ଆସନ୍ତା ୨୨ କୋରାପୁଟର ପ୍ରସିଦ୍ଧ ମହୋତ୍ସବ ‘ପରବ’

Spread the love

କୋରାପୁଟ: ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ କୋରାପୁଟ ପରବ ମହୋତ୍ସବ।  ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ପଡ଼ିଆଠାରେ ଅନୁଷ୍ଠିତ ହୋଇଛି ଏହି ମହୋତ୍ସବ । କରୋନା କଟକଣା ମଧ୍ୟରେ ୨ ବର୍ଷ ହେବ ଏହି ମହୋତ୍ସବ ଫିକା ପଡିଥିବା ବେଳେ ଚଳିତ ବର୍ଷର ମହୋତ୍ସବ କୁ ନେଇ ବେଶ ଉତ୍ସାହିତ ଜିଲ୍ଲାବାସୀ ।

ଆରମ୍ଭ ହୋଇଯାଇଛି କୋରାପୁଟର ପ୍ରସିଦ୍ଧ ମହୋତ୍ସବ ‘ପରବ’ । ଗତ ୨ବର୍ଷ ହେବ କରୋନା କଟକଣା ପାଇଁ ମହୋତ୍ସବ ଫିକା ପଡିଥିବା ବେଳେ ଚଳିତ ବର୍ଷ ବେଶ ଆଡମ୍ୱରରେ ଆୟୋଜିତ ହୋଇଛି ପରବ । ଶନିବାରଠୁ  ବୁଧବାର ଯାଏଁ ମଞ୍ଚ ଉପରେ ଦୁଲୁକିବ ଜିଲା,ରାଜ୍ୟ ଓ ରାଜ୍ୟ ବାହାରର କଳା ଓ ନୃତ୍ୟ । ଉଦଘାଟନୀ ଉତ୍ସବରେ ଆଇନ ତଥା ଅନୁସୂଚିତ ଜାତି ଓ ଜନ ଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ମଂଚରେ ଦର୍ଶକଙ୍କୁ ଆକୃଷ୍ଟ କରିଛି ଭାଙ୍ଗରା, ଡ଼ଙ୍ଗରିଆ କନ୍ଦ ନାଚ, ଆସାମର ବିହୁ ଓ ବିଭିନ୍ନ ବ୍ଲକର କୋରାପୁଟିଆ ଢେମସା ଓ ନାଚ । ଶୀତୁଆ ସନ୍ଧ୍ୟାରେ ରଙ୍ଗୀନ କାର୍ଯ୍ୟକ୍ରମକୁ ଦେଖିବାକୁ ବିଶେଷ କରି ଯୁବ ପିଢ଼ିଙ୍କି ଆଗ୍ରହ ଦେଖା ଦେଇଛି। ଅନ୍ୟପଟେ ଲୋକଙ୍କ ସମାବେଶ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କଡାକଡି କରାଯାଇଛି । ଅପରାହ୍ନ 3ଟାରୁ ରାତ୍ର ପର୍ଯ୍ୟନ୍ତ ସମସ୍ତ ଭାରି ଯାନ ଓ ଯାତ୍ରୀ ବାହି ବସ ସହର ମଧ୍ୟକୁ ଚଳାଚଳ ବାରଣ କରାଯିବା ସହିତ ଜୟପୁରରୁ ରାୟଗଡା, ସୁନାବେଡା କୁ ଯିବା ଯାନ ଗୁଡିକୁ ଲିମିକା ଓ ବାସୁପୁଟ ରାସ୍ତା ଦେଇ ଯିବାକୁ ବ୍ୟବସ୍ଥା ହୋଇଛି । ସେହିଭଳି ପରବ ପଡିଆକୁ ଲୋକଙ୍କ ଯିବା ଆସିବା କରିବାକୁ ପାଞ୍ଚ ଟଙ୍କା ଟିକେଟରେ ୨୦ ମିନିଟ ବ୍ୟବଧାନରେ କୋରାପୁଟ ରୁ ସୁନାବେଡାକୁ 3ଟି ସରକାରୀ ବସ ଯୋଗାଇ ଦିଆଯାଇଛି ।

 ଅନ୍ୟପଟେ ପରବ ପଡିଆରେ ୩୫୦ରୁ ଉର୍ଧ୍ଵ ଷ୍ଟଲ ମଧ୍ୟ ବ୍ୟବସାୟୀଙ୍କ ପାଇଁ ଓରମାସ ତରଫରୁ ବ୍ୟବସ୍ଥା କରାଯାଇଛି । ଏଠାରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲା ଓ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଅଂଶ ଗ୍ରହଣ କରିଛନ୍ତି । ମିଶନ ଶକ୍ତି ଦ୍ୱାରା କୋରାପୁଟ ଜିଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବାକୁ ମାଗଣାରେ ଷ୍ଟଲ ପ୍ରଦାନ କରାଯାଇଥିବା ଓରମାସ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ନାରାୟଣ ପାଟଣାର ବାଉଁଶ ତିଆରି ଘର ଉପକରଣ,କୋଟିଆର ଝାଡୁକୁ ପ୍ରଦର୍ଶନରେ ସାମିଲ କରାଯାଇଥିବା ବେଳେ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟ ଓ ମାଣ୍ଡିଆ ଚା ମଧ୍ୟ ସ୍ଥାନ ପାଇଛି ।

ଚଳିତ ବର୍ଷ ୨୫ ତମ ପରବ ଅନୁଷ୍ଠିତ ହୋଇଛି । ୫ ଦିନ ଧରି ଆୟୋଜିତ ଏହି ମହୋତ୍ସବକୁ  ଲୋକେ ବେଶ ଉପଭୋଗ କରିବେ ବୋଲି ଆଶାବାଦୀ ଅଛନ୍ତି ପ୍ରଶାସକ । ଅନ୍ୟପଟେ ପଡ଼ିଆ ପଥରେ ଇଣ୍ଡିଆ ଗେଟ ମଡେଲ ବେଶ ଆକର୍ଷିତ କରିଛି ଦର୍ଶକଙ୍କୁ।

ଭୂଷିତ ବିଡିକାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *