ଜୀବନ ଯୁଦ୍ଧରେ ହାରିଗଲେ ଦୁତିକା

Spread the love

ନବରଙ୍ଗପୁର: ଜୀବନ ଯୁଦ୍ଧରେ ହାରିଗଲେ ଦୁତିକା। କାମ ଦେଲାନି ବିଜୁ ସ୍ୱାସ୍ଥ୍ୟ ବୀମାକାର୍ଡ । ମାତ୍ର ୧୫ ହଜାର ଟଙ୍କା ପାଇଁ ଚାଲିଗଲା ବହୁମୂଲ୍ୟ ଜୀବନ । ଟଙ୍କା ଦେଇପାରିଲେ ନାହିଁ ବୋଲି ଚିକିତ୍ସାର ଅଧାରୁ ଫେରେଇ ଦେଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ସ୍ୱାସ୍ଥ୍ୟ ବୀମା କାର୍ଡ ଥାଇ ମଧ୍ୟ ଚିକିତ୍ସା ସୁବିଧାରୁ ବଂଚିତ ହୋଇ ଶେଷରେ ଚାଲିଗଲା ଦୁତିକାଙ୍କ ଜୀବନ । ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କଣ୍ଟାସାରୁ ଗାଁରେ ।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାସାରୁ ଗାଁର ଜେମା ଯାନୀ ଓ ଚଂଚଳା ଯାନୀଙ୍କ ବଡ଼ଝିଅ ଦୁତିକା ଯାନୀ । ବିବାହର କିଛିଦିନ ପରେ ଡାହାଣ ପାର୍ଶ୍ଵ ଗାଲ ଅସ୍ୱାଭାବିକ ଭାବରେ ବଢିଥିଲା ଦୁତିକାଙ୍କ । ଦୁତିକାର ଅସୁସ୍ଥତାକୁ ଦେଖି ସ୍ୱାମୀ ତାଙ୍କୁ ମାଆ ଘରେ ଛାଡ଼ିଦେଇ ଚାଲିଗଲା। ପରିବାର ଲୋକେ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଦୁତିକାକୁ ଚିକିତ୍ସା ପାଇଁ ଆଣିଥିଲେ ।

ସେଠାରେ ଡାକ୍ତର କଟକ ନେବାପାଇଁ କହିବାରୁ ଅର୍ଥ ଅଭାବରୁ ଘରକୁ ନେଇ ଆସିଥିଲେ । ଏନେଇ ନକ୍ଷତ୍ର ନ୍ୟୁଜରେ ଖବର ପ୍ରସାରଣ ପରେ ଜିଲ୍ଲା ସ୍ଵାସ୍ଥ୍ୟବିଭାଗ ଦୁତିକାଙ୍କ ଘଟଣାରେ ତତ୍ପରତା ପ୍ରକାଶ କରିଛନ୍ତି । ବିଜୁସ୍ୱାସ୍ଥ୍ୟ କାର୍ଡ ଜରିଆରେ ଦୁତିକାଙ୍କୁ ବିଶାଖାପାଟଣାର ଏକ ଘରୋଇ ମେଡିକାଲକୁ ପଠାଯାଇଥିଲା। ସେଠାରେ ତାଙ୍କର ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରିବା ପରେ ୧୫ ହଜାର ଟଙ୍କା ଦେଲେ ଅସ୍ତ୍ରୋପଚାର ହେବ ବୋଲି କହିଥିଲେ । ପରିବାର ଟଙ୍କା ଯୋଗାଡ କରୁଥିବା ବେଳେ ଘରେ ଦୀପିକାଙ୍କ ମୃତ୍ୟୁ ହୋଇଯାଇଛି ।

ବହୁ କଷ୍ଟରେ ୧୫ ହଜାର ଟଙ୍କା ଯୋଗାଡ଼ କରି ଦୁତିକାଙ୍କୁ ବିଶାଖାପାଟଣା ନେବା ପାଇଁ ବାହାରିବା ସମୟରେ ଗାଲ ଫାଟି ଦୁତିକାଙ୍କ ମୃତ୍ୟୁ ହୋଇଯାଇଛି । ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇବି ଜୀବନ ବଂଚିପାରିଲାନାହିଁ। ଫଳରେ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନବରଙ୍ଗପୁର ଜିଲ୍ଲାରେ ଦୁତିକା ଭଳି ଅନେକ ଗରିବ ଲୋକ ଉପଯୁକ୍ତ ପରାମର୍ଶ ଏବଂ ଚିକିତ୍ସାରେ ଅବହେଳା ସହ ଅସଚେତନତା ଓ ଆର୍ଥିକ ଅଭାବ କାରଣରୁ ମୃତ୍ୟୁବରଣ କରୁଛନ୍ତି । ତେଣୁ  ଜିଲ୍ଲା ପ୍ରଶାସନ ଏଦିଗରେ ଦ୍ରୁଷ୍ଟି ଦେବାର ଆବଶ୍ୟକତା ରହିଛି।

 ରବି ପଟ୍ଟନାୟକ

Leave a Reply

Your email address will not be published. Required fields are marked *