ନୂଆ ରୂପ ନେଉଛି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ, କାମ ସମୀକ୍ଷା କଲେ ୫-ଟି ସଚିବ  

Spread the love

ଭୁବନେଶ୍ୱର : ୫-ଟି ଉପକ୍ରମରେ ବରମୁଣ୍ଡା ବସ୍ ଟର୍ମିନାଲର ହେଉଛି ରୂପାନ୍ତର । ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ସ୍ଥାନୀୟ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ପହଂଚି ଥିଲେ । ନିର୍ମାଣସ୍ଥଳ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ପୁରା ନିର୍ମାଣ କାମର ଏକ ଭିଡିଓ ପ୍ରେଜେେଂଟସନ ଦେଖି ଆଲୋଚନା କରିଥିଲେ । ସମୀକ୍ଷାରୁ ଜଣାଯାଇଛି, ଯେ ପ୍ରକଳ୍ପର ୮୫ ପ୍ରତିଶତ କାମ ଶେଷ ହୋଇସାରିଛି । ଜୁନ୍ ମାସ ଶେଷ ସୁଦ୍ଧା ସିଭିଲ୍ କାମ ସରିବ ବୋଲି ଜଣାଯାଇଛି । ଜୁଲାଇ ମାସ ସୁଦ୍ଧା ପୁରା ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ବରମୁଣ୍ଡା ବସ୍ ଟର୍ମିନାଲ ହେଉଛି ରାଜଧାନୀ ଭୁବନେଶ୍ୱରରେ ଓଡିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାନ୍‌ଜିଟ୍ ସିଷ୍ଟମ । ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ଦୈନିକ ୨ ହଜାର ବସ୍ ଚଳାଚଳ କରିପାରିବ । ୧୧ ଏକର ପରିମିତ ଅଂଚଳରେ ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କରାଯାଉଥିବା ବେଳେ ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ଆଉ ୪ ଏକର ଜମି ଅଛି । ଏଥିରେ ଫୁଡକୋର୍ଟ, ଏସ୍କାଭେଟର, ଏଲିଭେଟର, ବହୁତଳୀୟ କାର ପାର୍କିଂ ବ୍ୟବସ୍ଥା, ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ ପିକ୍ ଅପ୍ ଓ  ଡ୍ରପ୍ ଅଫ୍ ବ୍ୟବସ୍ଥା ରହିବ । ଏହା ସହିତ ପ୍ରିପେଡ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ । ସମ୍ପୂର୍ଣ୍ଣ ଟର୍ମିନାଲକୁ ସୌରଶକ୍ତି ଦ୍ୱାରା ପରିଚାଳିତ କରାଯିବ । ଏଥିରେ ୱାଇ ଫାଇ ସହିତ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ମଧ୍ୟ କରାଯାଉଛି । ଏତତ୍‌ବ୍ୟତିତ ଯାତ୍ରୀମାନଙ୍କ ସୁବିଧା ପାଇଁ ସେଠାରେ ଆହାର ପ୍ଲସ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ବସ୍ ଟର୍ମିନାଲର ରୂପାନ୍ତର ପାଇଁ ସ୍ଥାନାନ୍ତରିତ ହୋଇଥିବା ଭେଣ୍ଡରମାନଙ୍କ ଥଇଥାନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।

ଏଠାରୁ ଦେଶର ବିଭିନ୍ନ ସ୍ଥାନ ଯଥା – ବିଶାଖାପାଟନା, ହାଇଦ୍ରାବାଦ,ରାୟପୁର, ରାଂଚି, କୋଲକତା ଓ ବେଙ୍ଗାଲୁର ସମେତ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବସ୍ ଚଳାଚଳ କରାଯିବ । ଏହି ସମୀକ୍ଷା ସମୟରେ ପରିବହନ କମିଶନର ଅମିତାଭ ଠାକୁର, ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ବିଏମସି କମିଶନର ବିଜୟ ଅମୃତରାଜ କୁଲାଙ୍ଗେ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *