mahanadi

  • ଶୁଖିଲାଣି ଓଡ଼ିଶାର ଜୀବନ ରେଖା

    () ଶୁଖିଲାଣି ଓଡ଼ିଶାର ଜୀବନ ରେଖା ମହାନଦୀର ଜଳସ୍ତର କମିବାରେ ଲାଗିଛି। ଆଗକୁ ଅବସ୍ଥା ଅସମ୍ଭାଳ ହୋଇପାରେ। ଦଳମତ ନିର୍ବିଶେଷରେ ବିଧାନସଭାର ଶୂନ୍ୟକାଳରେ ମହାନଦୀ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା।

    ମହାନଦୀ ଜଳସ୍ତର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ମହାନଦୀକୁ ନେଇ ଆଲୋଚନା ହେଉ। ଏହାର ସୁରକ୍ଷା ନେଇ ସରକାର କଅଣ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବଦଳୀୟ କମିଟି କଅଣ ନିଷ୍ପତ୍ତି ନେଲା। ମହାନଦୀ ଜଳ ବିବାଦ ତୁଟାଇବା ଦିଗରେ ଟ୍ରିବ୍ୟୁନାଲ କେତେ ବାଟ ଗଲା। କାହିଁକି ଟ୍ରିବ୍ୟୁନାଲରେ ତାରିଖ ବାରମ୍ୱାର ଘୁଞ୍ଚୁଛି। ଏହାକୁ ନେଇ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଉଦବେଗ ପ୍ରକାଶ କରିଥିଲେ। ଆଉ ବିରୋଧୀ ଦଳ ନେତାଙ୍କୁ ସମର୍ଥନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କମିଟି ଗୁଡ଼ିକର ବୈଠକ କେବେ ବି ହୋଇନି। ମୋସନ ଆକାରରେ ଆଲୋଚନା କରିବା ଜରୁରୀ ହୋଇପଡ଼ିଲାଣି। ଜଳସମ୍ପଦ ମନ୍ତ୍ରୀ ଏ ଦିଗରେ ବିବୃତ୍ତି ଏ ଯାଏ ରଖିଲେନି। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓଡ଼ିଶାର ହେଲେ ମଧ୍ୟ ଏ ପ୍ରସଙ୍ଗ ଉଠୁନି।

    ସେପଟେ ମହାନଦୀ ବିପଦରେ ବୋଲି ଶାସକ ଦଳ ବି ହୃଦବୋଧ କରିଛି। ଉପରମୁଣ୍ଡରୁ ଆସୁଥିବା ପାଣିକୁ ପଡ଼ୋଶୀ ରାଜ୍ୟ ଅଟକାଇଦେଉଛି। ବର୍ଷା ଓ ନଦୀର ଜଳ ସମୁଦ୍ରକୁ ଚାଲିଯାଉଛି। ଟ୍ରିବ୍ୟୁନାଲ ଉପରେ ନିର୍ଭର ନ କରି ଭବିଷ୍ୟତ ଲାଗି ଯୋଜନା କରିବା ଜରୁରୀ। ଭୂତଳ ଜଳର ହ୍ରାସ ଘଟୁଛି। କଳକାରଖାନା ଓ ନଦୀରେ ବର୍ଜ୍ୟବସ୍ତୁ ଛାଡ଼ୁଥିବା ଶିଳ୍ପାନୁଷ୍ଠାନକୁ ଜଗିବାକୁ ପଡ଼ିବ।

    ମହାନଦୀର ଜଳସ୍ତର ଡରାଇଲାଣି। ଯେଭଳି କ୍ରମାଗତ ଖସୁଛି, ଆଗକୁ ଅଧିକ ଖରା ଅଛି। ଏବେଠୁ ସଜାଗ ନ ହେଲେ ଆଗକୁ ଅବସ୍ଥା ଅସମ୍ଭାଳ ହେବ ବୋଲି ଜଳଜଳ କରି ଦିଶୁଛି।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ବିଧାନସଭାରେ ମହାନଦୀ କମ୍ପନ

    () ମହାନଦୀ ତାତିରେ ଆଜି ବିଧାନସଭାରେ କମ୍ପନ ଦେଖିବାକୁ ମିଳିଛି। ରାଜ୍ୟର ଜୀବନ ରେଖା କୁହାଯାଉଥିବା ମହାନଦୀ ରକ୍ଷା ପାଇଁ ଶାସକ ବିଜେଡିର ନାହିଁ ଆନ୍ତରିକତା। ଏପରି ଅଭିଯୋଗ ଆଣି ପ୍ରଶ୍ନୋତ୍ତର କାଳ ବାତିଲ କରି ଆଗ ମହାନଦୀ ଉପରେ ମୋସନ ଆଣି ଆଲୋଚନା କରିବାକୁ ଅଡ଼ି ବସିଥିଲେ ବିରୋଧୀ। ହେଲେ ବଜେଟ ଅଧିବେଶନ ବେଳେ ମୋସନ ଆସିପାରିବନି ବୋଲି ବାଚସ୍ପତି ଯେତେ ବୁଝାଇଲେ ବି ବୁଝିନଥିଲେ ବିରୋଧୀ। ଆଉ ଏଭଳି ସ୍ଥିତି ଦେଖି ବିଜେଡି ସଭ୍ୟ ବି ନିଜ ନିଜ ଆସନରେ ଛିଡ଼ା ହୋଇ ଉଭୟ ବିରୋଧୀ ଦଳ ଜାଣିଶୁଣି ଗୃହକୁ ଅଚଳ କରୁଥିବାର ନାରାବାଜି କରିବାରୁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ହୋଇଥିଲା।

    ପ୍ରଶ୍ନକାଳ ବାତିଲ୍ କରି ମହାନଦୀ ଉପରେ ସ୍ୱତନ୍ତ୍ର ମୋସନ ଆଣି ଆଲୋଚନା ହେଉ ବୋଲି ଦାବି କରିଥିଲେ ନରସିଂହ ମିଶ୍ର। ଆଉ ନରସିଂହଙ୍କ ସମର୍ଥନରେ ବାହାରିଥିଲେ ବିଜେପି ସଭ୍ୟ। ସିପିଏମ ସଭ୍ୟ ଲକ୍ଷ୍ମଣ ମୁଣ୍ଡା ବି ସମର୍ଥନରେ ବାହାରି ଗୃହର ମଧ୍ୟଭାଗକୁ ଆସିଥିଲେ। ମହାନଦୀ ଜଳ ବିବାଦ ସମସ୍ୟା ସମାଧାନ କରିବାକୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଥିଲେ, ସର୍ବଦଳୀୟ କମିଟି ହେଉ। ନିର୍ବାଚନ ଆସିଲେ ମହାନଦୀ ଶୁଖି ଗଲାଣି ବୋଲି ଶାସକ ଦଳର ମନେ ପଡ଼ୁଛି। ସେପଟେ ବଜେଟ ଆଲୋଚନା ବେଳେ ମୋସନ ଆସିପାରିବନି ବୋଲି ବାଚସ୍ପତି ଯେତେ ବୁଝାଇଲେ ବି ବୁଝିନଥିଲେ ବିରୋଧୀ। ପ୍ରଶ୍ନକାଳକୁ ଚାଲିବାକୁ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ ବାଚସ୍ପତି। ସେପଟେ ଶାସକ ଦଳ ବି ନିଜ ନିଜ ଆସନରେ ଛିଡ଼ା ହୋଇ ବିଜେପି-କଂଗ୍ରେସ ଭାଇ ଭାଇ ନାରାରେ କମ୍ପାଇଥିଲେ ଗୃହକୁ। ପ୍ରଶ୍ନକାଳକୁ ଅଚଳ କରିବା ପଛରେ ବିରୋଧୀଙ୍କ ମିଳିତ ଫନ୍ଦି ବୋଲି ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ଅଚଳ କରିଦେଇଥିଲେ।

    ସେପଟେ ଶାସକ ଦଳ କହିଛି, ମହାନଦୀ ଓଡ଼ିଶାର ଜୀବନ ରେଖା। ବୁଧବାର ମହାନଦୀ ସମସ୍ୟା କଥାକୁ ଗୃହରେ ଉଠାଇଥିଲା ଶାସକ ଦଳ। ଜଳସମ୍ପଦ ମନ୍ତ୍ରୀ ଏ ନେଇ ବିବୃତ୍ତି ରଖିବେ ବୋଲି ବାଚସ୍ପତି ବି ନିର୍ଦେଶ ଦେଇସାରିଛନ୍ତି। ତା ସତ୍ତ୍ୱେ ଡ୍ରାମା କରି ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧୀ। ମହାନଦୀ ସ୍ୱାର୍ଥରେ ଥିଲେ, ମୁଲତବୀ ପ୍ରସ୍ତାବ ଦେଇପାରିଥାଆନ୍ତେ ବିରୋଧୀ। ଛତିଶଗଡ଼ର କଂଗ୍ରେସ ଓ କେନ୍ଦ୍ରର ବିଜେପି ସରକାର ମହାନଦୀ ପାଣି ଖାଇଗଲେ ବୋଲି ଆରୋପ ଲଦିଛି ଶାସକ ଦଳ।

    ମହାନଦୀ ଜଳବିବାଦ ତୁଟାଇବାକୁ କାହାର ଆନ୍ତରିକତା ଅଛି। ଛତିଶଗଡ଼ରେ ସରକାର ବଦଳୁଛି। କେନ୍ଦ୍ରରେ ବିଜେପି କ୍ଷମତାରେ ଅଛି। ଓଡ଼ିଶାରେ ନିରନ୍ତର କ୍ଷମତାରେ ଅଛି ବିଜେଡି। ମହାନଦୀ ଲାଗି ବିଜେଡିର ଲୁହ ରାଜନୈତିକ ଫାଇଦା ପୂରଣ ପାଇଁ କୁମ୍ଭୀର କାନ୍ଦଣା କାନ୍ଦ ନା ଅଛି ସତରେ ଆନ୍ତରିକତା, ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ ।

    ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ମାଛ ଧରାଳିଙ୍କ ନଜରରେ ପଡିଲା  ଘଡ଼ିଆଳ କୁମ୍ଭୀର

    ସମ୍ବଲପୁର: ମହାନଦୀରେ ମାଛ ମାରୁଥିବା ସମୟରେ ମାଛ ଧରାଳିଙ୍କ ନଜରରେ ପଡିଲା  ଘଡ଼ିଆଳ କୁମ୍ଭୀର l  ସମ୍ବଲପୁର ନିକଟ ମହାନଦୀରେ ଏହି ଘଡ଼ିଆଳ ମରି ପଡିଥିବାର ଦେଖିବାକୁ ମିଳିଥିଲା । ପାଣି ଭିତରେ  ପଡିଥିବା କୁମ୍ଭୀର ଦେଖି କିଛି ସମୟ ପାଇଁ ଛାନିଆ ହୋଇ ଯାଇଥିଲେ ମାଛ ଧରାଳି। କୁମ୍ଭୀରଟି କିନ୍ତୁ ପାଣି ଭିତରେ ମରିଥିବା ଜାଣିବା ପରେ ମାଛଧରାଳି ମାନେ ତାକୁ କୂଳକୁ ଆଣିବା ସହ ବନ୍ୟ ପ୍ରାଣୀ ବିଭାଗକୁ ଖବର ଦେଇଥିଲେ । ବନ୍ୟ ପ୍ରାଣୀ ବିଭାଗ କର୍ମଚାରୀଙ୍କ ଉପସ୍ଥିତି ରେ କୁମ୍ଭୀରକୁ ପାଣି ଭିତରୁ ଉଦ୍ଧାର କରାଯାଇଥିଲା ।  କୁମ୍ଭୀର ପିଠିରେ ଜିପିଏସ ଟ୍ରାନ୍ସମିଟର ଲାଗିଥିବା  ଦେଖିବାକୁ ମିଳିଥିଲା l ତେବେ କୁମ୍ଭୀରଟି ନଦୀ ପାଣିରେ  ସାତକୋଶିଆ ଟିକରପଡା ଅଞ୍ଚଳରୁ ଆସିଛି ବୋଲି କହିଛି ବନ ବିଭାଗ।  

    ତେବେ କୁମ୍ଭୀର ଟି କିପରି ପାଣିର ବିପରୀତ ସ୍ରୋତ ରେ ଏତେ ବାଟ କେମିତି ଆସିଲା ,? ଟ୍ରାକର୍‌ ଲାଗିଥିଲେ ସୁଦ୍ଧା କୁମ୍ଭୀର ମୃତ୍ୟୁ ସମ୍ପର୍କରେ ତଥ୍ୟ କିପରି ମିଳିଲା ନାହିଁ ? କୁମ୍ଭୀରର ମୃତ୍ୟୁ କେଉଁ କାରଣରୁ ହେଲା ତାହା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ। ସ୍ଥାନୀୟ ଲୋକେ ବନ ବିଭାଗକୁ  କୁମ୍ଭୀରକୁ ହସ୍ତାନ୍ତର କରିଛନ୍ତି l

    ରାଜକୋଷରୁ ଟଙ୍କା ଖର୍ଚ୍ଚ ହୋଇ ହେଉଛି।  କିନ୍ତୁ କୁମ୍ଭୀର ସୁରକ୍ଷା ଦିଗରେ ଅଧିକ ଯତ୍ନବାନ୍ ହେବା ଜରୁରୀ ହୋଇପଡିଛି।

    ସରୋଜ ସେଠଙ୍କ ରିପୋର୍ଟ

  • ବନ୍ୟା ପୁରୁଣା: କିଛି ନୂଆ କଥା ଚର୍ଚ୍ଚା ହେଉ

    ସ୍ଥିତି ଅସମ୍ଭାଳ। ତଳି ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା । ପ୍ରଭାବିତ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଉଛନ୍ତି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପରିସ୍ଥିତି ଦେଖି ଗେଟ ଖୋଲିବା ଅନୁମତି ଦେଉଛନ୍ତି । ଗୋଟିଏ ପଟେ ଗେଟ ଖୋଲା ଯାଉଛି, ଆରପଟେ ନଇକୂଳିଆ ଲୋକଙ୍କ ମନରେ ଛନକା ପଶୁଛି। ଦୁର୍ବଳ ନଦୀବନ୍ଧକୁ ନେଇ ସ୍ଥାନୀୟ ସ୍ତରରେ ବର୍ଷା ପୂର୍ବରୁ ସ୍ୱର ଶୁଭେ । ତରବରିଆ ବନ୍ଧ ସୁଦୃଢୀକରଣର ତାଳି ପକା କାମ ହୁଏ। ପୁଣି ସମୟ ଆସେ ଘଳିଆ ପଡେ ,ଘାଇ ହୁଏ ଆଉ ଗାଁ ଭିତରକୁ ପାଣି ପଶେ । ଘରଦ୍ୱାର ,ଚୁଲିଚାଳ ଭାଷେ, ସ୍କୁଲ ଘର, ମନ୍ଦିର, ଶ୍ମଶାନ ସବୁ ଏକାକାର ହୋଇଯାଏ । ଏପଟେ ରାଜଧାନୀରେ ବୈଠକ ବସେ ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ସ୍ୱତନ୍ତ୍ର ରିଲିଫ କମିଶନର ,ଜିଲ୍ଲା ପ୍ରଶାସନ ତତ୍ପର ହୁଅନ୍ତି । କେଉଁ ଯାଗାରେ କେତେ ଫୁଟର ଘାଇ ହେଲା ,କେଉଁ ନଦୀ ଫୁଲିଲା, କିଏ ବିପଦ ସଂକେତ ଉପରେ ପୁଣି କିଏ ତଳେ ପ୍ରବାହିତ ହେଲା ତାର ରିପୋର୍ଟ ଆସେ । ରିପୋର୍ଟ ଆସେ କେମିତି ଶହ ଶହ ହେକ୍ଟର ଚାଷ ଜମିରେ ପାଣି ଠିଆ ହୋଇଛି । ଚାଷୀ ମରୁଡ଼ିକୁ ଡରିବ କି ବନ୍ୟାକୁ ତା ପାଇଁ ସବୁ ଏକା ଭଳି ଦୁର୍ଦ୍ଦଶା ଆଣେ । ସବୁ ସରିଲେ ତାଙ୍କ କ୍ଷତିର ଭରଣା କଥା କୁହାଯାଏ ।

    ରିଲିଫ୍ କୋର୍ଡ ଅଛି ସେହି ଅନୁସାରେ କିଛି ପ୍ରାପ୍ୟ ମିଳେ । ଯେଉଁଥିରେ ସଂଶୋଧନ ଦରକାର କାରଣ ଚାଷୀ ତା ମୂଳ ପଇସା ବି ପାଉନି ବୋଲି ଅଭିଯୋଗ ହୁଏ। ତା ସାଙ୍ଗକୁ ବିଭିନ୍ନ ଉଦ୍ଧାରକାରୀ ଦଳ ସଜାଗ ହୋଇ ଯାଆନ୍ତି । ଭାଗ ଭାଗ ହୋଇ ବନ୍ୟାଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚିନ୍ତି । ଏପଟେ ଭୁବନେଶ୍ୱର ରେଡକ୍ରସ ଭବନରୁ ଚୁଡା,ଗୁଡ,ମହମବତୀ ସହ ଆଉ କିଛି ଆବଶ୍ୟକୀୟ ସାମଗ୍ରୀର ପୁଡିଆ ପ୍ରସ୍ତୁତ ହୁଏ, ଯାହାକୁ ବିଭିନ୍ନ ପ୍ରଭାବିତ ଜିଲ୍ଲାକୁ ପଠାଯାଏ । କିଏ ପାଏ କିଏ ନ ପାଇବାର ଅଭିଯୋଗ କରେ । ବନ୍ୟାଞ୍ଚଳ ଲୋକ କୁହନ୍ତି, ପାଣି ଶୁଖିଲା ପରେ ବି ଅନେକ ଦିନ ଯାଏଁ ଅବସ୍ଥା ସୁଧୁରେନି । ରୋଗବୈରାଗ ମାଡ଼ି ବସେ ଯାହା ଆଉ ଏକ ବଡ ପ୍ରସଙ୍ଗ । ପୁଣି ଅଣ୍ଟା ସଳଖି ଛିଡ଼ା ହେବାକୁ ପଡ଼େ । ଅବଶ୍ୟ ବନ୍ୟା ପାଣି ଠାରୁ ଉଛୁଳା ପାଣି ବା ପଛୁଆ ପଶୁଥିବା ପାଣିର ଜ୍ବାଳା ଏ କିଛି ବର୍ଷ ହେବ ବେଶୀ ଦେଖା ଯାଉଛି । ତେଣୁ ବନ୍ୟା କେବଳ ଗାଁର ନୁହେଁ ଛୋଟ ବଡ ସହରକୁ ପ୍ରଭାବିତ କରୁଛି । ତେବେ ଏକଥା ଏତେ ଥରର ଘଟଣା ହେଲାଣି ଯେ ଆଉ ନୂଆ ଭଳି ଲାଗୁନି । କିନ୍ତୁ ଏ ପରିସ୍ଥିତି ପାଇଁ ନୂଆ ପ୍ରସ୍ତୁତି କେବଳ ବନ୍ୟାବେଳର ତତ୍ପରତା ଭିତରେ ସିମୀତ । ବନ୍ୟା ପାଣି ଶୁଖିବ ଏକଥା ବି ସରିଯିବ ।

    ବନ୍ୟା ନିୟନ୍ତ୍ରଣ କଥା ଆସିଲେ ହୀରାକୁଦ ପ୍ରସଙ୍ଗ ସବୁଠାରୁ ଅଧିକ ଚର୍ଚ୍ଚା ହୁଏ । ଯେହେତୁ ବୃହତ୍ତମ ନଦୀ ମହାନଦୀରେ ବନ୍ୟା ପ୍ରବଳ ହେଉଥିଲା ତେଣୁ ହୀରାକୁଦର ପରିକଳ୍ପନା ଜନ୍ମ ନେଲା । ବନ୍ୟା ନିୟନ୍ତ୍ରଣ ସହ ଜଳ ସେଚନ ଓ ଜଳ ବିଦ୍ୟୁତ ଉତ୍ପାଦନ ଭଳି ତିନୋଟି କଥାକୁ ଆଖି ଆଗରେ ରଖି ହୀରାକୁଦ ୧୯୫୩ରେ ତିଆରି କରାଗଲା । ବହୁମୂଖୀ ଯୋଜନାର ପରିକଳ୍ପନା ଅନ୍ୟତମ ଆଶ୍ଚର୍ଯ୍ୟ ବୋଲି କୁହାଯାଇଥିଲା । ଏହି ନଦୀବନ୍ଧ ଯୋଜନାଟି ଅନେକ ବିତ୍ପାତକୁ ଦୀର୍ଘ ଦିନ ହେଲା ଦେଖି ଆସିଛି, ଆଉ ତାର ପ୍ରଭାବକୁ ସହି ଆସିଛି । ତେବେ ହୀରାକୁଦ ବନ୍ଧ କିଛିଟା ବନ୍ୟା ରୋକିଛି ଏଥିରେ ସନ୍ଦେହ ନାହିଁ । କିନ୍ତୁ ସମୟ ସହ ପରିବେଶଜନିତ ଆହ୍ବାନ ବର୍ଷା ଅନିୟମିତତାକୁ ଜନ୍ମ ଦେବା ସହ ସେହି ହୀରାକୁଦ ଆଗରେ ଚ୍ୟାଲେଂଜ ବଢାଇଛି । ହୀରାକୁଦ ନିର୍ମାଣ ବେଳର ପାଣିପାଗ ଓ ପରିବେଶ ସମୟ ସହ ଦ୍ରୁତ ଗତିରେ ବଦଳିଛି । ତେଣୁ ହୀରାକୁଦ ନିର୍ମାଣ ହେବା ପୂର୍ବର ବନ୍ୟା ଠାରୁ ପରର ବଡ ବନ୍ୟା ସଂଖ୍ୟା ଅଧିକ ହୋଇଛି । ଏପରିକି ଜଳ ବିଶେଷଜ୍ଞମାନେ ଅନେକ ଥର ରୁଲ୍ କର୍ଭ ରେ ପରିବର୍ତ୍ତନ ପାଇଁ ସୁପାରିଶ କରିଛନ୍ତି । ରୁଲ କର୍ଭ ଅର୍ଥାତ୍ ହୀରାକୁଦରେ କେଉଁ ସମୟରେ କେତିକି ଜଳ ରହିବ ତାହା ପୂର୍ବ ନିଦ୍ଧାରିତ । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ତାପାୟନ ଓ ତତଜନିତ ପରିବେଶରେ ବ୍ୟାପକ ଅସନ୍ତୁଳନକୁ ଦୃଷ୍ଟିରେ ରଖି ରୁଲ କର୍ଭରେ ପରିବର୍ତ୍ତନ ନିତ୍ୟାନ୍ତ ଆବଶ୍ୟକ ଥିବା ବେଳେ ଏ କଥାକୁ କେବେ ଗୁରୁତ୍ବ ମିଳିବ ତାକୁ ଅପେକ୍ଷା ରହିଛି ।

    ହୀରାକୁଦ ନିର୍ମାଣ ପରେ ଅନେକ ବଡ ବନ୍ୟା ଦେଖିଲାଣି ରାଜ୍ୟ। ହୀରାକୁଦରୁ ଛଡ଼ା ଯାଉଥିବା ପାଣି ତାର କାରଣ ବୋଲି କୁହାଯାଏ । ବର୍ଷା ଅଧିକ ହେଲେ ଏବଂ ଉପରମୁଣ୍ଡରୁ ଚାପ ରହିଲେ ହୀରାକୁଦର ଗେଟ ଖୋଲା ନିଷ୍ପତ୍ତି ହୁଏ । ଏବେ ଯେଉଁ ୪୦ ଗେଟ ଖୋଲାକୁ ନେଇ ଏତେ ଚର୍ଚ୍ଚା ପୂର୍ବରୁ ମଧ୍ୟ ବହୁବାର ଏମିତି ଗେଟ୍ ଖୋଲାଯାଇଛି । ଏହାଠାରୁ ଅଧିକ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦ ନିର୍ମାଣଶୈଳୀ ନିଜ ଭିତରେ ଏକ ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ । ହୀରାକୁଦ ମୁଖ୍ୟ ବନ୍ଧରେ ୨ଟି ସ୍ପିଲୱେରେ ୯୮ଗେଟ ଅଛି । ତଳ ଭାଗରେ ଥିବା ୬୪ ଗେଟ୍ ସ୍ଲୁଇସ୍ ଗେଟ୍ କୁହାଯାଉଥିବା ବେଳେ ଉପର ଭାଗରେ ୩୪ କ୍ରେଷ୍ଟ ଗେଟ ରହିଛି । ସାଧାରଣତଃ ସ୍ଲୁଇସ ଗେଟ ଦେଇ ଜଳ ନିଷ୍କାସନ ହୁଏ । କିନ୍ତୁ ଅଧିକ ଜଳ ନିଷ୍କାସନ ପାଇଁ ବିଭିନ୍ନ ସମୟରେ କ୍ରେଷ୍ଟ ଗେଟ୍ ଖୋଲାଯାଇଛି । ଯେଉଁ ଗେଟ ଦ୍ୱାରା ଅଢେଇଗୁଣ ଅଧିକ ଜଳ ନିଷ୍କାସିତ ହୋଇପାରେ । ବଡ ବନ୍ୟା କ୍ରେଷ୍ଟ ଗେଟ୍ ଖୋଲିବା ପାଇଁ ଜଳସମ୍ପଦ ବିଭାଗର ଟେକନିକାଲ ଏକ୍ସପର୍ଟ ନିଷ୍ପତ୍ତି ନିଅନ୍ତି । ୧୯୬୧ ମସିହା ବନ୍ୟାକୁ ବିଗତ ୭ ଦଶନ୍ଧିର ସବୁଠୁ ବଡ ବନ୍ୟା ବୋଲି ଆମ ରାଜ୍ୟରେ କୁହାଯାଏ । ଡ୍ୟାମ୍ ର ସୁରକ୍ଷା ପାଇଁ ଗେଟ ଖୋଲିବା ଅପରିହାର୍ଯ୍ୟ । ନିର୍ଦ୍ଧିଷ୍ଟ ଜଳ ଧାରଣ କ୍ଷମତା ଠାରୁ ଅଧିକ ଜଳ ପ୍ରବେଶର ସୂଚନା ମିଳିଲେ ତୁରନ୍ତ ପଦକ୍ଷେପ ନିଆଯାଏ ।

    ଅନେକ ସମୟରେ ମହାନଦୀ ତ୍ରିକୋଣଭୂମି ଅଞ୍ଚଳ ବନ୍ୟା ବିତ୍ପାତରେ କ୍ଷତିଗ୍ରସ୍ତ ହୁଏ । ହୀରାକୁଦ ନିକଟ ସମ୍ବଲପୁର ସହର ଜଳ ବିଭୀଷିକାକୁ ଅତି ନିକଟରୁ ସାମ୍ନା କରେ । ତେବେ ବନ୍ୟା ନିୟନ୍ତ୍ରଣ ପାଇଁ ସମସ୍ତେ ହୀରାକୁଦ ଠାରୁ ବହୁତ କିଛି ଆଶା କରନ୍ତି । କିନ୍ତୁ ହୀରାକୁଦ କ’ଣ ଚାହେଁ ତାକୁ କେହି ପଚାରନ୍ତିନି । କାରଣ ଅନେକ ସମୟରେ ହୀରାକୁଦ ଡ୍ୟାମର ରକ୍ଷଣା ବେକ୍ଷଣ ନେଇ ପ୍ରଶ୍ନ ଉଠିଛି । ଭଣ୍ଡାର ଛାତିରେ ପଟୁ ଜମିଥିବା ବେଳେ ତାକୁ କିଏ କେବେ ସଫା କରୁଛି କି ବୋଲି ପ୍ରଶ୍ନ ଉଠେ । ଯଦି ତା ନହେଉଛି ଜଳଧାରଣ କ୍ଷମତା ସମୟ ସହ କମି କମି ଯିବ ଯାହା ବିଶେଷଜ୍ଞ କୁହନ୍ତି । ଖବର ଏମିତି ବି ଆସିଥିଲା ଡ୍ୟାମରେ ଫାଟ ହୋଇଛି । ଯଦି ଦେଶରେ ଏକ୍ସପର୍ଟଙ୍କ ଅଭାବ ଅଛି ବିଦେଶରୁ ଆସନ୍ତୁ କିନ୍ତୁ ସେ କାମ ହେଉ ବୋଲି କୁହାଯାଏ । କାରଣ ପରିବେଶବିତ୍ ଚେତାଇ ଦେଉଛନ୍ତି ବନ୍ୟା ବିତ୍ପାତ ଆଗକୁ ଆହୁରି ବଢିବ ।କାରଣ ଅନିୟମିତ ବର୍ଷା ଏବେ ସ୍ୱାଭାବିକ ବର୍ଷା ଭାବେ ଉଭା ହୋଇଛି ।

    ବନ୍ୟା ସମୟରେ ପକ୍ଷ ବିପକ୍ଷ ଲଢାଲଢି ହେଉଛନ୍ତି । କେନ୍ଦ୍ର ଜଳ କମିଶନ,ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ସମନ୍ବୟର ଅଭାବ ଜଳ ଜଳ ଦେଖାଯାଉଛି । କିଏ ଆସିଲା ନାହିଁ, କିଏ ବସିଲା ନାହିଁ ଏ ତର୍କ ଚାଲିଛି । କିନ୍ତୁ ମୂଳ ପ୍ରସଙ୍ଗକୁ କେହି ଛୁଇଁବା ପାଇଁ ଚାହୁଁ ନାହାଁନ୍ତି । ବନ୍ୟା ପାଣି ଗାଁ ଦାଣ୍ଡରୁ ଶୁଖିଗଲେ ବନ୍ୟା ପରିଚାଳନା ପ୍ରସଙ୍ଗ ଟି ପୁରୁଣା ଟ୍ରଙ୍କର କେଉଁ କୋଣରେ ମାଡ଼ିଦେଇ ଆମେ ଧିରେ ଧିରେ ତାକୁ ଭୁଲିଯିବାର ଅଭିନୟ କରୁଛୁ । କିନ୍ତୁ ଏ ଅଭିଯୋଗ ସବୁ ବେଳେ ହୋଇଛି ଶିଳ୍ପ ସଂସ୍ଥା ପାଣି ଅଧିକ ଥିବା ବେଳେ ତାଙ୍କ ବ୍ୟବସ୍ଥା କାହିଁକି କରୁନାହାଁନ୍ତି । ନା ଛତିଶଗଡ଼ ଶିଳ୍ପ ସଂସ୍ଥାକୁ କିଛି କହି ପାରୁଛି ନା ଓଡ଼ିଶା । ସେଥିପାଇଁ ଉପରମୁଣ୍ଡରେ ଜିନ୍ଦଲ୍, ତଳ ମୁଣ୍ଡରେ ବେଦାନ୍ତ ନେଇ ଚାଲିଛି ପାଣି । ଶିଳ୍ପ ପାଇଁ ଜଳ ତିରୋଟର ଖବର ନାହିଁ । କିନ୍ତୁ ମହାନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କ ପିଇବା ପାଣି,ଚାଷକୁ ପାଣି ସବୁ ନିଅଣ୍ଟ । ୧୫/୧୬ ଜିଲ୍ଲା ପାଇଁ ଲାଇଫଲାଇନ କୁହାଯାଉଥିବା ମହାନଦୀ ଆମ ପଟେ ଶୁଖିଲା ତାଙ୍କ ପଟେ ଭରପୁର ବୋଲି ଚର୍ଚ୍ଚା ହୁଏ । ରାଜନୀତି ହୁଏ ସମୟ ଆସିଲେ ସମସ୍ତଙ୍କ ଆଭିମୁଖ୍ୟ ଏକ ହୋଇଯାଏ ।

    ନଦୀ ଅବବାହିକାରେ ସଭ୍ୟତାର ବିକାଶ ହୁଏ । ମହାନଦୀ ମଧ୍ୟ ସେହି ଧାରାରୁ ବ୍ୟତିକ୍ରମ ନୁହେଁ । ସେହି ଅଞ୍ଚଳରେ ଜନବସତିର ଘନତ୍ୱ ମଧ୍ୟ ଅପେକ୍ଷାକୃତ ଅଧିକ । ତେଣୁ ନଦୀ ବଞ୍ଚିଲେ ମାନବ ସମାଜ ବଞ୍ଚିବ ଆଉ ନଦୀକୁ ବଞ୍ଚାଇବାକୁ ହେଲେ ତା ଆଖପାଖର ଜୈବ ବିଭିଦତାକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ ହେବା ଆବଶ୍ୟକ । ଯାହା ହେଉନାହିଁ ବରଂ ପରିବେଶ ସହ ବିଭିନ୍ନ ଢଙ୍ଗରେ ଖେଳ ଚାଲିଛି । ଆଜି ଗାଁ ସହର ସବୁ ଜଳାର୍ଣ୍ଣବ କିନ୍ତୁ ନଦୀ, ନାଳ, ପ୍ରାକୃତିକ ଜଳ ଉତ୍ସ ପୋତିବା ବେଳେ ଏ ଦୁର୍ଦ୍ଦଶା କଥା ଆମେ ଭାବିନାହୁଁ । କେବେ ସୁବଳୟା କେବେ ମଣିଭଦ୍ରା ଯୋଜନା ହୀରାକୁଦର ଭାର କମାଇବ ବୋଲି ଚର୍ଚ୍ଚାକୁ ଆସିଛି । ଯାହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । କେବେ ବିରୋଧ ହୋଇଛି କେବେ ଅବହେଳାରେ କଥା ସରିଛି । କିନ୍ତୁ ନୂଆ ସମୟର ଆହ୍ୱାନ ବେଳେ କେବଳ ପୁରୁଣା କଥା ଦୋହରାଇଲେ ସମସ୍ୟା ସମାଧାନ ହେବନାହିଁ ଆହୁରି ବଢିବ ।

    ସୁପ୍ରିୟା ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ

  • ବାଙ୍କୀରେ ଅନେକ ଗାଁ ଜଳବନ୍ଦୀ

    ମହାନଦୀର ବନ୍ୟା ଜଳ ପ୍ରବାହିତ ଯୋଗୁ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ବାଙ୍କୀ । ଅନେକ ଗାଁ ଜଳବନ୍ଦୀରେ ରହିଛି । ସେପଟେ ଜରୁରୀ କାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧ ୟୁନିଟ ଏନଡିଆରଏଫ, ୨ ୟୁନିଟ ଓଡ୍ରାଫ ସହିତ ଏସଆରସି ଙ୍କ ପକ୍ଷରୁ ୪ ଟି ବୋଟ ନିୟୋଜିତ ରହିଛି ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା । ଏବେ ମହାନଦୀର ଜଳସ୍ତର ରହିଛି 7. 7. ମିଟର । ବିପଦ ସଂକେତ ଠାରୁ ଅଧିକ ପରିମାଣରେ ବନ୍ୟାଜଳ ପ୍ରବାହିତ ଚାଲିଛି । ଅପରପଟେ ମହାନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁ ଏବେ ନଦୀ ବନ୍ଧବାଡ଼ ର ଅନେକ ସ୍ଥାନରେ ଛୋଟ ଛୋଟ ଘଳିଆ ପଡିବା ଯୋଗୁ ତଳିଆ ଓ ନଦୀ କୂଳିଆବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଆଜି ସକାଳୁ ସକାଳୁ ହରିରାଜପୁର ମିନବଜାର ଠାରେ ଥିବା ନଦୀ ବନ୍ଧବାଡ଼ ରେ ଘଳିଆ ଦେଖାଯାଇଛି । ଜଳସମ୍ପଦ ବିଭାଗ ପହଁଚି ବାଲିବସ୍ତା ଦେଇ ପାଣିକୁ ଆୟତ୍ତ କରିଥିବା ଜଣାପଡିଛି ।

  • ମହାନଦୀରେ ବଢୁଛି ଜଳସ୍ତର

    ରାଜ୍ୟରେ ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତିର ଆଶଙ୍କା କରାଯାଉଛି l ଇତିମଧ୍ୟରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ପୂର୍ଵାହ୍ନ ୧୧ଟା ସୁଦ୍ଧା ମୁଣ୍ଡଳୀ ନିକଟରେ ମହାନଦୀରେ ସେକେଣ୍ଡ ପ୍ରତି ୫ଲକ୍ଷ ୭୮ହଜାର ୧୭୦ ଘନଫୁଟ ଜଳ ପ୍ରଵାହିତ ହେଉଛି। ୧୦ଟା ଵେଳେ ମୁଣ୍ଡଳୀ ଦେଇ ୫ଲକ୍ଷ ୬୮ହଜାର ୭୮୦ ଘନଫୁଟ ଜଳ ପ୍ରଵାହିତ ହେଉଥିଲା।

    ସେହିପରି ପ୍ରତି ଘଣ୍ଟାରେ ମୁଣ୍ଡଳୀ ନିକଟରେ ମହାନଦୀରେ ପ୍ରାୟ ୧୦ ହଜାର ଘନଫୁଟ ଵନ୍ୟାଜଳ ଵୃଦ୍ଧି ପାଉଛି। ଏବେ ଖଇରମାଳରେ ସେକେଣ୍ଡ ପ୍ରତି ୯ଲକ୍ଷ ୧୦ହଜାର ଘନଫୁଟ ଵନ୍ୟାଜଳ ପ୍ରଵାହିତ ହେଉଛି। ଏହି ଵନ୍ୟାଜଳ ମୁଣ୍ଡଳୀ ନିକଟରେ ପହଞ୍ଚିବା ପାଇଁ ୧୨ଘଣ୍ଟା ସମୟ ଲାଗିଵ। ତେଣୁ ରାତି ୧୦ଟା ଵେଳକୁ ମୁଣ୍ଡଳୀରେ ପ୍ରାୟ ୧୦ଲକ୍ଷ ଘନଫୁଟ ଜଳ ପ୍ରଵାହିତ ହେଵାର ଆକଳନ କରାଯାଉଛି। ମୁଣ୍ଡଳୀ ନିକଟରେ ମହାନଦୀର ଜଳସ୍ତର ୮୬ ଦଶମିକ ୬୦ଫୁଟ ଥିବା ଵେଳେ ଏଠାରେ ବିପଦ ସଙ୍କେତ ହେଉଛି ୯୭ଫୁଟ। ସେହିଭଳି ନରାଜ ନିକଟରେ କାଠଯୋଡିରେ ସେକେଣ୍ଡ ପ୍ରତି ୨ଲକ୍ଷ ୭୦ହଜାର ଘନଫୁଟ ଜଳ ପ୍ରଵାହିତ ହେଉଛି।

    • ଅଭିଷେକ ପୁରୋହିତଙ୍କ ରିପୋର୍ଟ
  • ମହାନଦୀରେ ସାମାନ୍ୟ ବନ୍ୟା ଆଶଙ୍କା

    ଭୁବନେଶ୍ୱର: ଗତ କିଛି ଦିନ ରାଜ୍ୟରେ ଜାରି ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମହାନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରୁ ସାମାନ୍ୟ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ଯଦି ଉପର ମୁଣ୍ଡରେ ଅର୍ଥାତ ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ବି ସମାନ ସ୍ଥିତି ଜାରି ରୁହେ ତେବେ ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବିଜୟ ମିଶ୍ର, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
    ବର୍ଷା କାରଣରୁ ହିରାକୁଦରେ ୨୪ ଗେଟ ଖୋଲା ହୋଇଛି । ଆସନ୍ତା କାଲି ସକାଳ ୮ ସୁଦ୍ଧା ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବା ସୂଚନା ରହିଛି । ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ତାଙ୍କର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦର ଅଧିକ ଗେଟ ଖୋଲିବା ନେଇ ଚାପ ପକାଉଛନ୍ତି । ମାତ୍ର ଆମେ ତାଙ୍କୁ ଜବାବରେ ଜଣାଇଛୁ ସ୍ଥିତି ଦେଖି ଆମେ ହୀରାକୁଦ ଗେଟ ଖୋଲାଯିବ ବୋଲି ଯନ୍ତ୍ରୀ ସୂଚନା ଦେଇଛନ୍ତି।
    ବର୍ତ୍ତମାନ ସୁଦ୍ଧା ହୀରାକୁଦରେ ୨୪ ଟି ଗେଟ ଖୋଲାଯାଇଥିବା ବେଳେ ଆଗକୁ ଏହା ବଢ଼ି ପାରେ । ସେହିପରି ବୈତରଣୀ ଓ ଜଳକା ନଦୀରେ ଜଳ ସ୍ତର ବଢିବାରେ ଲାଗିଛି । ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି । ସମସ୍ତ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇ ଆଲର୍ଟ ମୋଡ଼ରେ ରଖାଯାଇଛି। ଦୁର୍ବଳ ନଦୀ ବନ୍ଧ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୮ ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଥିବା ସହ ସେଠାରେ ଜଳ ସଂପଦ ବିଭାଗର ସ୍ୱତନ୍ତ୍ର ନଜର ରହିଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Back to top button