କୋରାପୁଟ: ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତାହା ଲୋକଙ୍କ ହିତରେ ଆସୁନି । ଠିକାଦାର ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକାରେ ହେଉଛି ବାଟମାରଣା। ଯାହାର ଏକ ଜ୍ବଳନ୍ତ ଉଦାହରଣ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ।
ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ କୋରାପୁଟ ବନ୍ଧୁଗାଁ ପଂଚାୟତବାସୀଙ୍କ ପାଇଁ ଗମନାଗମନ ମୁଖ୍ୟସମସ୍ୟା ହୋଇ ଠିଆହୋଇଛି। ଦୀର୍ଘ ଦାବି ପରେ ଝଞ୍ଜାବତୀ ନଦୀ ଉପରେ ଦୁଇ କୋଟିରୁ ଅଧିକ ଟଙ୍କା ବ୍ୟୟରେ ରାଜ୍ୟ ସରକାର ପୋଲ ନିର୍ମାଣ କଲେ । ସେହିପରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପ୍ରାୟ ୫ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ସରପୋଲି ଛକଠାରୁ କାବିରିବାଡି ପର୍ଯ୍ୟନ୍ତ ପ୍ରାୟ ଆଠ କିମି ରାସ୍ତା ନିର୍ମାଣ କରାଗଲା । ରାସ୍ତା କାମ ୨୦୧୫ରେ ଆରମ୍ଭ ହୋଇ ବର୍ଷକ ପରେ ଶେଷ ହେଲା। ହେଲେ କାମ ସରିବାର ଦୁଇବର୍ଷ ପରେ ରାସ୍ତାଟି ଲୋକଙ୍କ ଯାତାୟତ ଉପଯୋଗୀ ହୋଇ ରହିନି।
ରାସ୍ତାର ଦୁଇ ଗଡରେ ଡ୍ରେନେଜ ବ୍ୟବସ୍ଥା ହୋଇନଥିବାରୁ ବର୍ଷାପାଣିରେ ରାସ୍ତା ଧୋଇ ହୋଇଯିବା ସହିତ ଗାତ ହୋଇଛି । ଏହି ରାସ୍ତାରେ ଆମ୍ବୁଲାନ୍ସ ଯିବା ତ ଦୂରର କଥା ଦୁଇଚକିଆରେ ଯିବାବି ସମ୍ଭବ ନୁହଁ । ସେପଟେ ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଗାଁକୁ ସରକାରୀ ବାବୁ ଯିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ଲୋକେ ଟଙ୍କିକିଆ ଚାଉଳ ଓ ଭତ୍ତାରୁ ବଞ୍ଚିତ ହୋଇ ରହିଛନ୍ତି। ଏ ନେଇ ଗ୍ରାମବାସୀମାନେ ବହୁ ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ବି କିଛି ସୁଫଳ ମିଳୁନଥିବା ପଞ୍ଚାୟତର ମେକ୍ବାଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ରାସ୍ତା ଘାଟର ଏଭଳି ଅବସ୍ଥା ଯୋଗୁଁ ଲୋକେ ଖାଲି ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ତା ନୁହେଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଦ୍ଧିଷ୍ଟ ସମୟରେ ବିଦ୍ୟାଳୟରେ ପହଞ୍ଚିବା ସମ୍ଭବ ହେଉନି। ଅନ୍ୟପଟେ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସୁନାବେଡା ଗ୍ରାମ୍ୟ ଉନ୍ନୟନ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ।
ଭୂଷିତ ବିଡିକାଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now