ଅପରାଧଓଡ଼ିଶାରାଜନୀତି

ନବ ଦାସ ହତ୍ୟା ପଛରେ ଉପକୂଳିଆ ନେତା!

() ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଥମୁନାହିଁ ରାଜନୈତିକ ବୟାନବାଜି । ହତ୍ୟାକାଣ୍ଡ ପଛରେ ବିଜେଡିର ଉପକୂଳିଆ ନେତାଙ୍କ ହାତ ଥିବା ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କଲା ବିଜେପି। ଏପଟେ କଂଗ୍ରେସ ମଧ୍ୟ କେବଳ ଖାତା କଲମରେ ତଦନ୍ତ ଚାଲିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ହେଲେ ହତ୍ୟାକାଣ୍ଡକୁ ନେଇ ରାଜନୀତି କରିବାକୁ ନାପସନ୍ଦ କରିଛି ବିଜେଡି ।

ନବ ଦାସ ହତ୍ୟା ପଛରେ ଉପକୂଳିଆ ନେତା! ବିଜେଡି ପାଇଁ ନବ ଦାସ ଥିଲେ କଣ୍ଟା! ଏହା ବିଜନେସ ପଲିଟିକାଲ ମର୍ଡର କହି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ବିଧାୟକ। ଏପଟେ ବଡ ବଡିଆଙ୍କ ସଂପୃକ୍ତି ଯୋଗୁଁ ତଦନ୍ତ ବାଟବଣା ହେଉଛି କହିଲା କଂଗ୍ରେସ । ତଦନ୍ତର ଆଳ ଦେଖାଇ ପ୍ରଶ୍ନକୁ ଏଡାଇ ଗଲା ଶାସକ ଦଳ । ଦିନ ଯେତିକି ଗଡୁଛି ନବ ଦାସ ହତ୍ୟାକାଣ୍ଡକୁ ନେଇ ବିବାଦ ସେତିକି ବଢୁଛି । ଏଭିତରେ ବିରୋଧୀ ଶିବିରରୁ ବହୁ ସଂଘାତିକ ଅଭିଯୋଗ ଶୁଣିବାକୁ ମିଳୁଛି ।

ନବ ଦାସଙ୍କ ହତ୍ୟା ଷଡଯନ୍ତ୍ର ପଛରେ ବିଜେଡିର ଉପକୂଳିଆ ନେତାଙ୍କ ହାତ ଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ। ନବଙ୍କୁ ବିଜନେସ ପାଇଁ ପଲିଟିକାଲ ମର୍ଡର କରାଯାଇଥିବା ସେ କହିଛନ୍ତି । ନବ ଦାସ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ । ତେଣୁ ତାଙ୍କ ସାମ୍ରାଜ୍ୟକୁ ଖତମ କରି ସେଠାରୁ ଟଙ୍କା କଲେକସନ ପାଇଁ ଏହି ହତ୍ୟାକାଣ୍ଡ କରାଯାଇଛି। ଗୋପାଳ ଦାସଙ୍କୁ କିଏ ମୋହରା କରିଛି ତାହାର ସିବିଆଇ ତଦନ୍ତ ଦାବୀ କରିଛନ୍ତି ସୁବାଷ। ଏପଟେ କଂଗ୍ରେସ ମଧ୍ୟ ହତ୍ୟାକାଣ୍ଡ ପଛରେ ବଡ ଷଡଯନ୍ତ୍ର ଥିବା କଥାକୁ ଦୋହରାଇଛି । ଏହାସହ ତଦନ୍ତ କେବଳ କାଗଜ କଲମରେ ହେଉଥିବା ଅଭିଯୋଗ ଅଣିଛି ଦଳ।

ଏପଟେ ବିଜେଡି କହିଛି ନବ ଦାସଙ୍କ ବିୟୋଗ ଦଳ ପାଇଁ ବଡ କ୍ଷତି । ସେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ । ହେଲେ ବିରୋଧି ତାଙ୍କ ମୃତ୍ୟୁକୁ ନେଇ ରାଜନୀତି ନ କରନ୍ତୁ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ।

ତେବେ ଗୋଟେ ପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଅନ୍ୟପଟେ ତଦନ୍ତ ପ୍ରକ୍ରିୟାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହେବାକୁ ଲାଗିଛି । ତେବେ ଆଗକୁ ତଦନ୍ତର ଦିଗ କେଉଁଆଡେ ଯିବ ତାହାରି ଉପରେ ସଭିଙ୍କ ନଜର ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button