ବାଳିଯାତ୍ରାରେ ବଢୁଛି ମାଣ୍ଡିଆ ଚାହିଦା

କଟକ: ବେଶ ଜମିବାରେ ଲାଗିଛି କଟକର ଐତିହାସିକ ବାଲିଯାତ୍ରା । ମେଳାରେ ଲୋକେ ବୁଲାବୁଲି କରିବା ସହ ବିଭିନ୍ନ ପ୍ରକାରର ସାମଗ୍ରୀ କିଣି ନେଉଛନ୍ତି। ତେବେ ମେଳାରେ ମାଣ୍ଡିଆର ବେଶ୍ ଚାହିଦା ରହିଛି । ଓରମାସ ମେଳାରେ ଖୋଲିଥିବା ଏହି ଷ୍ଟଲରେ ଏବେ ଗ୍ରାହକଙ୍କ ଭଲ ଭିଡ ଦେଖିବାକୁ ମିଳୁଛି। ରାଜ୍ୟ ସରକାର ମାଣ୍ଡିଆକୁ ପ୍ରାଥମିକତା ଦେଇଥିବା ବେଳେ ଏହାର ଉତ୍ପାଦନ ଓ ମାର୍କେଟ ଉପରେ ମେଳାରେ ବେଶ ଗୁରୁତ୍ଵ ଦିଆଯାଉଥିବା କହିଛନ୍ତି ଓରମାସ କର୍ତ୍ତୃପକ୍ଷ।
କଟକ ବାଲିଯାତ୍ରା ଆରମ୍ଭରୁ ମାଣ୍ଡିଆ ଓ ଏଥିରୁ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟକୁ ଦିଆଯାଉଛି ଗୁରୁତ୍ଵ। ପିଲାଠୁ ବୟସ୍କ ସମସ୍ତଙ୍କ ପାଇଁ ବେଶ ଉପାଦେୟ ଏହି ଖାଦ୍ୟ ସାମଗ୍ରୀର ବହୁଳ ପ୍ରଚାର ପ୍ରସାର ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକର ପ୍ରୟାସ କରୁଥିବା ବେଳେ ବାଲିଯାତ୍ରା ଏଦିଗରେ ଏକ ସୁଯୋଗ ସୃଷ୍ଟି କରିଛି। ଯାତ୍ରାର ଓରମାସରେ ଥିବା ମାଣ୍ଡିଆ ଷ୍ଟଲ ବୁଲି ଦେଖିବା ସହିତ ୪/୫ ପ୍ରକାରର ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ କିଣିଥିଲେ ରାଜ୍ୟ କୃଷି ମନ୍ତ୍ରୀ। ଯାହା ବ୍ୟବସାୟୀଙ୍କୁ ବେଶ୍ ଆତ୍ମବିଶ୍ବାସ ଦେଇଛି।
ଚଳିତ ବର୍ଷ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ଓରମାସ୍ ମେଳା ରେ ୩ଟି ମାଣ୍ଡିଆ ଷ୍ଟଲ ଖୋଲିଛି। ବାଙ୍କୀ ଡମପଡାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠି ମାଣ୍ଡିଆ, ମାଣ୍ଡିଆ ଛତୁଆ ସମେତ ମାଣ୍ଡିଆରୁ ପ୍ରସ୍ତୁତ ୧୫ ପ୍ରକାର ଖାଦ୍ୟ ସାମଗ୍ରୀ ଆଣିଛନ୍ତି। ସେମାନଙ୍କ ଉତ୍ପାଦକୁ ମାର୍କେଟ ଦେବାରେ ଏହି ମେଳା ଏକ ବଡ ସୁଯୋଗ ଆଣିଦେଇଛି। ସମୟର ପରିବର୍ତ୍ତନରେ ମାଣ୍ଡିଆ ଆଜି କେବଳ ଯାଉ କରି ଖାଇବାରେ ସୀମିତ ନାହିଁ। ଏଥିରୁ ପ୍ରସ୍ତୁତ ଖାଦ୍ୟ ଏବେ ସମସ୍ତଙ୍କ ପ୍ରିୟ ଖାଦ୍ୟ ହେବାରେ ସକ୍ଷମ ହୋଇପାରିଛି।
ବାଲିଯାତ୍ରା ରେ ମାଣ୍ଡିଆ ପ୍ରତି ସାଧାରଣ ଲୋକଙ୍କର ଆଦର ବଢ଼ିବାରେ ଲାଗିଛି । ସେଥିପାଇଁ ଆସନ୍ତା ବର୍ଷ ଏହି ଷ୍ଟଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ଚିତ୍ତରଞ୍ଜନ ସାମନ୍ତରାୟ ଙ୍କ ରିପୋର୍ଟ