() ଖୋଲୁନି ନବ ଦାସଙ୍କ ମର୍ଡ଼ର ମିଷ୍ଟ୍ରୀ l ଘଟଣାକୁ 5 ଦିନ ବିତି ଯାଇଥିଲେ ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କ ହାତ ଖାଲି l କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ଗୋପାଳର ଭଡା ଘରେ ତଦନ୍ତ କରିଥିବା ବେଳେ ଅନ୍ୟ ଏକ ଟିମ ବ୍ରହ୍ମପୁରରେ ତନାଘନା କରିଛି । ଅନ୍ୟପଟେ ଏନେଇ ଆଜି ମୁହଁ ଖୋଲିଛନ୍ତି ପୋଲିସ ଡିଜି l କ୍ରାଇମବ୍ରାଞ୍ଚ ଡିଜି ଅରୁଣ ବୋଥ୍ରାଙ୍କ ପ୍ରଶଂସା କରିବା ସହ କହିଛନ୍ତି ଜଗନ୍ନାଥ ହିଁ ଜାଣିଛନ୍ତି କାହା ମନରେ କଣ ଅଛି l
ନବ ଦାସଙ୍କୁ ଗୁଳିମାଡ଼ ଘଟଣାର ମିଳୁନି କାରଣ l ଏଏସଆଇ ଗୋପାଳ ଦାସଙ୍କ ଏହି ହତ୍ୟାକାଣ୍ଡ ପଛରେ କଣ ରହିଛି କାରଣ ତାର ଟେର ପାଉନି କ୍ରାଇମବ୍ରାଞ୍ଚ ପୋଲିସ l କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ ଓରିଏଣ୍ଟ ଥାନା ଅନ୍ତର୍ଗତ ବୁଢ଼ୀଜାମ ସ୍ଥିତ ତାଙ୍କର MCL କ୍ବାଟରକୁ ଆସି ଖୋଳତାଡ଼ ଆରମ୍ଭ କରିଛି । ଏଠାକୁ ଗୋପାଳକୁ ଆଣି ଅଧିକ ସୁରାକ ପାଇଁ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସେପଟେ କ୍ରାଇମବ୍ରାଞ୍ଚର 4 ଜଣିଆ ଟିମ ବ୍ରହ୍ମପୁର ବସ ଷ୍ଟାଣ୍ଡରେ ଛାନଭିନ କରିଛନ୍ତି । କ୍ରାଇମବ୍ରାଞ୍ଚ ଟିମ ୩ଟି ବସର 9 ଜଣ କର୍ମଚାରୀଙ୍କୁ ଜେରା କରିଥିବା ସୂଚନା ରହିଛି । ଗୋପାଳ ଦାସଙ୍କ ପାଇଁ ପରିବାର ଲୋକେ ବ୍ରହ୍ମପୁରରୁ ଝାରସୁଗୁଡା, ଏବଂ ବ୍ରହ୍ମପୁର ଠାରୁ ବନ୍ଧମାଳ ଯାଉଥିବା 4ଟି ବସରେ ମେଡ଼ିସିନ ପଠାଉଥିବା କହିଥିଲେ । ଏହାକୁ ଆଧାର କରି ବସ ଡ୍ରାଇଭର, ହେଲ୍ପର ସମେତ 9 ଜଣଙ୍କୁ ପଚରାଉଚରା ଚାଲିଛି ।
ଅନ୍ୟପଟେ ଘଟଣାର ୫ଦିନ ପରେ ମୁହଁ ଖୋଲିଛନ୍ତି ଡିଜି ସୁନୀଲ ବଂଶଲ l ତଦନ୍ତ ଚାଲିଛି ଏବଂ ସମ୍ପୂର୍ଣ ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ଉପରୁ ପର୍ଦା ଉଠିବ l ବିନା କୌଣସି ପ୍ରମାଣରେ କୌଣସି ନିଷ୍କର୍ସକୁ ଯାଇହବନି ବୋଲି କହିଛନ୍ତି ପୋଲିସ ଡିଜି l PSOଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l spg ସହ ଯୋଗାଯୋଗ କରି ଏହାର ସୁରକ୍ଷା ବ୍ୟବସ୍ଥା ଓଡ଼ିଶାରେ ଫଲୋ କରାଯିବ । ଯେଭଳି ଏ ଘଟଣାର ଆଉ ପୁନରାବୃତ୍ତି ହେବନି l କିଛି ତଥ୍ୟ ଆସୁଛି, ପୁରା ସତ ଆସିବାକୁ ସମୟ ଲାଗିବ l କେନ୍ଦ୍ର ଗୃହ ବିଭାଗ ସହ ଯୋଗାଯୋଗ କରି ସେଣ୍ଟ୍ରାଲ ଫରେନସିକ ଟିମର ସାହାଯ୍ୟ ନିଆଯାଉଛି l କେନ୍ଦ୍ର ଗୃହ ବିଭାଗର କୌଣସି ସାହାଯ୍ୟ ଦରକାର ପଡିଲେ ନିଆଯିବ l ଘଟଣା ଦିନ ମନ୍ତ୍ରୀଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଦିଆଯାଇଥିଲା l ତେବେ ଜଗନ୍ନାଥଙ୍କ ଛଡା କେହି ଜାଣିପାରିବେନି କାହା ମୋଟିଭ କଣ ବୋଲି ପ୍ରତିକ୍ରିୟା ରଖିଛନ୍ତି ଡିଜି। ନବ ଦାସଙ୍କ ଉପରେ ଗୁଳିମାଡ଼ ଘଟଣାରେ ପୋଲିସର ତଦନ୍ତ ଠିକ ରୂପେ ଚାଲିବ ବୋଲି ଆଶାବାଦୀ ଅଛନ୍ତି ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ l
କେବେ ଖୋଲିବ ନବ ଦାସଙ୍କ ହତ୍ୟାକାଣ୍ଡ ଉପରୁ ପର୍ଦା? ଦିନ ବିତୁଛି,ତଦନ୍ତ ଚାଲିଛି… ହେଲେ ମିଳୁନି ସ୍ପଷ୍ଟ କାରଣ । ପ୍ରମାଣ ମିଳୁନି ନା ଜାଣିଶୁଣି ପ୍ରମାଣ ରଖା ଯାଇନି ? ମାନସିକ ସ୍ତରରେ ଦୁର୍ବଳ ଥିବା ବ୍ୟକ୍ତି କିଭଳି ଏ କାଣ୍ଡ ଘଟାଇଲା ତାହା ଉପରୁ କେବେ ପର୍ଦା ଉଠାଇବ କ୍ରାଇମବ୍ରାଞ୍ଚ l
ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now