ଚିନ୍ତାରେ ଚାଷୀ

Spread the love

ଜଳେଶ୍ବର: ଚାଷ ଜମିରେ  ପାଣିର ଲହଡି ଦେଖି ଚିନ୍ତାରେ ଚାଷୀ । ଧାର କରଜ କରି ଚାଷୀ ଚାଷ କରୁଥିଲା ବେଳେ ଏବେ ଫସଲର କ୍ଷତିକୁ ନେଇ ଚିନ୍ତାରେ ଚାଷୀ ।

ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଥିଲାବେଳେ ରେଳ ବିଭାଗର ମନମୁଖୀ କାମ ପାଇଁ ଏକର ଏକର ଧାନ କ୍ଷେତରେ ପାଣିର ଲହଡି ଭାଙ୍ଗୁଛି । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ପୌର ପରିଷଦ ଅଧୀନସ୍ଥ ଝାଡ଼େଶ୍ୱର ପୁର ଓ ରାଜପୁର ବସ୍ତି ଅଂଚଳ କଥା । ଚାଷୀ ବହୁ ଟଙ୍କା ଧାର କରଜ କରି ଧାନ ଚାଷ କରିଥିଲାବେଳେ ଅମଳ ସମୟରେ ଏପରି କ୍ଷତି ଚାଷୀଙ୍କୁ ଚିନ୍ତାରେ ପକାଇଛି । ଦକ୍ଷିଣ ପୂର୍ବ ରେଳପଥ ଖଡଗପୁର ଡିଭିଜନ ରେଳବିଭାଗ ତରଫରୁ ତୃତୀୟ ରେଳ ଲାଇନ ନିର୍ମାଣ ଚାଲିଥିଲାବେଳେ ଠିକାଦାରଙ୍କ ମନମୁଖୀ ଯୋଗୁ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଜଳେଶ୍ୱର ,ଝାଡ଼େଶ୍ୱରପୁର,ରାଜପୁର,ପଥରପୁରା ଅଂଚଳର ବର୍ଷ ପାଣି  ଆବର୍ଜନା ପାଣି ଖେଜୁରିଆ ପୋଲ ଦେଇ ନିଷ୍କାସନ ହେଉଥିବା ବେଳେ ରେଳ ବିଭାଗର କାମ ପାଇଁ ପୋଲର ମୁହଁକୁ ମାଟି ପକାଇ ଅବରୋଧ କରାଯାଇଛି । ଯାହା ଫଳରେ ଧାନ କ୍ଷେତରେ ପାଣିର ଲହଡି ଭାଙ୍ଗୁଛି ।

ସେପଟେ ଧାର କରଜ କରି ଚାଷ କରିଥିବା ଚାଷୀକେମିତି ଧାର ଟଙ୍କା ସୁଝିବେ, ଆଉ ପରିବାରର ଭରଣ ପୋଷଣ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି । କ୍ଷତିପୂରଣ ପାଇଁ ବାରମ୍ବାର ରେଳ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ତେବେ ଆଗାମୀ ସାତ ଦିନ ମଧ୍ୟରେ ଯଦି ରେଳବିଭାଗ କୌଣସି ସୁବିଧା ନକରନ୍ତି କିମ୍ୱା   କ୍ଷତିପୂରଣ ନଦିଅନ୍ତି ତେବେ ଜଳେଶ୍ୱର ଷ୍ଟେସନ ଆଗରେ ସମସ୍ତ ଚାଷୀ ତାଙ୍କ ପରିବାରକୁ ଧରି ଧାରଣା ଦେବା ସହ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଜଳେଶ୍ୱର ରେଳଷ୍ଟେସନର ମ୍ୟାନେଜର କ୍ୟାମେରା ସମ୍ମୁଖରେ ମୁହଁ ଖୋଲି ନଥିଲାବେଳେ ଖୁବଶୀଘ୍ର ଆଲୋଚନା କରି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ । 

ତେବେ ଦେଖିବାକୁ ବାକି ରହିଲା ରେଳ ବିଭାଗ କେବେ ଚାଷୀଙ୍କର ଦୁଃଖ  ଶୁଣୁଛି । ଆଉ କ୍ଷତି ପୁରଣ ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *