କିଶନ ପୁରୀରେ ଶ୍ୟାମ ବିହାରୀଙ୍କ ଫାଲଗୁନ ମେଳା

ବରଗଡ:  ହୋଲି ପୂର୍ବରୁ ହୋଲି । ବରଗଡ ଜିଲ୍ଲା ଭଟଲି ସ୍ଥିତ କିଶନ ପୁରୀ ଠାରେ ଭଗବାନ ଶ୍ୟାମ ବିହାରୀଙ୍କ ଫାଲଗୁନ ମେଳା ଅନୁଷ୍ଠିତ ହୋଇଛି । ଏହି ମେଳାରେ ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତଙ୍କ ସମାଗମ ହେବା ସହ ହୋଲି ପର୍ବ ଅନୁଷ୍ଠିତ ହୋଇଥିଲା । ସର୍ବତ୍ର ଫାଲଗୁଣ ପୂର୍ଣ୍ଣମୀରେ ହୋଲି ପର୍ବ ଅନୁଷ୍ଠିତ ହେଉ ଥିବା ବେଳେ ଏହାର ପାଞ୍ଚଦିନ ପୂର୍ବରୁ ଶ୍ୟାମ ବିହାରୀଙ୍କ ହୋଲି ପର୍ବ ଭାରତରେ ପ୍ରଥମ ।

ରଂଗ ଓ ଅବିରରେ ସାରା ପରିବେଶ  ହୋଇଉଠିଛି ରଂଗମୟ । ପିଲାଠୁ ବୁଢା ସମସ୍ତେ ଜଣେ ଅନ୍ୟ ଜଣକୁ ରଙ୍ଗ ବୋଲିବାରେ ବ୍ୟସ୍ତ । ଆଉ ଏ ସମସ୍ତଙ୍କ ସାଙ୍ଗରେ ଭଗବାନ ଶ୍ୟାମ ବିହାରୀ ରଥରେ ବିରାଜମାନ ହୋଇ ଭକ୍ତଙ୍କ ସହ ହୋଲି ଖେଳିବାରେ ମଜ୍ଜି ଯାଇଛନ୍ତି । ସତେ ଯେପରି ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି । ଆଉ ବ୍ରଜ ବୃନ୍ଦାବନରେ ଚାଲିଛି ହୋଲି ଉତ୍ସବ । ତେବେ ଏହା ବ୍ରଜ ବୃନ୍ଦାବନର ହୋଲି ଉତ୍ସବ ନୁହେଁ । ଏହା ହେଉଛି ବରଗଡ଼ ଜିଲ୍ଲା ଭଟଲି ଶ୍ୟାମ ବିହାରୀଙ୍କ ଫାଲଗୁନ ମେଲା ଅବସରରେ ଅନୁଷ୍ଠିତ ହୋଇଥିବା ହୋଲି ଉତ୍ସବର ଦୃଶ୍ୟ । ହୋଲିର ପାଂଚ ଦିନ ଆଗରୁ ଶ୍ୟାମ ବାବା ନିଜେ ଭକ୍ତଙ୍କ ସହ ଏଠାରେ ହୋଲି ଖେଳିଥିବା ବେଳେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତ ମହିଳା ପୁରୁଷ ଏକାଠି ହୋଇ ବାବାଙ୍କ ସହ ହୋଲି ଖେଳିବାର ସୌଭାଗ୍ୟ ଲାଭ କରିଥାନ୍ତି । ରାଜସ୍ଥାନ ରାଜ୍ୟର ଖାଟୁ ଠାରେ ଶ୍ୟାମ ବିହାରୀଙ୍କୁ ପ୍ରଥମ ଭାବେ ପୂଜା କରାଯାଉ ଥିବା ବେଳେ ବରଗଡ଼ ଜିଲ୍ଲାର ଭଟିଲି ସ୍ଥିତ ଶ୍ୟାମ ବିହାରୀ ଭାରତର ଦ୍ଵିତୀୟ ଭାବେ ପ୍ରସିଦ୍ଧ ଲାଭ କରିଛି। ଫଗୁଣ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ୟାମ  ବିହାରୀଙ୍କ ମେଳା ଅନୁଷ୍ଠିତ ହୋଇଥାଏ । ଯେଉଁଥିପାଇଁ ଭଟଲି ଧାମକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟେ।

ଏହିଦିନ ସକାଳ ରୁ ଭଗବାନ ଶ୍ୟାମ ବିହାରୀଙ୍କ ସ୍ଵତନ୍ତ୍ର ପୂଜା, ଅଲୌକିକ ଶୃଙ୍ଗାର ହୋଇଥାଏ । ଅପରାହ୍ନରେ ହୋଲି ପର୍ବ ଅନୁଷ୍ଠିତ ହୁଏ ।  ଶ୍ୟାମ ବାବାଙ୍କୁ ଏକ ସୁସଜ୍ଜିତ ରଥରେ ବସାଇ ନଗର ପରିକ୍ରମା କରାଯାଏ । ଆଉ ଏହି ସମୟରେ ହୋଲି ଖେଳ ହୋଇଥାଏ । ଶ୍ୟାମ ବିହାରୀ ମନ୍ଦିର କମିଟି ପକ୍ଷରୁ ଭକ୍ତଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । ଏହି ଦିନ କୌଣସି ବ୍ୟକ୍ତି ନିଜର ଇଚ୍ଛାପୂରଣ ପାଇଁ ମାନସିକ ରଖିଲେ ତାହା ଫଳପ୍ରଦ ହୋଇଥାଏ ବୋଲି  ବିଶ୍ୱାସ ରହିଛି ।

ଦେଶ ସାରା ସର୍ବତ୍ର ପୂର୍ଣ୍ଣମୀ ତିଥିରେ ହୋଲି ଖେଳାଯାଉଥିବାବେଳେ ପାଞ୍ଚ ଦିନ ପୂର୍ବରୁ ଭଗବାନଙ୍କ ସହ ଭକ୍ତଙ୍କ ହୋଲି ଖେଳ ଭଟିଲିର ଫାଲଗୁଣ ମେଳା ପ୍ରଥମ ସ୍ଥାନ ଅଧିକାର କରିଛି ।..

ଧ୍ରୁବ କର୍ମୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *