ଅବିଭାଗିକୃତ

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟରେ ଡବଲ୍ ଇଂଜିନ ସରକାର ପାଇଁ ୧ କୋଟି ପରିବାରକୁ ଭେଟିବେ ୫ ଲକ୍ଷ କାର୍ଯ୍ୟକର୍ତା

ଭୁବନେଶ୍ୱର : ମୋଦି ସରକାରର ୯ ବର୍ଷ ପୂର୍ତି ଉପଲକ୍ଷେ ବିଜେପି  ପକ୍ଷରୁ ମାସେ ବ୍ୟାପି  ମହାଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହେବ । ଏହି କ୍ରମରେ ବିଜେପି ଓଡ଼ିଶାରେ ୧ କୋଟି ପରିବାରଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରହିଛି । ଓଡ଼ିଶାରେ ୪ଟି ମହାସମାବେଶ ହେବ । ଏଥିରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଶ୍ରୀ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ସଭାପତି  ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ଦେଶକ୍ରମେ ଆଜି ମେ ୩୧ ରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଆଜମେରଠାରେ ମହାର‌୍ୟାଲି କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ ଟି ମହାର‌୍ୟାଲିର ଆୟୋଜନ କରାଯିବ । କେନ୍ଦ୍ରର ଶୀର୍ଷ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ । ଏହି କ୍ରମରେ ଓଡିଶାରେ ୪ ଟି ମହାସଭା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ । ଏଥି ସହ ରାଜ୍ୟରେ ୧୦୦୦ ରୁ ଉର୍ଦ୍ଧ୍ୱ ଜନସଭା ଅନୁଷ୍ଠିତ ହେବ । ରାଜ୍ୟରେ ଡବଲ୍ ଇଂଜିନ ସରକାର ପାଇଁ ୧ କୋଟି ପରିବାରକୁ ସମସ୍ତ ୩୭୬୦୬ ବୁଥ୍‌ର ୫ ଲକ୍ଷ କାର୍ଯ୍ୟକର୍ତା ଭେଟି ମୋଦି ସରକାରଙ୍କ ସଫଳତା ବିଷୟରେ ଚର୍ଚ୍ଚା କରିବେ ବୋଲି ଶ୍ରୀ ସାମଲ କହିଛନ୍ତି ।

ରାଜ୍ୟରେ ମହା ଜନସଂପର୍କ ଅଭିଯାନକୁ ସଫଳ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଆବାହକତ୍ୱରେ ଏକ ରାଜ୍ୟ କମିଟି ଗଠନ କରାଯାଇଛି । ଭାରତୀୟ ଜନତା ପାର୍ଟୀ ୫୪୩ ଲୋକସଭା କ୍ଷେତ୍ରକୁ ୧୪୪ଟି କ୍ଲଷ୍ଟରରେ ବିଭକ୍ତ କରିଛି । ପ୍ରତ୍ୟେକ କ୍ଲଷ୍ଟରରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ ନେତୃବୃନ୍ଦ ୮ ଦିନ ବିତାଇବେ । ଆମ ଓଡିଶା ରାଜ୍ୟରେ ୨୧ଟି ଲୋକସଭା କ୍ଷେତ୍ରକୁ ସମୁଦାୟ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟଙ୍କ ସମେତ ଓଡିଶାର ୩ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶର ଟୁଡୁ ପ୍ରମୁଖ ଏହି ମହା ଜନସଂପର୍କ ଅଭିଯାନରେ ସାମିଲ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି ।

୯ ବର୍ଷର ସଫଳତାକୁ ନେଇ ପାର୍ଟୀ ତରଫର୍‌ୁ ଏକ ୱେବସାଇଟ ୯ଚ୍ଚରବକ୍ସଗ୍ଦକ୍ଟଲଗ୍ଦରଙ୍ଖବ.ଭହକ୍ଟ୍ର.କ୍ଟକ୍ସଶ ଲଂଚ୍ କରାଯାଇଛି । ଜନସଂପର୍କ ଏବଂ ଜନତାଙ୍କଠାରୁ ସମର୍ଥନ ପାଇଁ ଭାରତୀୟ ଜନତା ପାର୍ଟୀ ଏକ ମିସ୍‌ଡ କଲ୍ ନମ୍ବର ୯୦୯୦୯୦୨୦୨୪ ଲଂଚ କରାଯାଇଛି । ଅଭିଯାନ ଅବସରରେ ୨୧ ଜୁନ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥଳରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ । ଜୁନ୍ ୨୩ ତାରିଖ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟ ତିଥି ଦିବସରେ  ନରେନ୍ଦ୍ର ମୋଦି ଡିଜିଟାଲ ର‌୍ୟାଲି ମାଧ୍ୟମରେ ଦେଶର ୧୦ ଲକ୍ଷ ବୁଥ୍ ରେ ସମର୍ଥକ, ସମାଜରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ପାର୍ଟୀ କାର୍ଯ୍ୟକର୍ତାଙ୍କ ସହ ସିଧାସଳଖ କଥାବାର୍ତା ଓ ସଂପର୍କ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ମହା ଜନସଂପର୍କ ଅଭିଯାନର ରାଜ୍ୟ ସଂଯୋଜକ ତଥା ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଶାରଦା ଶତପଥୀ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button