() ବିଧାୟକ ପାଣ୍ଠି ବୃଦ୍ଧି କର। ୩ କୋଟି ପାଉନି। ୫ କୋଟି କର। କେବଳ ଏତିକି ନୁହେଁ। ମନ୍ଦିର, ମସଜିଦ, ଗୀର୍ଜା, ଘର ଓ ପାଚେରୀ ତିଆରି ଲାଗି ବିଧାୟକ ପାଣ୍ଠିରୁ ଖର୍ଚ୍ଚ ଲାଗି ଥିବା ଆକଟକୁ ହଟାଅ। କିଛି ଏମିତି ବାଗରେ ଦଳମତ ନିର୍ବିଶେଷରେ ଗୃହରେ ଉଦବେଗ ପ୍ରକାଶ ପାଇଥିଲା। ଆଉ ଯୋଜନା ଓ ସଂଯୋଜନ ମନ୍ତ୍ରୀ ବି ଗୃହର ଉଦବେଗକୁ ଦେଖି ବିଧାୟକଙ୍କ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ ଲାଗି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ବୋଲି କଥା ଦେଇଛନ୍ତି।
ବିଧାୟକ ପାଣ୍ଠି ବୃଦ୍ଧି ଓ ବିଧାୟକ ପାଣ୍ଠି ଖର୍ଚ୍ଚ ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର ଲାଗି ଦଳମତ ନିର୍ବିଶେଷରେ ଗୋଟିଏ ସ୍ୱର ବିଧାନସଭାରେ। ପ୍ରଶ୍ନୋତ୍ତର କାଳରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ବିଧାୟକ ପାଣ୍ଠି ଖର୍ଚ୍ଚ ଉପରେ ଆକଟକୁ ନେଇ ଆଗ ଉଠାଇଥିଲେ ଆପତ୍ତି। କାହିଁକି ମନ୍ଦିର, ମସଜିଦ୍, ଗୀର୍ଜା ଘର ଓ ପାଚେରୀ ତିଆରି ପାଇଁ ବିଧାୟକ ପାଣ୍ଠିରୁ ଖର୍ଚ୍ଚ ଲାଗି ଆକଟ ହୋଇଛି। ଯଦି ଏମିତି ଆକଟ ରହିଛି। ତା ହେଲେ ନୂଆ ମନ୍ଦିର,ମସଜିଦ୍, ଗୀର୍ଜା ତିଆରି ପାଇଁ ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା ହେଉ। ବିଧାୟକ ପାଣ୍ଠି ୩ କୋଟି ପାଉନି। ସେଥିଲାଗି ୫ କୋଟି କରାଯାଉ। ରଘୁଙ୍କ ସ୍ୱରରେ ସ୍ୱର ମିଳାଇଥିଲେ ବିଧାୟକ ଅରବିନ୍ଦ ଢାଲି। ବିଜେପି ବିଧାୟକ ନାଉରୀ ନାୟକ କହିଥିଲେ କି, ବିଡିଓ ବି ମନ୍ଦିରର ପୁନରୁଦ୍ଧାର ପାଇଁ ବି ଅନୁମତି ଦେଉନାହାନ୍ତି। ଫାଇଲରେ ମନ୍ଦିର ନାଁ ଦେଖିବା ମାତ୍ରେ କାଟି ଦେଉଛନ୍ତି। ଏପରିକି ଅନ୍ୟ ପାଣ୍ଠିରୁ ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ପାଣ୍ଠିରୁ ଅନୁମତି ଦିଅନ୍ତୁ ସରକାର। ସେପଟେ ବିଭାଗୀୟ ମନ୍ତ୍ରୀ ଗୃହକୁ ଆଶ୍ୱସ୍ତ କରିଛନ୍ତି ଯେ, ପାଣ୍ଠି ବୃଦ୍ଧି ନେଇ ଗୃହର ଉଦବେଗ ଜାଣିପାରୁଛି। ପାଣ୍ଠି ଉପରେ ଲାଗିଥିବା ଆକଟର ସଂଶୋଧନ ଲାଗି ବି ଏ ସଂକ୍ରାନ୍ତୀୟ ପ୍ରସ୍ତାବ ସେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇବେ।
ତେବେ ବିଧାୟକ ପାଣ୍ଠିକୁ ନେଇ ଆଲୋଚନା ଚାଲିଥିଲା ବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚାରିବାକୁ ସୁଯୋଗ ମିଳିନଥିଲା। ବାଚସ୍ପତି ପକ୍ଷପାତିତା କରୁଥିବାର ଆରୋପ ଆଣି କକ୍ଷତ୍ୟାଗ କରିଥିଲେ ପ୍ରଦୀପ। ଆଉ ସଙ୍ଗୀନ ଅଭିଯୋଗ ଆଣିଥିଲେ ଯେ, ତାଙ୍କ ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରେଇ ନ ଦେବାକୁ ଉପରୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।
ସେପଟେ ବିଧାୟକ ପାଣ୍ଠିକୁ ଘରୋଇ ସ୍କୁଲର ବିକାଶରେ ବି ଲଗାଇବାକୁ ସରକାର ଅନୁମତି ଦିଅନ୍ତୁ ବୋଲି ଅନେକ ସଦସ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଉ ମନ୍ତ୍ରୀ କହିଛନ୍ତି, ଏ ଦିଗରେ ଗାଇଡଲାଇନରେ କି ଆବଶ୍ୟକୀୟ ସଂଶୋଧନ ହୋଇପାରିବ, ତାକୁ ନେଇ ସେ ବିଭାଗ ସହ ତର୍ଜମା କରିବେ।
ବିଧାୟକ ପାଣ୍ଠି ବୃଦ୍ଧି ସହ ବିଧାୟକ ପାଣ୍ଠି ଖର୍ଚ୍ଚ ଉପରେ ଲାଗିଥିବା କିଛି କଟକଣାକୁ ଉଠାଇବାକୁ ଦଳମତ ନିର୍ବିଶେଷରେ ଗୃହରେ ଉଠିଛି ସ୍ୱର।
ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now