ଭୁବନେଶ୍ବର: ଶେଷ ହେଲା ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ। କାର୍ଯ୍ୟକାରିଣୀରେ ବିଶେଷ କରି କେନ୍ଦ୍ର ସରକାରଙ୍କ ଜନାଭିମୁଖି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳ ସ୍ଥିର କରିଛି। ସେହିପରି ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛି ଦଳ। ଏପଟେ ମିଶନ ୧୨୦ ଫେଲ ହେଲା ପରି ପୁଣି ଥରେ ବିଜେପିର ସବୁ ପ୍ଲାନ ଫେଲ ମାରିବ ବୋଲି କହିଛି ବିଜେଡି। ଅନ୍ୟପଟେ କଂଗ୍ରେସ କହିଛି ଏହା ରାଜନୈତିକ ଡ୍ରାମା ।
୯ବର୍ଷରେ ହୋଇ ପାରିଲା ନାହିଁ? ୩ ମାସରେ କେମିତି ହେବ ମୋ ବୁଥ ସବୁଠୁ ମଜଭୁତ? ରାଜ୍ୟ ବିଜେପିର ମିଶନ ୨୦୨୪ ପୁଣି ହେବ କି ଫେଲ ? ଅନ୍ତଃକନ୍ଦଳ ଦଳ ପାଇଁ ବଢାଇବ କି ବିପଦ ? ସମାପ୍ତ ହୋଇଛି ରାଜ୍ୟ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ । ଏଥିରେ ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ ସହ ସଂଗଠନକୁ ମଜଭୁତ କରିବା ଦିଗରେ ଆଲୋଚନା ହୋଇଛି। ସବୁଠାରୁ ବଡ଼ କଥା ହେଉଛି ତୃଣମୂଳ ସ୍ତରରେ ସଂଗଠନକୁ କିପରି ମଜଭୁତ କରାଯିବ ସେହି ଉପରେ ଦଳ ଗୁରୁତ୍ୱ ଦେଇଛି। ତେଣୁ ଆସନ୍ତା ୩ ମାସ ଭିତରେ ମଣ୍ଡଳ ସ୍ତରରେ ନୂଆ ଦାୟିତ୍ୱ ସହ ବୁଥ ଜଗିବ ବିଜେପି। ସେହିପରି ମଣ୍ତି ସମସ୍ୟା, ଆବାସ ଘୋଟାଲା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ବେରୋଜଗାରୀ ପ୍ରସଙ୍ଗକୁ ନେଇ ଓଡିଶା ସରକାର ବିରୁଦ୍ଧରେ ରାଜନୈତିକ ଲଢେଇ କରିବାକୁ ଦଳ ନିଷ୍ପତ୍ତି ନେଇଛି। ହେଲେ ବିଭିନ୍ନ ସମୟରେ ବିଜେପିର ଅନ୍ତଃକନ୍ଦଳ ପଦାକୁ ଆସିଛି । ତେଣୁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ କରିବା ପୂର୍ବରୁ ତେବେ ଦଳୀୟ ଅନ୍ତଃକନ୍ଦଳ ପ୍ରଶମିତ କରିବା ଦଳ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।
ସେପଟେ ୨୦୧୯ ପୂର୍ବରୁ ମଧ୍ୟ ବିଜେପି ମିଶନ ୧୨୦କୁ ନେଇ ଏମିତି ପ୍ରଚାର କରୁଥିଲା। ହେଲେ ସେ ମିଶନ ସ୍ୱପ୍ନ ହୋଇ ରହିଗଲା। ପୁଣି ଥରେ ୨୪ରେ ସମାନ ସ୍ଥିତି ବିଜେପିର ହେବ। ବିଜେପିର କୌଣସି ରଣନୀତି ନବୀନଙ୍କ ଭାବମୂର୍ତ୍ତି ସାମ୍ନାରେ କାମ କରିବ ନାହିଁ ବୋଲି ଶାସକ ଦଳ କହିଛି । ଆଉ କଂଗ୍ରେସ ତାତ୍ସଲ୍ୟ କରିଛି, ବିଜେପି-ବିଜେଡି ଭାଇ ଭାଇ। ନିର୍ବାଚନକୁ ଆଖି ଆଗରେ ରଖି ସବୁ ଡ୍ରାମା। ୨୦୧୯ରେ ବିରୋଧୀ ଦଳ ମାନ୍ୟତା ପାଇଥିବା ବିଜେପି ଓଡ଼ିଶାବାସୀଙ୍କ ସହ ବିଶ୍ୱାସଘାତକତା କରିଛି।
ବିଜେପି କାର୍ଯ୍ୟକାରିଣୀରେ ୧୧ଟି ପ୍ରସ୍ତାବ ପାରିତ ହୋଇଛି। ଯେଉଁଥିରେ ରାଜ୍ୟ ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛି ଦଳ। ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ଧିମା ପଡିଥିବା ରାଜ୍ୟ ରାଜନୀତି ପୁଣି ଥରେ ଚଳଚଞ୍ଚଳ ହେବା ଆରମ୍ଭ କରିଛି। ଏମିତି କି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ନିର୍ବାଚନ ସଂକେତ ଦେଇ ରାଜନୈତିକ ଗତିବିଧିକୁ ଆହୁରି ତ୍ୱରାନ୍ୱିତ କରାଇଛନ୍ତି ।
ନବ କିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now