Bhadrak

ସିଆରସିସି ନିଯୁକ୍ତିରେ ଅନିୟମିତତା, ଆମରଣ ଅନଶନ ନେଇ ଶିକ୍ଷକଙ୍କ ଚେତାବନୀ

ଭଦ୍ରକ : ଜିଲ୍ଲାରେ ଶନିବାର ଦିନ ୫୬ଜଣ ସିଆରସିସିଙ୍କୁ (ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ) ନୂଆ ନିଯୁକ୍ତି ଦିଆଯାଇଛି । ଏଥିପାଇଁ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟରେ ଜିଲ୍ଲା ଶିକ୍ଷାଧିକାରୀ ତଥା ଡିପିସିଙ୍କ ଅଧ୍ୟକ୍ଷତାରେ ଏକ କମିଟିର ବୈଠକ ବସିଥିଲା । ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଓ ବ୍ଲକ୍ ଶିକ୍ଷାଧିକାରୀମାନେ ଯୋଗ ଦେଇଥିଲେ । ୭ଟି ବ୍ଲକ୍‌ରେ ୫୬ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଅନୁଷ୍ଠିତ ବୈଠକରେ କାଉନ୍‌ସେଲିଂ କରାଯାଇ ପ୍ଲେସ୍‌ମେଣ୍ଟ କରାଯାଇଥିଲା । ତେବେ ମେଧା ତାଲିକାରେ ଥିବା ଶିକ୍ଷକମାନଙ୍କୁ ନିଯୁକ୍ତି ଦେବାରେ ସରକାରୀ ନୀତିନିୟମକୁ ଉଲ୍ଲଂଘନ କରିବା ସହ ମନ୍ଦ ଉଦ୍ଦେଶ୍ୟ ରଖି ପ୍ଲେସ୍‌ମେଣ୍ଟ କରାଯାଇଥିବାନେଇ  ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମେଧା ତାଲିକାରେ ସ୍ଥାନ ପାଇଥିବା ଶିକ୍ଷକମାନଙ୍କୁ ବୈଠକର ପୂର୍ବଦିନ ପତ୍ର ଦ୍ୱାରା ଜଣାଯାଇଥିଲା । ମେଧା ତାଲିକାକୁ ଜିଲାପାଳ ସ୍ୱୀକୃତି ପ୍ରଦାନ କରିବାର ୮ଦିନ ପରେ କାଉନସେଲିଂ ପାଇଁ ନିଯୁକ୍ତି ପ୍ରକ୍ରିୟା ବୈଠକ ବସିଥିଲା । ଜିଲା ଶିକ୍ଷାଧିକାରୀ ତଥା ଡିପିସି ଛୁଟିନେବା ଆଳରେ ଏହି ନିଯୁକ୍ତି ପ୍ରଦାନ କାର୍ଯ୍ୟକୁ ଜାଣିଶୁଣି ବିଳମ୍ବରେ କରାଇଥିଲେ ବୋଲି ଶିକ୍ଷକ ମହଲରେ ଅଭିଯୋଗ ହୋଇଛି । ଗତକାଲି ନିଯୁକ୍ତି ପ୍ରକ୍ରିୟା ବୈଠକରେ ଭଦ୍ରକ ବ୍ଲକ୍‌ରେ ମେଧା ତାଲିକାରେ ୧ନଂ ସ୍ଥାନରେ ଥିବା ଜ୍ୟୋତିର୍ମୟ ଅଗସ୍ତିଙ୍କୁ ଉପେକ୍ଷା କରି ୨ ଓ ୪ନଂ ସ୍ଥାନରେ ଥିବା ୨ ଜଣ ମହିଳାଙ୍କ ନିଜ ଇଚ୍ଛା ଅନୁସାରେ ପ୍ଲେସ୍‌ମେଣ୍ଟ କରିବା ଘଟଣା ନେଇ ଶ୍ରୀ ଅଗସ୍ତି ବୈଠକରେ ଅଭିଯୋଗ କରିବା ସହ ଯୁକ୍ତିତର୍କ ହୋଇଥିଲା । ଡିପିସିଙ୍କ ଠାରୁ ନ୍ୟାୟ ନମିଳିବା ପରେ ସିଆରସିସି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହେଇଥିବା ନେଇ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା କଥା ଅଗସ୍ତି କହିଛନ୍ତି । ସେହିପରି ତିହିଡି ବ୍ଲକ୍‌ରେ ଭାଗିରଥି ତ୍ରିପାଠୀଙ୍କୁ ଉପେକ୍ଷିତ କରିଥିବାର ଅଭିଯୋଗ କରିଛନ୍ତି । ଯଦି ନ୍ୟାୟ ନମିଳେ ତେବେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଅଗସ୍ତି ଚେତାବନୀ ଦେଇଛନ୍ତି । ତେବେ ଜିଲା ଶିକ୍ଷାଧିକାରୀ ତଥା ଡିପିସି ମିଶ୍ର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବାର ଦୃଢୋକ୍ତି ପ୍ରକାଶ କରିଥିଲେ । ଅପରପକ୍ଷରେ ସରକାରୀ ନିର୍ଦ୍ଦେଶନାମାରେ ଓପନ କାଉନସେଲିଂ ମାଧ୍ୟମରେ ମେରିଟ୍ ଲିଷ୍ଟରେ ପ୍ଲେସ୍‌ମେଣ୍ଟ ଦିଆଯିବାର ଲିଖିତ ନିର୍ଦ୍ଦେଶ ସ୍ପଷ୍ଟଭାବେ ଉଲ୍ଲେଖିତ ଥିଲେ ମଧ୍ୟ ଡିପିସି କିପରି ଏହାକୁ ଉଲ୍ଲଂଘନ କଲେ, ଏ ନେଇ ଶିକ୍ଷକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶଯୋଗ୍ୟ ଜିଲାର ୭ଟି ବ୍ଲକ୍‌ରେ ଥିବା ସିଆରସିସିଙ୍କ ନିଯୁକ୍ତି ୫ ବର୍ଷ ପୂରିଯାଇଥିବାରୁ ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁଯାୟୀ ନୂଆ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆବେଦନକାରୀମାନେ ଆଗରପଡା ସ୍ଥିତ ଡାଏଟ୍‌ରେ ଲିଖିତ ଓ ମୌଖିକ ପରୀକ୍ଷା ଦେଇଥିଲେ । ପରୀକ୍ଷା ଫଳ ପ୍ରକାଶ ପାଇବା ପାଇଁ ମେଧା ତାଲିକା ପ୍ରସ୍ତୁତ କରାଯାଇଥିଲା । ତେବେ ମେଧା ତାଲିକା ସଂପର୍କରେ ଆବେଦନକାରୀଙ୍କୁ ସମ୍ପୂର୍ଣ୍ଣ ଅନ୍ଧାରରେ ରଖାଯାଇଥିଲା । 

Related Articles

Leave a Reply

Your email address will not be published.

Back to top button