ନୂଆପଡ଼ା : ବଡ଼ପୁଅ ମାନସିକ ରୋଗୀ, ମଝିଆ ପୁଅକୁ ବ୍ରେନ ଟ୍ୟୁମର । ଚିକିତ୍ସା ପାଇଁ ଅର୍ଥ ବାଧକ । ଢୋକେ ପିଇ ଦଣ୍ଡେ ଜିଉଁଛନ୍ତି ଚାରି ପ୍ରାଣୀ କୁଟୁମ୍ବ । ଆହା ସାହା ହେବାକୁ କେହିନାହିଁ । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଂଚାୟତର ଚଉଁରା ଗ୍ରାମର କପୁର ବନଛୋର । ବୟସର ଅପରାହ୍ଣରେ ଠିଆ ହୋଇଥିବା ଏହି ମହିଳାଙ୍କ ଦୁଃଖ କହିଲେ ନସରେ ।ତିନି ତିନିଟି ପୁଅର ମାଆ ହୋଇ ମଧ୍ୟ ସେ ଆଜି ଅସହାୟ । କାରଣ ତାଙ୍କର ବଡ଼ ପୁଅ ମାନସିକ ରୋଗୀ ହୋଇଥିବା ବେଳେ ମଝିଆ ପୁଅକୁ ବ୍ରେନ ଟ୍ୟୁମର । ସାନ ପୁଅ ଦାଦନ ଗଲେ ପରିବାର ଚଳେ । କୋଡିଏ ବର୍ଷ ତଳେ ସ୍ୱାମୀ ଦନାର ବନଛୋରଙ୍କ ମୃତ୍ୟୁ ଘଟିଲା । ଦନାର ମଖାପଦର ପଂଚାୟତରେ ପିଅନ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ମୃତ୍ୟୁ ପରେ କପୁରଙ୍କୁ ସେହି ପଂଚାୟତରେ ସ୍ୱିପର ପଦବୀରେ ରଖାଯାଇଛି । ଦରମା ମାସକୁ ମାତ୍ର ସାଢ଼େ ଚାରିଶହ ଟଙ୍କା । ତାହା ପୁଣି ଦୁଇ ତିନି ବର୍ଷରେ ଥରେ ମିଳେ ।ମାସିକ ମିଳୁଥିବା ବିଧବା ଭତା ଓ କୋଡିଏ କିଲୋଗ୍ରାମ ରାସନ ହିଁ ଜୀବନ ଜିଇଁବାର ଏକମାତ୍ର ପନ୍ଥା ।କପୁରଙ୍କ ବଡ଼ପୁଅ ରୂପଧର ଜନ୍ମରୁ ମାନସିକ ରୋଗୀ ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଦେଖାଇଲେ ମଧ୍ୟ ସେ ଭଲ ହେଲେନି । ମଝିଆ ପୁଅ ଭୀମସେନ ଓ ସାନ ପୁଅ ପ୍ରଦୀପ କୁଳି ମଜୁରୀ କରି ପରିବାର ଚଳାଉଥିଲେ । କିନ୍ତୁ ଦଇବର ବିଧାନ ସେମାନଙ୍କ ପାଇଁ ଅଲଗା ଥିଲା ବୋଧହୁଏ । ଗତବର୍ଷ ଭୀମସେନଙ୍କ ମୁଣ୍ଡ ଭୀଷଣ ବ୍ୟଥା ହେବାକୁ ଲାଗିଲା । ତାଙ୍କୁ ଖଡ଼ିଆଳ ସ୍ଥିତ ମିଶନ ହସ୍ପିଟାଲରେ ଦେଖାଇବାରୁ ବ୍ରେନ ଟ୍ୟୁମର ହୋଇଥିବା ଜଣା ପଡିଲା ।ସେଠାରେ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଅନ୍ୟ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ କର୍ତୃପକ୍ଷ । ଅଭାବୀ କପୁରଙ୍କ ପାଇଁ ଲୁହ ଝରାଇବା ଛଡା ଅନ୍ୟ ଉପାୟ ନଥିଲା । କାରଣ ପୁଅକୁ ଚିକିତ୍ସା କରାଇବା ପାଇଁ ଫଟା ପାହୁଲା ଟାଏ ତାଙ୍କ ପାଖରେ ନଥିଲା । କିନ୍ତୁ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଲେ ଗ୍ରାମବାସୀ । ଗାଁ ଲୋକେ ଚାନ୍ଦା କରି ରାୟପୁର ସ୍ଥିତ ବାଲାଜି ହସ୍ପିଟାଲକୁ ଭୀମସେନକୁ ନେଇ ଭର୍ତି କରାଇଲେ । ସେଠାରେ ପନ୍ଦର ଦିନ ରହି ଅସ୍ତ୍ରୋପଚାର କରାଇ ଭଲ ଲାଗିବାରୁ ଘରକୁ ଫେରି ଆସିଲେ ।ପୁଣି ମଝିରେ ଦୁଇଥର ସେହି ହସ୍ପିଟାଲରେ ଦେଖାଇଲେଣି । ଏବେ ପୁଣି ତାଙ୍କୁ ଭୀଷଣ ଦରଦ ସହ ଦୁଇ ତିନି ଦିନରେ ସେ ସଂଜ୍ଞାହୀନ ହୋଇ ପଡୁଛନ୍ତି । କିନ୍ତୁ ଅର୍ଥ ଅଭାବରୁ ଚିକିତ୍ସା ପାଇଁ ଯାଇ ପାରୁ ନାହାନ୍ତି । କପୁରଙ୍କ ସାନ ପୁଅ ପରିବାର ଚଳାଇବା ପାଇଁ ବର୍ଷର ଅର୍ଦ୍ଧାଧିକ ସମୟ ଆନ୍ଧ୍ରପ୍ରଦେଶ ଦାଦନ ଯାଆନ୍ତି । କପୁରଙ୍କ ପରିବାର ପାଖରେ ସ୍ମାର୍ଟ କାର୍ଡ ଥିଲେ ମଧ୍ୟ ତାହା କେମିତି କାମ ଦ୍ୱେ ସେମାନେ ଜାଣି ନାହାନ୍ତି । ସେ ସ୍ୱିପର ଭାବରେ କାମ କରୁଥିଲେ ମଧ୍ୟ ଠିକ ସମୟରେ ପାଉଣା ପାଉ ନାହାଁନ୍ତି ।ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତି ପ୍ରଶାସନର ଏପରି ନୀତି ଅତୀବ ନିନ୍ଦନୀୟ । ତାଙ୍କୁ ଚିକିତ୍ସା ବ୍ୟବସ୍ଥା କରିବା ସହ ମାଆର ପଦବୀକୁ ନିୟମିତ କରିବାକୁ ଭୀମସେନ ଦାବି କରିଛନ୍ତି । ତାଙ୍କର ଚିକିତ୍ସା ବିଷୟରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଶ୍ରୀମାନ ସାହୁଙ୍କୁ ପଚାରିବାରୁ ସେ ନିଜେ ଯାଇ ତାଙ୍କୁ ଦେଖି ଆସିବେ ଓ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ନୂଆପଡ଼ା ପଠାଇ ଚିକିତ୍ସା ବ୍ୟବସ୍ଥା କରାଇବେ ବୋଲି କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now