ଗୌଡବନ୍ଧ ବସ୍ତି ଉଚ୍ଛେଦ, ଭାଙ୍ଗିଲା ୧୦୬ ଘର

Spread the love

ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଠାରେ ରହିଥିବା ଗୌଡ଼ବନ୍ଧ ବସ୍ତିକୁ ଆଜି ବ୍ରହ୍ମପୁର ମୁନସିପାଲିଟି କର୍ପୋରେସନ ବା ବିଏମସି ପକ୍ଷରୁ ଉଚ୍ଛେଦ କରାଯାଇଛି । ବସ୍ତିରେ ରହିଥିବା ୧୦୬ଟି ଘରକୁ ସମ୍ପୂର୍ଣ୍ଣ ରୂପେ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି । ଦୀର୍ଘ ୭୦ ବର୍ଷ ଧରି ଏହି ବସ୍ତିରେ ରହିଆସୁଥିବା ବାସିନ୍ଦା ମାନେ ବିଏମସିର ଏଭଳି ବସ୍ତି ଉଚ୍ଛେଦକୁ ବିରୋଧ କରିନଥିଲେ ସୁଦ୍ଧା ଦୁଃଖ ପ୍ରକାଶ କରିଛନ୍ତି ।

ମାଟିରେ ମିଶିଲା ବସ୍ତି । ଭଙ୍ଗାଗଲା ୧୦୬ଟି ଘର । ଏହେଉଛି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ସ୍ଥିତ ଗୌଡ଼ବନ୍ଧ ବସ୍ତିର ଦୃଶ୍ୟ । ଯାହାକୁ ବିଏମସି ଉଚ୍ଛେଦ କରିଛି । ଗୋଟିଏ ଦିନ ପୂର୍ବରୁ ବିଏମସି ପକ୍ଷରୁ କିଛି କର୍ମଚାରୀ ବସ୍ତିକୁ ଉଚ୍ଛେଦ କରାଯିବା ନେଇ ମାଇକ ଯୋଗେ ଘୋଷଣା କରାଯାଇଥିଲା। ଉଚ୍ଛେଦ ସମୟରେ ଯେପରି କୌଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି  ସୃଷ୍ଟି ନହୁଏ ଏଥିପାଇଁ ଦୁଇ ଅତିରିକ୍ତ ଏସପି, ଏସଡ଼ିପିଓ, ୫ ପ୍ଲାଟୁନ ପୋଲିସ ଫୋର୍ସ, ସହରରେ ରହିଥିବା ସମସ୍ତ ଥାନା ଅଧିକାରୀଙ୍କ ସମେତ ୨୦ ଜଣ ଥାନା କର୍ମଚାରୀ ବସ୍ତିରେ ମୁତୟନ ରହିଥିଲେ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ବସ୍ତି ଛାଡ଼ିବା ନିମନ୍ତେ ନୋଟିସ ମଧ୍ୟ କରାଯାଇଥିଲା । ହେଲେ ଉଚ୍ଛେଦ କରାଯିବା ସମୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସେପଟେ ଉଚ୍ଛେଦ କରାଯାଇଥିବା ପ୍ରତ୍ୟେକ ବସ୍ତିବାସିନ୍ଦାଙ୍କ ପରିବାରକୁ ରାଜୀବ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଥିବା ବେଳେ ବସ୍ତିବାସିନ୍ଦା ମାନେ ରାଜୀବ ଆବାସ କଲୋନୀକୁ ସ୍ଥାନାନ୍ତର ହୋଇ ନଥିଲେ । ଯେଉଁମାନେ ଗୃହ ପାଇ ନାହାନ୍ତି ସେମାନଙ୍କର ପୁଣି ଥରେ ସର୍ଭେ କରାଯାଇ ଗୃହ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ କମିଶନର ।  

ଗତ ଏକବର୍ଷ ପୂର୍ବରୁ ଏହି ବସ୍ତି ଉଚ୍ଛେଦ କରାଯିବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲାବେଳେ ଏବେର ଉଚ୍ଛେଦରେ ଲକ୍ଷାଧିକ ଟଙ୍କାର ଅସବାବପତ୍ର ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *