କେନ୍ଦ୍ରାପଡା: ଜମୁଛି କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ । ଭଳିକି ଭଳି ଘର କରଣା ସାମଗ୍ରୀର ପସରା ଖୋଲିଛନ୍ତି ବ୍ୟବସାୟୀ। ଅତ୍ୟାବଶ୍ୟକ ଜିନିଷ କିଣିବା ସହିତ ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ ଲୋକମାନଙ୍କ ଉତ୍ସାହ ଦେଖିବାକୁ ମିଳୁଛି । ନତମାମ କିଣାବିକା ସାଙ୍ଗକୁ ସଂଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଛି ବାଲିଯାତ୍ରା ପଡିଆ ।
କେନ୍ଦ୍ରାପଡା ବାଲିଯାତ୍ରାରେ ଜମୁଛି ହଜାର ହଜାର ଦର୍ଶକଙ୍କ ଭିଡ । ଗୋବରୀ ନଦୀ କୂଳରେ ଆୟୋଜିତ ଏହି ବାଣିଜ୍ୟ ମେଳା ଉପଭୋଗ କରିବା ପାଇଁ ଲୋକମାନଙ୍କର ବେଶ ଆଗ୍ରହ ରହିଛି। ବାଲିଯାତ୍ରାର ଆକର୍ଷଣ ପାଲଟିଛି ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ। ଏବଂ ନିଜ ପସନ୍ଦର ଜିନିଷ ସବୁ ସଠିକ୍ ମୂଲ୍ୟରେ କିଣି ନେଉଛନ୍ତି ଲୋକେ । ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଏହି ମେଳାରେ ସାମିଲ ହୋଇଛନ୍ତି । ଝାଡ଼ୁ, କୁଲା, ଟୋକେଇ ଓ ବିଭିନ୍ନ ପ୍ରକାର କାଠରେ ନିର୍ମିତ ସାମଗ୍ରୀ ପ୍ରତି ଲୋକମାନଙ୍କର ବିଶେଷ ଚାହିଦା ରହିଛି । ସେହିପରି ମନୋହରୀ ସାମଗ୍ରୀ ପାଇଁ ଏଠାରେ ସ୍ଵତନ୍ତ୍ର ବଜାର ରହିଛି। ତେବେ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି ବିଭିନ୍ନ ପ୍ରକାର ଦୋଳି। ଯାହାର କି ମଜା ନେଉଛନ୍ତି ସବୁ ବର୍ଗର ଲୋକେ।
କେନ୍ଦ୍ରାପଡ଼ା ବାଲିଯାତ୍ରାରେ ଅନ୍ୟତମ ଆକର୍ଷଣ ହେଉଛି ଭଳିକି ଭଳି ସୁସ୍ବାଦୁ ଖାଦ୍ୟ । ବିଭିନ୍ନ ପାରମ୍ପରିକ ଖାଦ୍ୟ ସାଙ୍ଗକୁ ଆଧୁନିକ ଖାଦ୍ୟ ଷ୍ଟଲରେ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି। ଅନ୍ୟପକ୍ଷରେ ବାଲିଯାତ୍ରା ମଂଚରେ ପ୍ରତି ସଂଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଦର୍ଶକ । ଏହାସହ ସାହିତ୍ୟସଭା ଏବଂ କବିତା ଆସର ସାଙ୍ଗକୁ ପୁରସ୍କାର ବିତରଣ ଉତ୍ସବରେ ବହୁ ପ୍ରତିଭାବାନ ବ୍ୟକ୍ତି ଭାଗ ନେଉଛନ୍ତି । ଏହି ମଂଚରେ ବୁଦ୍ଧିଜୀବୀ ସମ୍ମଳନୀ ଆୟୋଜନ କରାଯାଇ ଜିଲ୍ଲାର ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରାଯାଉଛି ।
ସାତ ଦିନ ବ୍ୟାପୀ ହେବାକୁ ଥିବା କେନ୍ଦ୍ରାପଡ଼ା ବାଲିଯାତ୍ରାରେ ରାଜ୍ୟର କୋଣ ଅନୁକୋଣରୁ କଳାକାର ଓ ବ୍ୟବସାୟୀ ଯୋଗଦେଇଛନ୍ତି ।
ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now