ଶିବାନୀଙ୍କ ପାଇଁ ଏମକେସିଜି ଗୌରବମଣ୍ଡିତ

Spread the love

ବ୍ରହ୍ମପୁର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଆଉ ଏହି ସେବା ନିଷ୍ଠାପର ଭାବେ କରୁଥିବାରୁ ତାଙ୍କୁ ମିଳିଛି ସେବାର ଶ୍ରେଷ୍ଠ ସମ୍ମାନ । ସେ ହେଉଛନ୍ତି ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ନର୍ସ ଶିବାନୀ ଦାଶ । ନର୍ସ ଶିବାନୀଙ୍କୁ ମିଳିଛି ଫ୍ଲୋରେନ୍ସନାଇଟ୍‌ ଏଙ୍ଗେଲ ପୁରସ୍କାର । ଆଉ ଏହି ପୁରସ୍କାର ରାଷ୍ଟ୍ରପତି ନିଜେ ତାଙ୍କୁ ପ୍ରଦାନ କରିଛନ୍ତି । ପୁରସ୍କାର ପାଇ ବ୍ରହ୍ମପୁରକୁ ଫେରିବା ପରେ ତାଙ୍କ ସହକର୍ମୀଙ୍କ ଠାରୁ ଆରମ୍ଭ କରି ନର୍ସ ମାନଙ୍କ ମଧ୍ୟରେ ଉତ୍ସାହର ଦେଖାଦେଇଛି ।

ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଷ୍ଟାଫ୍ ନର୍ସ ଶିବାନୀ ଦାଶଙ୍କୁ ନେସନାଲ ଫ୍ଲୋରେନ୍ସ ନାଇଟ୍‌ଏଙ୍ଗେଲ୍‌ ପୁରସ୍କାର । ଗତ ୭ ତାରିଖରେ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିବାନୀଙ୍କୁ ଏହି ପୁରସ୍କାର ଦେଇଛନ୍ତି । ୨୦୦୭ ମସିହାରୁ ସେ  ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି । ଅସହାୟ ତଥା ଅସୁବିଧାରେ ପଡ଼ିଥିବା ରୋଗୀଙ୍କୁ ସେବା ଯୋଗାଇ ଦେବାରେ ସର୍ବଦା ଆଗରେ ରହୁଥିବା ଶିବାନୀ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ଶିବାନୀ କୋରୋନା ସମୟରେ ନିଜର ନିରନ୍ତର ସେବା ପାଇଁ ବେଶ ଚର୍ଚ୍ଚାରେ ରହି ଆସିଥିଲେ ।

ଶୀତଳାପଲ୍ଳୀ କୋଭିଡ଼ ହସ୍‌ପିଟାଲରେ ଦିନ ରାତି ଏକ କରି କୋଭିଡ଼ ରୋଗୀଙ୍କୁ ସେବା ଯୋଗାଇ ଦେଉଥିଲେ । ନିଜେ ସୁରକ୍ଷିତ ରହି ମହାମାରୀରେ ବି ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସହିତ ଅନେକ ରୋଗୀଙ୍କୁ ସୁସ୍ଥ ମଧ୍ୟ କରିଥିଲେ ସେ । ସେହିପରି ଏମକସିଜି ମେଡ଼ିକାଲର ବିଭିନ୍ନ ଓ୍ବାର୍ଡ଼ରେ ରହିଥିବା ଅସହାୟ ରୋଗୀଙ୍କୁ ଉଚିତ ଚିକିତ୍ସା ସେବା ଯୋଗାଇ ଦେଉଥିଲେ ସେ । ଏହି ପୁରସ୍କାର ମନୋବଳକୁ ଆହୁରି ଦୃଢ଼ କରିଛି । ଏଭଳି ସେବା ଚାକିରୀ ଜୀବନ ଶେଷ ହେବା ପରେ ମଧ୍ୟ ଲୋକଙ୍କୁ ଯୋଗାଇ ଆସୁଥିବି ବୋଲି କହିଛନ୍ତି ଶିବାନୀ ।

ଶିବାନୀ ଦିଲ୍ଲୀରୁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇବା ପରେ ସହକର୍ମୀ ଓ ଅନ୍ୟ ନର୍ସ ମାନେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କୋରୋନା ସମୟରେ ସେ ଯେଉଁଭଳି ଭାବେ ନିଜର ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରୁଥିଲେ ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ । ଏନେଇ ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ମଧ୍ୟ ପ୍ରଶଂସା ସାଉଁଟିଥିଲେ । ଶିବାନୀଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଏଭଳି ପୁରସ୍କାର ମିଳିବା କେବଳ ଯେ ଶିବାନୀଙ୍କ ପାଇଁ ଗର୍ବର କଥା ତାହା ନୁହେଁ । ବରଂ ଏମକେସିଜି ମେଡ଼ିକାଲ ଓ ନର୍ସ ମାନଙ୍କ ପାଇଁ ମଧ୍ୟ ଗର୍ବର କଥା । କାରଣ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ଏମକେସିଜି ମେଡ଼ିକାଲର ଇତିହାସରେ ପ୍ରଥମ । ଆଗାମୀ ଦିନରେ ଏଭଳି ସେବାରେ ସମ୍ମାନଜନକ ପୁରସ୍କାର ଅନେକ ନର୍ସ ପାଇବେ ବୋଲି ଆଶା ରଖାଯାଇଥିବା କହିଛନ୍ତି ମେଡ଼ିକାଲର ନର୍ସିଂ ଅଫିସର ।

ନର୍ସ ଶିବାନୀ ରାଷ୍ଟ୍ରପତିଙ୍କ ଠାରୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାରର ଶ୍ରେୟ ନିଜ ସହକର୍ମୀ, ନର୍ସିଂ ଅଫିସର, ମେଡିକାଲ କର୍ତ୍ତୃପକ୍ଷ ଓ ରୋଗୀ ମାନଙ୍କୁ ଦେଇଛନ୍ତି ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *