
ନୂଆପଡା: ଗୁରୁବାର ଦିନ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗଦୀଶ ଆଜି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ଦୀର୍ଘଦିନ ହେଲା ଜମି ବିକ୍ରି ମାମଲାରେ ତହସିଲ ଅଫିସକୁ ଧାଇଁ ନିରାଶ ହେବା ପରେ ଗତକାଲି ମଧ୍ୟାହ୍ନ ୧ଟା ବେଳେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ବୁର୍ଲା ହସ୍ପିଟାଲରେ ମୃତବରଣ କରିଛନ୍ତି ।
ଜଗଦୀଶଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ତହସିଲଦାରକୁ ଦାୟୀ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦୁଇ ବର୍ଷ ହେବ ଜଗଦୀଶ ଏକ ଜମି ବିକ୍ରି ମାମଲାକୁ ନେଇ ତହସିଲ ଅଫିସ ଦୌଡୁଥିଲେ କିନ୍ତୁ ତହସିଲ ବାବୁ ତାଙ୍କ କାର୍ଯ୍ୟ ନକରି ବାରମ୍ବାର ତାଙ୍କୁ ଅନ୍ୟ ମାନଙ୍କ ଆଗରେ ଅପମାନିତ କରୁଥିଲେ । ଏହାକୁ ନେଇ କାମ ନହେଲେ ଜଗଦୀଶ ଆତ୍ମହତ୍ୟା ଚେତାବନୀ ମଧ୍ୟ ଦେଇଥିଲେ। କିନ୍ତୁ ତାଙ୍କ କଥା ଶୁଣାଯାଇନଥିଲା ଓ ବାଧ୍ୟ ହୋଇ ଆତ୍ମହତ୍ୟାକୁ ଆପଣେଇ ନେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପରିବାର ଲୋକଙ୍କ ଅଭିଯୋକକ୍ରମେ ପୋଲିସ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ନୂଆପଡା ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ତହସିଲଦାରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଜଗଦୀଶକୁ ଜାଣି ନଥିବା କଥା କହିଛନ୍ତି ଏବଂ ସେ କଣ ପାଇଁ ଅଫିସ ଆସୁଥିଲେ ସେ ତାହା ବି ଜାଣିନାହାନ୍ତି ବୋଲି ତହସିଲ କହିଛନ୍ତି ।