ଏମକେସିଜିରେ କାମ କରୁନଥିଲା ଅଗ୍ନି ନିର୍ବାପକ ଯନ୍ତ୍ର

ବ୍ରହ୍ମପୁର: ଅଗ୍ନି ନିର୍ବାପକ ଯନ୍ତ୍ରାଂଶ କାମ ନ କରିବାରୁ ଅଗ୍ନିକାଣ୍ଡ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି  ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ନାମରେ। ରକ୍ଷଣାବେକ୍ଷଣ ଅଭାବରୁ ଅଗ୍ନି ନିର୍ବାପକ ଉପକରଣ କାମ କରିନଥିଲା ବୋଲି ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ କହିଛନ୍ତି। ଶୁକ୍ରବାର ଏମକେସିଜିର ସୁପର ସ୍ପେଶିଆଲିଟି ବ୍ଳକରୁ ଅଗ୍ନିକାଣ୍ଡ ଘଟିବା ପରେ ଏହି ତଥ୍ୟ ଜଣାପଡିଛି। ସେପଟେ ଘଟଣାର ତଦନ୍ତ ଲାଗି ଏକ ଟିମ୍ ଗଠନ କରାଯାଇଛି। ରିପୋର୍ଟ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଧାୟକ।

ଅଗ୍ନି ନିର୍ବାପକ ଯନ୍ତ୍ର କାମ କଲାନି। ସେଥିଲାଗି ନିଆଁକୁ ତ୍ୱରିତ ଆୟତ୍ତ କରିବା ସହଜ ହେଲାନି। ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶିଆଲିଟି ବ୍ଲକର ପଞ୍ଚମ ମହଲାରେ ଥିବା ୟୁରୋଲୋଜି ବିଭାଗର ଅପରେସନ କୋଠାରେ ଅଗ୍ନିକାଣ୍ଡ ପରେ ଏଭଳି ବଡ଼ ଧରଣର ତୃଟି ସାମ୍ନାକୁ ଆସିଛି। ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏହା କାମ କରିନଥିଲା । ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡ଼ିକୁ ତୁରନ୍ତ ମରାମତି କରିବା ନିମନ୍ତେ ଏମକେସି ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି।  

 ଅଗ୍ନିକାଣ୍ଡ ପରେ ଆଜି ପଞ୍ଚମ ମହଲାକୁ ସମ୍ପୂର୍ଣ୍ଣ ରୂପେ ସଫେଇ କରାଯାଇଛି । ଏହାସହିତ ୟୁରୋଲଜି ବିଭାଗର ଅପରେସନ ବନ୍ଦ ରହିଛି । ଶୁକ୍ରବାର ଯେଉଁ ଦୁଇ ଜଣ ରୋଗୀଙ୍କ ଅପରେସନ ହୋଇଥାଆନ୍ତା, ସେମାନଙ୍କର ଅପରେସନକୁ ସ୍ଥଗିତ ରଖାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଅଗ୍ନିକାଣ୍ଡ ହୋଇଥିବା ବିଭାଗରେ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଥିବା କହିଛନ୍ତି ମେଡ଼ିକାଲ କର୍ମଚାରୀ ।

ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବୁଦ୍ଧିଜୀବୀ । ବ୍ରହ୍ମପୁର ସାଂସଦ, ବିଧାୟକ ଓ ମେୟର ମେଡ଼ିକାଲ ଯାଇ ସ୍ଥିତି ପରଖିଛନ୍ତି। ଘଟଣାର ତଦନ୍ତ କରିବା ନିମନ୍ତେ ଏକ ଟିମ୍‌ ଗଠନ କରାଯିବ । ଯେଉଁଥିରେ ମେଡ଼ିକାଲ କର୍ତ୍ତୃପକ୍ଷ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ,  ରାସ୍ତା ଓ କୋଠାବାଡ଼ି ବିଭାଗର ଅଧିକାରୀ ମାନେ ସାମିଲ ରହିବେ। ରିପୋର୍ଟ ଆସିବା ପରେ ଆକ୍ସନ ହେବ ବୋଲି କହିଛନ୍ତି ବିଧାୟକ।

 ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *