ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ଆମ ସରକାର ଆସିବା ମାତ୍ରେ ପ୍ରଥମ ବଜେଟ୍ରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଆମ ରାଜ୍ୟ ପାଇଁ ଏକ ଐତିହାସିକ ଯୋଜନା ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତ୍ସ୍ୟ-ପ୍ରାଣୀ ସମାବେଶ, ଓଡ଼ିଶା- ୨୦୨୬ ଉଦ୍ଘାଟନ ଅବସରରେ କହିଛନ୍ତି । ଭୁବନେଶ୍ୱର ଜନତା ମୈଦାନ ଠାରେ ଆୟୋଜିତ ଏହି ତିନି ଦିନିଆ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟର ଚାଷୀମାନଙ୍କ ମଧ୍ୟରୁ ପ୍ରାୟ ୯୨ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆଗାମୀ ଦିନରେ ଜମି ହୋଲ୍ଡିଙ୍ଗ୍ ଆହୁରି କମିଯିବ । ତେଣୁ କୃଷି ସହିତ ମାଛ ଚାଷ, ଗୋ-ପାଳନ, ପ୍ରାଣୀ ପାଳନ କରିବା ଉଚିତ। ଏଥିପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ଆରମ୍ଭ କରାଯାଇଛି । ସେ କହିଥିଲେ ଆମ ସରକାର ୧୪୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି । ବିଗତ ଦେଢ଼ ବର୍ଷ ଭିତରେ ପୂର୍ବ ତୁଳନାରେ ରାଜ୍ୟରେ ୧.୩୫ ଲକ୍ଷ ଲିଟର ଅଧିକ ଦୁଗ୍ଧ ଉତ୍ପାଦନ ହେଉଛି । ଏହି ପରିମାଣକୁ ଆହୁରି ବୃଦ୍ଧି କରିବା ପାଇଁ ଆମେ ପ୍ରତିବଦ୍ଧତା ସହ କାମ କରୁଛୁ । ସେ ପୁଣି କହିଥିଲେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀମାନଙ୍କୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେଇ ଶଙ୍କର ଜାତୀୟ ଅଧିକ ଦୁଗ୍ଧ ପ୍ରଦାନକାରୀ ଗାଈ ଓ ମଇଁଷି ପାଳନ ପାଇଁ ଉତ୍ସାହିତ କରାଯାଉଛି । ଏହା ମାଧ୍ୟମରେ ୪.୭୩ ଲକ୍ଷ ହିତାଧିକାରୀଙ୍କୁ ୨୬୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିସହିତ ଦୁଗ୍ଧ ବ୍ୟବସାୟୀମାନଙ୍କ ପାଇଁ ଓମ୍ଫେଡ୍ ପକ୍ଷରୁ ଲିଟର ପିଛା ୨ ଟଙ୍କା ଅଧିକ ସହାୟତା ରାଶି ଦିଆଯାଉଛି । କେବଳ ମାଈ ବାଛୁରୀ ଜନ୍ମ ପାଇଁ ଲିଙ୍ଗ ନିରୂପିତ ଶୁକ୍ରାଣୁ ମାଧ୍ୟମରେ କୃତ୍ରିମ ପ୍ରଜନନ ଯୋଜନା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟର ୨.୩୦ ଲକ୍ଷ ଗୋ-ପାଳକ ଉପକୃତ ହୋଇଛନ୍ତି । ରାଜ୍ୟର ଚାଷୀମାନଙ୍କ ଆୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଆମର ସମୃଦ୍ଧ କୃଷକ ଯୋଜନା, ପିଏମ ଓ ସିଏମ କିଷାନ ଯୋଜନା ଏବଂ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଫଳରେ ଏବେ ଗୋଟିଏ କୃଷକ ପରିବାରର ଆୟ ବାର୍ଷିକ ୬୧,୦୦୦ ରୁ ବି ଅଧିକ ହୋଇପାରିଛି । ସେ ଆହୁରି କହିଥିଲେ ଯେ, ରାଜ୍ୟକୁ ମାଛ, ମାଂସ, କୁକଡ଼ା ମାଂସ, ଅଣ୍ଡା ଇତ୍ୟାଦିରେ ଆତ୍ମନିର୍ଭର କରିବା ପାଇଁ ଆମ ସରକାର ଦୃଢ଼ ସଂକଳ୍ପ କରିଛନ୍ତି । ଏବେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ଏକ ନମ୍ୱର ସ୍ଥାନ ହାସଲ କରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ଯୋଜନା କାର୍ଯ୍ୟକାରୀ ହେଉଛି । ଏଥି ସହିତ ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ ଓ କେଜ୍ କଲ୍ଚର୍ ମଧ୍ୟ ଆଦୃତି ଲାଭ କରିଛି । ଉପସ୍ଥିତ ପ୍ରାଣୀପାଳକ ମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାଣୀପାଳନ ଏକ ଲାଭଦାୟକ ବ୍ୟବସାୟ । ସରକାରଙ୍କ ପକ୍ଷରୁ ଋଣରେ ରିହାତି, ମାଗଣା ଟିକା ବ୍ୟବସ୍ଥା, ପ୍ରାଣୀ ସ୍ୱାସ୍ଥ୍ୟ ସେବା ଆଦି ଯୋଗାଇ ଦିଆଯାଉଛି । ତେଣୁ, ଛେଳି ଚାଷ, ଘୁଷୁରି ପାଳନ, କୁକୁଡ଼ା ପାଳନ ଓ ବତକ ପାଳନ ପରି ଲାଭଜନକ କୃଷି ବ୍ୟବସାୟ କରିବା ପାଇଁ କହିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ଅନୁଗୋଳର ଦିଲ୍ଲୀପ ପ୍ରଧାନଙ୍କୁ ଗୋପାଳରତ୍ନ ସମ୍ମାନ ଏବଂ ଯାଜପୁରର ସୁକାନ୍ତ କୁମାର ବିଶ୍ୱାଳଙ୍କୁ Native Breed Conservation Award ପ୍ରଦାନ କରିଥିଲେ ।ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ୬ ଜଣ ଏବଂ ପ୍ରାଣୀ ପାଳନ କ୍ଷେତ୍ରର ୬ ଜଣ ଶ୍ରେଷ୍ଠ ଚାଷୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଗୋରୁ ଚୋରାଚାଲାଣକାରୀଙ୍କୁ ସତର୍କ କରାଇ କହିଥିଲେ ଯେ, ଗୋମାତାଙ୍କ ଚୋରାଚାଲାଣ କାର୍ଯ୍ୟରୁ ବିରତ ରୁହନ୍ତୁ, ଅନ୍ୟଥା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ଆମ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରାଜ୍ୟରେ ଦୁଗ୍ଧ ବିପ୍ଲବରେ ଏକ ନୂଆ ଦିଗନ୍ତ ଆଣିଛି । ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେମାନଙ୍କର ସମୃଦ୍ଧି ଆଣିବା ପାଇଁ ଆମ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଚାଷୀମାନଙ୍କୁ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ର ସମ୍ପର୍କରେ ଅଧିକ ସଚେତନ କରିବା ଲକ୍ଷ୍ୟରେ ରାଜ୍ୟର ୩୧୪ ବ୍ଲକ୍ ଏବଂ ୩୦ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜନ ହୋଇଥିଲା । ଏ କ୍ଷେତ୍ରର ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ଠାରୁ ଆରମ୍ଭ କରି ଚାଷୀମାନଙ୍କୁ ସହାୟତା ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ଆଜି କେବଳ ଶସ୍ୟ ଉତ୍ପାଦନ ଭିତରେ ଆମ ଚାଷୀମାନେ ସୀମିତ ନାହାନ୍ତି । ଚାଷ ସହିତ ପ୍ରାଣିପାଳନ ଓ ମତ୍ସ୍ୟ ଚାଷ ଆଡ଼କୁ ଆମ ଚାଷ ପ୍ରଣାଳୀ ବିସ୍ତାରିତ ହେଲାଣି । ବିଗତ ୧୯ ମାସ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ଗୁଡ଼ିକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶର ସବୁଠାରୁ ଅଧିକ ପ୍ରସ୍ତାବ ରହିଥିଲା । ତେଣୁ ଏ କ୍ଷେତ୍ରର ବିକାଶ ପାଇଁ ଆମ ସରକାରଙ୍କ ତତ୍ପରତା ଅନୁମେୟ ।ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ଘୋଷଣା କରିଥିଲେ ଯେ, ଆଗାମୀ ଦିନରେ ଗୋ-ସମ୍ପଦ ଓ ଗୋ-ମାତାର ସୁରକ୍ଷା ପାଇଁ ରାଜ୍ୟରେ ଯେକୌଣସି ସ୍ଥାନରେ ଗୋଶାଳା ନିର୍ମାଣ ହେବ। ସେଥିପାଇଁ ରାଜସ୍ୱ ବିଭାଗ ଜମି ଯୋଗାଇଦେବ।କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାରୁ ବହୁ ସଂଖ୍ୟକ ମତ୍ସ୍ୟ ଚାଷୀ, ପ୍ରାଣୀ ପାଳକ, ଗବେଷକ, କୃଷି ବୈଜ୍ଞାନିକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲାମ୍ ଧନ୍ୟବାଦ ଅର୍ପଣ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now