ହସ୍ପିଟାଲ ଦୁର୍ଦ୍ଦଶାକୁ ନେଇ ଘରିଲେ ବିରୋଧୀ

Spread the love

() ଶଯ୍ୟା ଅଭାବରୁ ରୋଗୀ ବାରଣ୍ଡାରେ ଶୋଉଛି। ଡାକ୍ତର ନାହାନ୍ତି। ରେଫରାଲରେ ଚାଲିଛି ହସ୍ପିଟାଲ। ଏମିତି ସ୍ଥିତିରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାର ରୋଗୀଙ୍କ ଅକଥନୀୟ ଦୁର୍ଦ୍ଦଶା ଦୂର କରିବାକୁ କି ପଦକ୍ଷେପ ନେଇଛନ୍ତି। ଦଳମତ ନିର୍ବିଶେଷରେ ରୋଗୀ ଦୁର୍ଦ୍ଦଶା ସାଙ୍ଗକୁ ଡାକ୍ତର, ଶଯ୍ୟା ଅଭାବକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଥିଲେ ସଭ୍ୟ। ଆଉ ନୂଆ କରି ବିଭାଗର ଦାୟିତ୍ୱ ନେଇଥିବାରୁ ଉତ୍ତର ଦେଲା ବେଳେ ଥତମତ ହେବା ସହ ସମସ୍ତଙ୍କର ଉପାଦେୟ ପରାମର୍ଶକୁ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ଗୃହକୁ ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ହସ୍ପିଟାଲରେ ଶଯ୍ୟାର ଅଭାବ। ଅସ୍ୱାସ୍ଥ୍ୟକର ପରିବେଶରେ ଚଟାଣରେ ଶୋଇ ଅକଥନୀୟ ଦୁର୍ଦ୍ଦଶାରେ ଚିକିତ୍ସିତ ହେଉଛନ୍ତି ରୋଗୀ। ତା ହେଲେ କେମିତି ଚାଲିଛି ସ୍ୱାସ୍ଥ୍ୟସେବା। ଅନେକ ଜାଗାରେ ତ ଡାକ୍ତର ହିଁ ନାହାନ୍ତି। ଖୋଦ୍ ମହାମହିମ ରାଷ୍ଟ୍ରପତିଙ୍କ ଅଞ୍ଚଳ ରାଇରଙ୍ଗପୁର ସବଡିଭିଜନାଲ ହସ୍ପିଟାଲରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ୩୬ ଥିଲା ବେଳେ ଅଛନ୍ତି ମାତ୍ର ୬। ସେଥିରୁ ପୁଣି ୨ ଜଣ ଡେପୁଟେସନରେ ଥିଲା ବେଳେ ସେମାନେ ବି ଆଉ ଆସୁନାହାନ୍ତି। ଅନ୍ୟ କୁଆଡ଼େ ଜଏନ୍ କଲେଣି। ଆଉ ହସ୍ପିଟାଲଗୁଡ଼ିକୁ ରେଫର ରୋଗ ଧରିଛି। ଯଦି ଅଧିକାଂଶ ରୋଗୀଙ୍କୁ ରେଫର ହେଉଛି, ତା ହେଲେ ହସ୍ପିଟାଲ କଅଣ ଦରକାର।

ଭୁବନେଶ୍ୱରର ଘରୋଇ ହସ୍ପିଟାଲକୁ ରେଫର କରିଦିଆଗଲେ, ଏଠି ରେଜିଷ୍ଟ୍ରେସନ ଓ ଡାକ୍ତରୀ ଫିସ୍ ଅଲଗା ନେଇ ଲୁଟୁଛନ୍ତି ରୋଗୀଙ୍କୁ। ଦଳମତ ନିର୍ବିଶେଷରେ ରୋଗୀ ଦୁର୍ଦ୍ଦଶାକୁ ନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ସଭ୍ୟ। ଏପରିକି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବାସ୍ତବ ଚିତ୍ର ଦେଖାଇବାକୁ ଏସସିବିକୁ ବୁଲିଯିବାକୁ ଡାକିଥିଲେ ମୋହନ ମାଝୀ।

ସେପଟେ ଆହୁରି କିଛି ସଭ୍ୟ କହିଥିଲେ କି, ପ୍ରତି ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ତତଃ ବିଶେଷଜ୍ଞ ଡାକ୍ତର ରଖିବାକୁ ସରକାର ବନ୍ଦୋବସ୍ତ କରନ୍ତୁ। ସ୍ତ୍ରୀ ଓ ପ୍ରସୂତୀ, ଆନାସ୍ଥେସିଆ, ଶିଶୁରୋଗ ଓ ମେଡିସିନ୍ ବିଶେଷଜ୍ଞ ଡାକ୍ତର ଅନ୍ତତଃ ରଖାଯାଉ। ରୋଗୀଙ୍କ ଚାପ କମାଇବାକୁ ତଳସ୍ତରର ହସ୍ପିଟାଲ ଗୁଡ଼ିକ ରେଫର ଅଭ୍ୟାସରୁ ନିବୃତ୍ତ ରୁହନ୍ତୁ। ଆଉ ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି, ରୋଗୀ ସଂଖ୍ୟା ବଢିଲେ ଅସ୍ଥାୟୀ ଶଯ୍ୟାର ବ୍ୟବସ୍ଥା ହୁଏ। ୨୦୧୭-୧୮ରୁ ୨୨-୨୩ ଯାଏ ଶଯ୍ୟା ସଂଖ୍ୟା ୧୭ହଜାର୧୩୦ରୁ ୨୫ହଜାର୬୩୬କୁ ବୃଦ୍ଧି କରାଯାଇଛି। ପର୍ଯ୍ୟାୟକ୍ରମେ ଚଳିତ ବର୍ଷରୁ ୨୧ହଜାର ୩୪୨ଟି ଶଯ୍ୟା ବୃଦ୍ଧି ଉପରେ ନୀତିଗତ ନିଷ୍ପତ୍ତି ହୋଇଛି। ନୂଆ କରି ବିଭାଗ ସମ୍ଭାଳିଥିବାରୁ ବିଭାଗକୁ ବୁଝିବାକୁ ସମୟ ଓ ସହଯୋଗ ଲୋଡିଥିଲେ ସଭ୍ୟଙ୍କଠୁ।

ତେବେ ଲାମାର ସଂଜ୍ଞାକୁ ନେଇ ମୋହନ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିତରେ କଥା କଟାକଟି ହୋଇଥିଲା। ଅବଶ୍ୟ ଶେଷରେ ସ୍ୱାସ୍ଥ୍ୟମନ୍ତ୍ରୀ ନମ୍ରତାର ସହ କହିଥିଲେ, ବିଭାଗକୁ ନେଇ ଏବେ ତାଙ୍କର ଲର୍ଣ୍ଣିଂ ସମୟ। କେଉଁଠି କେତେ ଡାକ୍ତର ଅଛନ୍ତି ତାହାର ଡାଟାବେସ୍ ତିଆରି ପରେ ସେ ଆବଶ୍ୟକୀୟ ପଦକ୍ଷେପ ନେବେ।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *