ଓଡ଼ିଶା

ଏଗାର ଦିନ ଧରି ଚାଲିବ ହୃଷିକେଶଙ୍କ ରାଜୁତି

() ବିଶ୍ଵର ସର୍ବବୃହତ ଖୋଳା ରଂଗମଞ୍ଚ ଭାବେ ପ୍ରସିଦ୍ଧ ଲାଭ କରିଛି ବରଗଡ଼ର ଧନୁଯାତ୍ରା ମହୋତ୍ସବ । ଏହି ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଥାଏ ମହାରାଜ କଂସ । ଏଗାର ଦିନ ଯାତ୍ରାର ସେ ହେଉଛନ୍ତି ମହାନାୟକ । ଆଉ ଏଗାର ଦିନ ଧରି ଚାଲେ ତାଙ୍କ ଶାସନ। ଦୀର୍ଘ ନଅ ବର୍ଷ ଧରି ମହାରାଜ କଂସ ଭୂମିକାରେ ସଫଳତାର ସହ ଅଭିନୟ କରି ଆସିଛନ୍ତି ହୃଷିକେଶ ଭୋଇ । ଚଳିତ ଧନୁଯାତ୍ରା ରେ ଦଶମ ଥର ପାଇଁ କଂସ ଭୂମିକାରେ ଅଭିନୟ କରୁଛନ୍ତି ।  

ବରଗଡ଼ର ଧନୁଯାତ୍ରାରେ ଏଥର କଂସ ଭୂମିକାରେ ଅଭିନୟ କରୁଛନ୍ତି ହୃଷିକେଶ ଭୋଇ । ପେଶାରେ ସେ ଜଣେ ଡ୍ରାଇଭର । ବର୍ତ୍ତମାନ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼୍ରାଇଭର ଭାବେ କାର୍ଯ୍ୟରତ । ପତ୍ନୀ ଲିଲି ଭୋଇ, ପୁଅ ଜତିନ, ଝିଅ ଏଲିନାଙ୍କୁ ନେଇ ତାଙ୍କ ପରିବାର । ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ରାବଣ, ଲୋମ ପାଦ ଆଦି ଭୂମିକାରେ ଅଭିନୟ କରିଛନ୍ତି । ଏଗାର ଦିନ ଯାତ୍ରାରେ ନିଜକୁ କଂସ ପରି ଅଭିନୟ କରିଥାନ୍ତି । କଂସ ଭୂମିକାରେ ଅଭିନୟ ପାଇଁ ଫୁରସତ ସମୟରେ ରାମାୟଣ, ମହାଭାରତ, ମଥୁରା ମଙ୍ଗଳ ପରି ବହୁ ପୁରାଣ ଭାଗବତ ପାଠ କରିଥାନ୍ତି । ବର୍ଷସାରା ବ୍ୟସ୍ତ ଚାକିରି ଏବଂ ପରିବାର ମଧ୍ୟରେ । ତଥାପି ସମୟ ବାହାର କରି ନିଜ ଅଭିନୟ ଜାରୀ ରଖିଛନ୍ତି । ତାଙ୍କ ଅଭିନୟକୁ ନେଇ ପରିବାର, ଆତ୍ମୀୟସ୍ବଜନ ଖୁବ ଖୁସି ଅଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତିରେ ପରିବାର ବର୍ଗ ସଂପୂର୍ଣ୍ଣ ସହଯୋଗ କରିଥିବା ସେ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଆଶିର୍ବାଦ  ଏବଂ ଦର୍ଶକଙ୍କ ଅନାବିଳ ସ୍ନେହ ଯୋଗୁଁ ଏହି ମହାନାଟକରେ ମହାନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ପାରୁଛି ବୋଲି କହିଛନ୍ତି ହୃଷିକେଶ ।

ହୃଷିକେଶଙ୍କ ଠାଣି ଓ ସଂଳାପ କହିବା ଶୈଳୀ ସର୍ବଦା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । ଚଳିତ ଧନୁଯାତ୍ରା ରେ ଦଶମ ଥର ପାଇଁ କଂସ ଭୂମିକାରେ ଅଭିନୟ କରୁଛନ୍ତି ହୃଷିକେଶ।  ଏଗାର ଦିନ ର ଯାତ୍ରାରେ ହୁଅନ୍ତି ମହାରାଜ କଂସ, ଯାହାଙ୍କ ଶାସନ ମଥୁରାରେ ଚାଲେ । ନେତା, ମନ୍ତ୍ରୀ ଅଥବା ବରିଷ୍ଠ ପ୍ରଶାସକ ଯିଏ ବି ନା ହୁଅନ୍ତୁ, ସମସ୍ତେ ତାଙ୍କ ଆଦେଶ ମାନିବାକୁ ବାଧ୍ୟ ।  ହୃଷିକେଶଙ୍କ  ଅଭିନୟକୁ ନେଇ ଦର୍ଶକ ମାନେ ବେଶ ପ୍ରଂଶସା କରିଥାନ୍ତି ।

ବାଲ୍ୟକାଳରୁ ଅଭିନୟ ପ୍ରତି ରୁଚି ରଖିଥିବା ହୃଷିକେଶ ନିଜ କର୍ମମୟ ଜୀବନ ସାଙ୍ଗକୁ ଅଭିନୟକୁ ଖୁବ ସୁନ୍ଦର ଭାବେ ପରିଚାଳନା କରିପାରିଛନ୍ତି ।

ଧୃବ କର୍ମୀ

Leave a Reply

Your email address will not be published.

Back to top button