ଓଡ଼ିଶା

ବୈତରଣୀ ନଦୀ ବାଲି ମାଫିଆଙ୍କ ପାଇଁ ଭୂସ୍ବର୍ଗ

ଭଣ୍ଡାରିପୋଖରୀ:  ବୈତରଣୀ ନଦୀ ବାଲି ମାଫିଆଙ୍କ ପାଇଁ ପାଲଟିଛି ଭୁ ସ୍ୱର୍ଗ । ପ୍ରତ୍ୟେକ ଦିନ ବେଧଡକ ଭାବେ ଚାଲିଛି ଚୋରା ବାଲି ଚାଲାଣ । ଯଦି ଏଭଳି ସ୍ଥିତି ଲାଗି ରୁହେ ବୈତରଣୀ ନଦୀ ତାର ଗତିପଥ ବଦଳାଇବା ସହ ଗାଁ ମୁହାଁ ହେବ। ଯେଉଁଥି ପାଇଁ ବିପଦ ରେ ପଡିବେ ଗାଁ ଲୋକେ । ବାଲି ଚୋରା ଚାଲାଣ ପ୍ରଶାସନ ଆଖି ଆଗରେ ଚାଲୁଥିବା ବେଳେ ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପ୍ରଶାସନ ର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବାଲି ମାଫିଆଙ୍କ କବଜାରେ ବୈତରଣୀ ନଦୀ । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଦେଇ ବହି ଯାଇଥିବା ବୈତରଣୀ ନଦୀ ଓ ଏହାର ଶାଖା ନଦୀ ଶଯ୍ୟାରୁ ପ୍ରତ୍ୟେକ ଦିନ ଦୀପହରେ ବିପୁଳ ପରିମାଣରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଏପରି ସ୍ଥଳେ ବାଲି ମାଫିଆମାନେ ମାଲାମାଲ ହେବା ସହ ଏଥିରେ ରାଜନେତା ପୋଲିସ ତହସିଲଦାର ଓ ପ୍ରଶାସନ ମିଲିଭଗତରେ ବାଲି ଚୋରା ଚାଲାଣ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ପଡୋଶୀ ବାଲେଶ୍ଵର ଜିଲ୍ଲାରେ ଚୋରା ବାଲି ଚାଲାଣ ରୋକିବାକୁ ଅପରେସନ ସ୍ୟାଣ୍ଡ ଷ୍ଟର୍ମ ଆରମ୍ଭ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ ଏହା କେବେ ଆରମ୍ଭ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ନିୟମିତ ବାଲି ଉଠାଣ ଯୋଗୁଁ ନଦୀ ଶଯ୍ୟାରେ ପ୍ରାକୃତିକ ପରିବେଶ ଓ ସନ୍ତୁଳନ ବିଗିଡ଼ି ଯାଉଛି ଏହାସହ ନଦୀ ବନ୍ଧ ପ୍ରତି ବିପଦ ସୃଷ୍ଟି ହେଉଛି ।

ଅର୍ଥ ଲାଳସାରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ବାଲି ମାଫିଆଙ୍କୁ ନିରବ ସମର୍ଥନ କରିଥିବା ବେଳେ ସାଧାରଣ ଲୋକଙ୍କ ବାଲି ବିରୋଧୀ ସ୍ବର ମଧ୍ୟ ନିରବି ଗଲାଣି । ଶହ ଶହ ବାଲି ସୈରାତରୁ ବେଆଇନ ବାଲି ଲୁଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ବହୁ ସମୟରେ ରାଜପଥ ସମେତ ବିଭିନ୍ନ ରାସ୍ତାରେ ବେଆଇନ ଭାବେ ପରିବହନ କରାଯାଉଥିବା ଜାନରୁ ନାମକୁ ମାତ୍ର ଜରିମାନା ଆଦାୟ କରାଯାଉଛି । ହେଲେ ଚୋରି ହେଉଥିବା ବାଲି ସୈରାତରୁ ପ୍ରଶାସନ ପକ୍ଷରୁ କାହିଁକି ଫଳପ୍ରଦ ଚଢ଼ାଉ କରାଯାଉନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନଫୋର୍ସ ମେଣ୍ଟ ଟିମ ଗଠନ ହେବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉ ଥିବା କହିଛନ୍ତି ଜିଲ୍ଲାପାଳ ।ଆବଶ୍ୟକ ପଡିଲେ ଆହୁରି କଡାକଡି ଚଢ଼ାଉ କରାଯିବ ନେଇ ନିର୍ଦ୍ଦେଶ ଦିଆଯାଇଛି ।

ବାଲି ମାଫିଆ ମାନେ ଚୋରା ବାଲି ଚାଲାଣ କରି ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଶାସନ ଚୋରା ବାଲି ଚାଲାଣ କରୁଥିବା ବାଲି ମାଫିଆଙ୍କ ଉପରେ କି ପ୍ରକାର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହା ଦେଖିବାକୁ ବାକି ରହିଲା  ।

ସତ୍ୟ ବ୍ରତ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button