ଅସୁରେଶ୍ଵରରେ ଫାଣ୍ଡି ଖୋଲିବା ପାଇଁ ଅହେତୁକ ବିଳମ୍ବ : ଆଇ.ଜି.ପି.ଙ୍କୁ ଭେଟିଲେ ବାସିନ୍ଦା

ସାଲେପୁର : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଅସୁରେଶ୍ଵର ଠାରେ ଏକ ନୂତନ ଫାଣ୍ଡି ଖୋଲିବା ପାଇଁ ୨୦୨୧ ମସିହାରେ ପୋଲିସ ବିଭାଗର ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସ୍ଥାନୀୟ ଅଂଚଳ ବାସିନ୍ଦା ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ । ଇତି ମଧ୍ୟରେ ୨୮ମାସ ବିତିଯାଇଥିଲେ ମଧ୍ୟ ଫାଣ୍ଡି ଖୋଲିବା ପାଇଁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ । ଫଳରେ ଦିନକୁ ଦିନ ଏ ଅଂଚଳରେ ଅପରାଧ ବଢିବାରେ ଲାଗିଥିବାରୁ ଜନସାଧାରଣରେ ଧନଜୀବନ ଓ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ଏଠାରେ କିଭଳି ଯଥାଶୀଘ୍ର ଏକ ଫାଣ୍ଡି ପ୍ରତିଷ୍ଠା କରାଯିବ ସେ ନେଇ ସ୍ଥାନୀୟ ଅଂଚଳର ବାସିନ୍ଦା ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କ ନିକଟରେ ଆବେଦନ କରିଥିଲା ବେଳେ କଟକସ୍ଥିତ ଆରକ୍ଷୀ ମହାନିରୀକ୍ଷକ(ଆଇ.ଜି.ପି.)ଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ସାକ୍ଷାତ କରି ପୁନର୍ବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ବ୍ଲକ ମଧ୍ୟରେ ଅସୁରେଶ୍ଵର ଏକ ପ୍ରମୁଖ ସ୍ଥାନ ହୋଇଥିବାରୁ ଏହାର ଚର୍ତୁପାର୍ଶ୍ଵରେ ଥିବା କଟିକଟା, କେଣ୍ଟାଳୋ, ତରତ, କେରିଲୋ, ଜମରା ଆଦି ପଂଚାୟତର ଲୋକମାନଙ୍କର ସୁବିଧା ଅସୁବିଧା ନିମନ୍ତେ ଏହା ଉପରେ ନିର୍ଭର କରିଥାଆନ୍ତି । ଅସୁରେଶ୍ଵର ଠାରେ ଏକ ବହୁ ପୁରାତନ ସରକାରୀ ହାଇସ୍କୁଲ, ଉପଡାକଘର, କଲେଜ, ବ୍ୟାଙ୍କ, ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଜଳସେଚନ କାର୍ଯ୍ୟାଳୟ, ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ସର୍ବୋପରି ଦୁଇଟି ପ୍ରସିଦ୍ଧ ଧର୍ମପୀଠ ଦଧିବାମନଜୀଉ ମନ୍ଦିର ଓ ରଘୁନାଥଜୀଉ ମନ୍ଦିର ଏବଂ ଏକ ମସଜିଦ୍ ଅବସ୍ଥିତ । ଏହାଛଡା ଏଠାରେ ଥିବା ବଜାରରେ ୩୦୦ ରୁ ଉର୍ଦ୍ଧ ବ୍ୟବସାୟୀ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲା ବେଳେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୋକ ଏଠାରେ ଚଳପ୍ରଚଳ ହୋଇଥାଆନ୍ତି । ଏହା ଯଦିଓ ନିଶ୍ଚିନ୍ତକୋଇଲି ଥାନା ଅଧିନରେ ରହିଛି ତଥାପି ଥାନାଠାରୁ ଏହାର ଦୂରତା ୧୧ କି.ମି.ରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାଯାଇଛି । ଏଠାରେ ଯଦି କୌଣସି ଅପ୍ରିତିକର ଘଟଣା ସୃଷ୍ଟି ହୁଏ ତାହାହେଲେ ପୋଲିସ ବହୁ ବିଳମ୍ବରେ ଏଠାରେ ପହଞ୍ଚୁଥିବାରୁ ଘଟଣାକୁ ଆୟତ କରିବା ସମ୍ଭବପର ହୁଏନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଅତୀତରେ ଏଠାରେ ଗୁଳିକାଣ୍ଡ, ବୋମା ବିସ୍ପୋରଣ, ଦୋକାନ ଓ ଅଫିସ ପୋଡି, ଲୁଟ୍, ଚୋରୀ, ଛିନ୍ତାଇ ଭଳି ଘଟଣା ଘଟିଥିଲା ବେଳେ ଚୋରାରେ ବ୍ୟାପକ ନିଶାଦ୍ରବ୍ୟ କାରବାର ମଧ୍ୟ ଚାଲିଛି । ଏହାଛଡା ପ୍ରତ୍ୟେକ ଦିନ ଦୁଇଟି ପ୍ରସିଦ୍ଧ ଧର୍ମପୀଠକୁ ବହୁ ମାନସିକଧାରୀ ଭକ୍ତମାନେ ଆସି ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ବିଭିନ୍ନ ସମୟରେ ବିଶୃଙ୍ଖଳିତ ପରିସ୍ଥିତି ଉପୁଜୁଛି । ଏଭଳି ଅପରାଧିକ କାର୍ଯ୍ୟକୁ ଆୟତ କରିବା ପାଇଁ ୨୦୧୮ ମସିହାରୁ ଏଠାରେ ଦୁଇ ଜଣ କନେଷ୍ଟବଳଙ୍କୁ ମଧ୍ୟ କାର୍ଯ୍ୟ କରିବା ପାଇଁ ଦାୟିତ୍ଵ ଦିଆଯାଇଥିଲା । ବର୍ତ୍ତମାନ ଏହାକୁ ବନ୍ଦ କରାଯାଇଛି । ଯାହାଦ୍ଵାରା ଏ ଅଂଚଳରେ ଅପରାଧିକ ମାମଲା ବଢି ଚାଲିଥିଲା ବେଳେ ଗତ ୧୫ ଦିନ ତଳେ ଏଠାରେ ଘଟିଥିବା ମାରପିଟ୍ ଓ ଦୁଷ୍କର୍ମ ଘଟଣାର ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଦ୍ୟାବଧି ପୋଲିସ କାହାରିକୁ ଗିରଫ କରି ନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ଅଂଚଳରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ଏକ ଫାଣ୍ଡି ନଚେତ୍ ବିଟ୍ ହାଉସ ଖୋଲିବା ପାଇଁ ସ୍ଥାନୀୟ ସରପଂଚ ଗୌତମୀ ଦାସ, ବରିଷ୍ଠ ନାଗରିକ ରାଜକୁମାର ବେହେରା, ନିରଞ୍ଜନ ସାହୁ, ସାମ୍ବାଦିକ ସୀତାନାଥ ସିଂ, ଯୁବନେତା ଅନନ୍ତ କୁମାର ଦାସ, ବିଦ୍ୟାଧର ଦାସ, ଗୋବିନ୍ଦ ପ୍ରସାଦ ସିଂ, ସଂଜୟ ବେହେରାଙ୍କ ସମେତ ଏ ଅଂଚଳ ବାସିନ୍ଦା ଆରକ୍ଷୀ ମହାନିରୀକ୍ଷକ ଆଶିଷ କୁମାର ସିଂଙ୍କ ନିକଟରେ ଦାବି କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *