ପୂର୍ତ ବିଭାଗର ସମୀକ୍ଷା

ଭୁବନେଶ୍ୱର : ରାଜ୍ୟର ୨୬୭ଟି ବ୍ଲକ ମୁଖ୍ୟାଳୟକୁ ଦୁଇଲେନ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି । ଆଉ ୨୬ଟି ବ୍ଲକ ମୁଖ୍ୟାଳୟକୁ ମାର୍ଚ୍ଚ ୨୦୨୪ ଏବଂ ୨୧ଟି ବ୍ଲକ ମୁଖ୍ୟାଳୟକୁ ଜୁନ ୨୦୨୪ ସୁଦ୍ଧା ଦୁଇଲେନ ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଉ ୫ଟି ପର୍ଯ୍ୟଟନ ସ୍ଥଳୀକୁ ମାର୍ଚ୍ଚ ୨୦୨୪ ସୁଦ୍ଧା ୨-ଲେନ ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଇସ୍ପାତ ଓ ଖଣି, ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

 ପୂର୍ତ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମଗୁଡିକର ସମୀକ୍ଷା ଅବସରରେ ଗୀତଗୋବିନ୍ଦ ସଦନଠାରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଓଡ଼ିଶାର ଉତରରୁ ଦକ୍ଷିଣକୁ ସଂଯୋଗ କରୁଥିବା ରାଉରକେଲାଠାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସେୱ (ଦୈର୍ଘ୍ୟ – ୫୪୬ କିଲୋମିଟର) କାର୍ଯ୍ୟ ରେକର୍ଡ ସମୟ ମଧ୍ୟରେ ସମାପ୍ତ କରାଯାଇଛି । ବ୍ରହ୍ମପୁରଠାରୁ ଜୟପୁର ପର୍ଯ୍ୟନ୍ତ ୩୧୮ କିଲୋମିଟର ଦୀର୍ଘ ପ୍ରସ୍ତାବିତ ବିଜୁ ଏକ୍ସପ୍ରେସେୱ-୨ ରାସ୍ତା କାର୍ଯ୍ୟ ହାତକୁ ନିଆଯାଇଛି ।

ନିର୍ବାଚନୀ ଇସ୍ତାହାର-୨୦୧୯ରେ ୧୦୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବାବେଳେ ୬୮୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇପାରିଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୬୮୦ ପ୍ରତିଶତ ଅଟେ । ଏଥିପାଇଁ ୧୮୫୦୦ କୋଟି ଟଙ୍କା ବ୍ୟୟ କରାଯାଇଛି । ସମସ୍ତ ମ୍ୟୁନିସିପାଲ କର୍ପୋରେସନ୍‌, ୪୬ ଟି ମ୍ୟୁନିସିପାଲିଟି ଏବଂ ୬୩ ଟି ଏନ୍‌ଏସିକୁ ସବୁଦିନିଆ ଦୁଇ ଲେନ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି ।

ମନ୍ତ୍ରୀ ଶ୍ରୀ ମଲ୍ଲିକ ପୁଣି କହିଛନ୍ତି ଯେ ୫୫ ଟି ଶିଳ୍ପାଂଚଳକୁ ଦୁଇ ଲେନ / ଚାରି ଲେନ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି । ଆଉ ୧୫ ଟି ଶିଳ୍ପାଂଚଳକୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟ ହାତକୁ ନିଆଯାଇଛି । ରାଜ୍ୟର ୧୨ ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ୨-ଲେନ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି । ରାଜ୍ୟର ପ୍ରମୁଖ ରାସ୍ତାରେ ୫୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଅଛି ।ରାଜ୍ୟର ପ୍ରମୁଖ ସହର ଯଥା ଭଦ୍ରକ, ବ୍ରହ୍ମପୁର, ବାରିପଦା, ବାଲେଶ୍ୱର, ଭବାନୀପାଟଣା, ବଲାଙ୍ଗୀର, ବରଗଡ, କଟକ, ଝାରସୁଗୁଡା ଏବଂ ସମ୍ବଲପୁରରେ ନୂତନ ରିଙ୍ଗ ରୋଡ୍ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଅଛି ।

ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି, ବିଗତ ଦୁଇ ଦଶନ୍ଧି ମଧ୍ୟରେ ପୂର୍ତ ବିଭାଗର ରାସ୍ତା ୧୬୦୪୧ କିଲୋମିଟରରୁ ୩୧୩୧୭ କିଲୋମିଟରକୁ ବୃଦ୍ଧି ପାଇଛି । ଏହି ଅବଧି ମଧ୍ୟରେ ସମୁଦାୟ ୫୨୧ ଟି ସେତୁ ନିର୍ମାଣ କରାଯାଇଛି । ତନ୍ମଧ୍ୟରୁ ମହାନଦୀ ଉପରେ ୧୨ ଟି, ବ୍ରାହ୍ମଣୀ ଉପରେ ୫ ଟି, ବୈତରଣୀ ଉପରେ ୬ ଟି, ବୁଢାବଳଙ୍ଗ ଉପରେ ୩ ଟି ଏବଂ ଖରସ୍ରୋତା ଉପରେ ୩ଟି ସେତୁ ଅନ୍ତର୍ଭୁକ୍ତ ।

ବିଗତ ଚାରି ବର୍ଷରେ ୭୭୦ କୋଟି ଟଙ୍କା ବିନିମୟରେ କଳାହାଣ୍ଡି, କେଉଁଝର ଏବଂ ପୁରୀ ଠାରେ ୩ ଟି ମେଡିକାଲ୍ କଲେଜର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ ୨ଟି ମେଡିକାଲ୍ କଲେଜ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଅଛି ।୧୫୫ କୋଟି ଟଙ୍କା ବିନିମୟରେ କେନ୍ଦ୍ରାପଡ଼ା, ନୟାଗଡ଼ ଏବଂ ନବରଙ୍ଗପୁର ଠାରେ ୩ ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ ୭ ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଅଛି ।୧୧୬ କୋଟି ଟଙ୍କା ବିନିମୟରେ କେଉଁଝର ଟିଚିଙ୍ଗ୍ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ ୭ ଟି ଟିଚିଙ୍ଗ୍ ହସ୍ପିଟାଲ କାର୍ଯ୍ୟ ଡିସେମ୍ବର ୨୦୨୩ ଏବଂ ଗୋଟିଏ ଏପ୍ରିଲ୍ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨ଟି କ୍ୟାନ୍‌ସର ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩, ଗୋଟିଏ ଜାନୁଆରୀ ୨୦୨୪, ୪ ଟି ମେ ୨୦୨୪ ଏବଂ ୩ ଟି ଜୁଲାଇ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ରାଜ୍ୟର ବିଭିନ୍ନ ସହରାଂଚଳରେ ୪୪ ଟି ମଲଫି-ପର୍ପୋଜ୍ ଇନଡୋର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ ୪୧ ଟି ଜୁଲାଇ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।  ୧୧୮ ଟି ସେତୁ ଏବଂ ୨୩ ଟି ଆରଓବିର ନିର୍ମାଣ କାର୍ଯ୍ୟ ଚାଲୁରହିଛି ।

 ୭୪ କୋଟି ଟଙ୍କା ବିନିମୟରେ ମାଲକାନଗିରି ଠାରେ ଏକ ନୂତନ ବିମାନବନ୍ଦର କାର୍ଯ୍ୟ ଚାଲୁଛି । ଉକ୍ତ କାର୍ଯ୍ୟକୁ ନଭେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥଳୀରେ ପରିଣତ କରିବା ପାଇଁ ଅଭଡ଼ା ଯୋଜନାରେ ୪୨୨୪ କୋଟି ଟଙ୍କା ବିନିମୟରେ ୨୧ ଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ମା’ ସମଲେଶ୍ୱରୀ ମନ୍ଦିର ବିକାଶ ନିମନ୍ତେ ୩୦ ଏକର ପରିମିତ ଜାଗାରେ ୧୯୩ କୋଟି ଟଙ୍କା ବିନିମୟରେ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ଉକ୍ତ କାର୍ଯ୍ୟକୁ ନଭେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଲିଙ୍ଗରାଜ ମନ୍ଦିର ଏବଂ ପାଶ୍ୱର୍ବର୍ତୀ ଅଂଚଳର ବିକାଶ ନିମନ୍ତେ ୨୧୪ କୋଟି ଟଙ୍କା ବିନିମୟରେ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି ।

ଏହି ଅବସରରେ ପୂର୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *