯିବାକୁ ଚାହୁଁଥିବା କଥା କହିଥିଲେ ।

ଗତକାଲି ତ୍ରିପୁରା ପୋଲିସ ଯାଜପୁରରେ ପହଞ୍ଚିବା ପରେ ଯାଜପୁର ପୋଲିସ ଯୁବତୀଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ । ଏପଟେ ଅଭିଯୁକ୍ତ ଯୁବକ ଜଣକ ଫେରାର ହୋଇଥିବା କଥା ଜଣାପଡିଛି । ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published.

Back to top button