ପାରୁନାହାନ୍ତି ମନ୍ତ୍ରୀ- ଏବେ ବି ବ୍ୟୁରୋକ୍ରାଟଙ୍କ ମର୍ଜିରେ ଚାଲିଛି ସରକାର!

ବିନା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମତିରେ ସବ୍ ପ୍ଲଟ ପଞ୍ଜୀକରଣ କରିଥିବା ଅଧିକାରୀଙ୍କ ତାଲିକା ପଦାକୁ ଆସିଲା। ଶହେରୁ ଉର୍ଦ୍ଧ୍ୱ ସବ୍-ପ୍ଲଟ ପଞ୍ଜୀକରଣ କରିଥିବା ଅଧିକାରୀଙ୍କ ସଂଖ୍ୟା ବେଶ୍ ଲମ୍ୱା। ରାଜସ୍ୱ ବିଭାଗ ଏ ସବୁ ସବ-ରେଜିଷ୍ଟ୍ରାରଙ୍କ ତାଲିକା ମାଗିଥିଲା। ଆଉ ଏ ସନ୍ଦର୍ଭରେ ଆଇଜିଆର ସୁବ୍ରତ ଶତପଥୀ ଗଲା ୧୦ ତାରିଖରେ ଏ ଲମ୍ୱା ତାଲିକା ଦେଇଛନ୍ତି ରାଜସ୍ୱ ବିଭାଗକୁ। ଆଖି ଝଲସାଇଦେବ କିଛି ସବରେଜିଷ୍ଟ୍ରାରଙ୍କ କାରନାମା ଦେଖିଲେ। ଶହେ ନୁହେଁ। ବେଆଇନ ଭାବେ ହଜାର ହଜାର ପାର୍ଟ-ପ୍ଲଟ ପଞ୍ଜୀକରଣ କରିଛନ୍ତି ସବରେଜିଷ୍ଟ୍ରାର୍। ସବୁଠୁ ଆଗରେ ଅଛନ୍ତି ଭୁବନେଶ୍ୱର ସବରେଜିଷ୍ଟ୍ରାର୍। ଅରୁଣ ଦାସ, ପବିତ୍ର ସାମଲ, ରଞ୍ଜନ ଦାସ, ଦେବରଞ୍ଜନ ମହାନ୍ତିଙ୍କଠୁ ନେଇ ଜ୍ଞାନରଞ୍ଜନ ସାହୁଙ୍କ ଯାଏଁ। ଏମାନେ କରିଥିବା ସବ୍ ପ୍ଲଟ୍ ଡିଡ୍ ସଂଖ୍ୟା ହଜାରେରୁ ନେଇ ୬ହଜାର ପର୍ଯ୍ୟନ୍ତ। ଖଣ୍ଡଗିରିର ସବ-ରେଜିଷ୍ଟ୍ରାର ଥିବା ବେଳେ ସୁଜାତା ମହାରଣା ତ ୩ହଜାରରୁ ଉର୍ଦ୍ଧ୍ୱ ସବ-ପ୍ଲଟ୍ ପଞ୍ଜୀକରଣ କରିଛନ୍ତି। ବିନା ବିଡିଏ ଅନୁମତିରେ ମନଇଛା ପାର୍ଟ-ପ୍ଲଟ୍ ପଞ୍ଜୀକରଣ କରିଛନ୍ତି। ଏମାନଙ୍କ ପଛକୁ ଅଛନ୍ତି ଜଟଣୀ ସବରେଜିଷ୍ଟ୍ରାର୍। ଜଟଣୀ ସବରେଜିଷ୍ଟ୍ରାର ଥିଲା ବେଳେ ବିଂଝେସ ରଞ୍ଜନ ନାୟକ ୩ହଜାରରୁ ବେଶୀ ବେଆଇନ ସବ-ପ୍ଲଟ୍ ପଞ୍ଜୀକରଣ କରିଥିଲା ବେଳେ ତ୍ରିଷ୍ଣା ବିଶ୍ୱାଳ ସାଢ଼େ ୪ହଜାର ପ୍ଲଟ୍ ପଞ୍ଜୀକରଣ କରିଥିଲେ। ପିପିଲି, ବ୍ରହ୍ମପୁର,କଟକରୁ ନେଇ ପୁରୀ। ବର୍ଷ ବର୍ଷ ଧରି ପାର୍ଟ-ପ୍ଲଟ ପଞ୍ଜୀକରଣ ବିନା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମତିରେ ଚାଲିଥିଲା। ରେଜିଷ୍ଟ୍ରେସନ ଓଡ଼ିଶା ଆମେଣ୍ଡମେଣ୍ଟ ଆକ୍ଟ, ୨୦୧୩ ପରଠୁ ହୋଇଥିବା ବେଆଇନ ପାର୍ଟ-ପ୍ଲଟ୍ ପଞ୍ଜୀକରଣ ତାଲିକା ବାହାର ହୋଇଛି। ଗଲା ବର୍ଷ ଡିସେମ୍ୱରରେ ରାଜସ୍ୱ ମନ୍ତ୍ରୀ ଏସବୁ ସବ-ରେଜିଷ୍ଟ୍ରାରଙ୍କ ତାଲିକା ମାଗିଥିଲେ। କେଉଁ ବଳରେ ନାନା ନିୟମର ଥୋପ ଦେଖାଇ କିଛି ଲୋକଙ୍କ ସବ-ପ୍ଲଟ୍ ପଞ୍ଜୀକରଣ କରୁଥିଲେ ଆଉ ଅଧିକାଂଶଙ୍କୁ ମନା କରୁଥିଲେ, ତାକୁ ତର୍ଜମା ଲାଗି ତାଲିକା ଲୋଡ଼ିଥିଲେ ରାଜସ୍ୱ ମନ୍ତ୍ରୀ। ସତ ଧରାପଡ଼ିଲେ କଡ଼ା ଆକ୍ସନ ହେବ ବୋଲି ଚେତାଇ ଦେଇଥିଲେ। ଏଭଳି ସବ-ରେଜିଷ୍ଟ୍ରାରଙ୍କୁ ଚିହ୍ନଟ କରି ତୁରନ୍ତ ଏମାନଙ୍କୁ ବଦଳି ଓ ନିଲମ୍ୱିତ କରିବାକୁ ଦାବି କରିଆସୁଛି ଓଡ଼ିଶା ବିକାଶ ଅଭିଯାନ। ଦୁର୍ନୀତିଗ୍ରସ୍ତ ଅଧିକାରୀ ସବ-ରେଜିଷ୍ଟ୍ରାର ଦାୟିତ୍ୱରେ ପୁଣି ରହିଲେ, ଏମାନଙ୍କ ଲାଗି ରାଜ୍ୟ ରାଜକୋଷକୁ ସିନା ଟଙ୍କା ଆସିବନି। କିନ୍ତୁ ଏମାନଙ୍କ ପକେଟ ଗରମ ହେଉଥିବ। ଲୋକେ ଦହଗଞ୍ଜ ହେବା ସାର ହେବ ବୋଲି ଆଶଙ୍କା କରିଥିଲେ ଓଡ଼ିଶା ବିକାଶ ଅଭିଯାନ ମୁଖ୍ୟ ପ୍ରଦୀପ ସାହୁ। ଏଭଳି ଅଧିକାରୀଙ୍କୁ ପ୍ରମୋସନ ପରେ ପ୍ରମୋସନ ମିଳିଚାଲିଛି। କୌଣସି ଉନ୍ନୟନ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ସମୟସୀମା ଅର୍ଥାତ୍ ୭୨ ଘଣ୍ଟା ଭିତରେ ଆପୃଭାଲ ଦେଲେ, କିଏ କାହିଁକି ଗଳାବାଟ ଖୋଜନ୍ତା। ଆଉ ଅଧିକାରୀ ଲୋକଙ୍କୁ ଶୋଷଣ କରିବାକୁ ମଉକା ପାଆନ୍ତେ। ଓଡ଼ିଶା ବିକାଶ ଅଭିଯାନ ବି ସରକାରୀ ତାଲିକା ଆସିବାର ବହୁ ଆଗରୁ ଅର୍ଥାତ୍ ଗଲା ନଭେମ୍ୱରରୁ ରାଜସ୍ୱ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଓ ଜଟଣୀ ସବରେଜିଷ୍ଟ୍ରାରଙ୍କ ପାର୍ଟ-ପ୍ଲଟ କେଳେଙ୍କାରୀର ପ୍ରମାଣ ସ୍ୱରୂପ ଅନେକ ଦଲିଲ୍ ଦେଇଥିଲା। ସେପଟେ ରେରା ଆକ୍ଚିଭିଷ୍ଟ ବିମଳେନ୍ଦୁ ପ୍ରଧାନ ବି ସରକାରଙ୍କ ଆକ୍ସନରେ ଏତେ ଧୀମା ଗତିକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ରେରା ଆଳରେ ଲୋକଙ୍କ ଚାଷ ଜମିକୁ ପଞ୍ଜୀକରଣ କରିବୁନିର ଭୟ ଦେଖାଇ ଏମିତି ଅଧିକାଂଶ ସବ-ରେଜିଷ୍ଟ୍ରାର ବିପୁଳ ଟଙ୍କା ନେଇ ପ୍ରଭାବଶାଳୀଙ୍କର ପାର୍ଟ-ପ୍ଲଟକୁ ପଞ୍ଜୀକରଣ କରିଥିଲେ। ଗଳା ବାଟରେ ସେଲ୍ ଡିଡ୍ ରେଜିଷ୍ଟ୍ରେସନ କରି ପରେ ମଉକା ଦେଖି ରିଲିଜ୍ କରୁଥିଲେ। କିଛି ସବ-ରେଜିଷ୍ଟ୍ରାରଙ୍କ ଉପରେ ଲୋକ ଦେଖାଣିଆ ଆକ୍ସନ ନେଇ ଯିଏ ଅଧିକା ଦୁର୍ନୀତି କରୁଛି, ସେମାନଙ୍କ ଦେହରେ ରାଜସ୍ୱ ବିଭାଗ ହାତ ନ ମାରିବା ପଛର ରହସ୍ୟ ସନ୍ଦେହଜନକ ବୋଲି କହିଛନ୍ତି ବିମଳେନ୍ଦୁ। କେବଳ ଏତିକି ନୁହେଁ। ଗଲା ୧୨ ବର୍ଷରେ ହିସାବ କଲେ ମୋଟ୍ ୩ଲକ୍ଷ ୩୬ହଜାର୬୩୧ ପାର୍ଟ-ପ୍ଲଟ୍ ପଞ୍ଜୀକରଣ ହୋଇଛି। ତତ୍କାଳୀନ ୧୭୪ ସବରେଜିଷ୍ଟ୍ରାର ଶହେରୁ ଅଧିକ ପାର୍ଟ-ପ୍ଲଟ ପଞ୍ଜୀକରଣ ତାଲିକାରେ ଅଛନ୍ତି। ବଡ଼ କଥା ହେଲା। ଏବେ ସେମାନେ ବଡ଼ ବଡ଼ ପଦବୀରେ। ଏଇ ଯେମିତି ଓରେରାର ସେକ୍ରେଟାରୀ ଶ୍ରାବଣୀ ପଟ୍ଟନାୟକ। କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ। ଖୋର୍ଦ୍ଧା ଏଡିଏମ୍ ସାଫଲ୍ୟ ମଣ୍ଡିତ ପ୍ରଧାନ। କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପ୍। ସିଡିଏ ସଚିବ ଶ୍ୱେତ ଦାସ, ଭୁବନେଶ୍ୱର ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ଓ ଓରେରାର ପୂର୍ବତନ ଏନଫୋର୍ସମେଣ୍ଟ ଅଫିସର ଦେବେନ୍ଦ୍ର ଶତପଥୀ ପ୍ରମୁଖ। ଏହା ସହ କିଛି ଅଧିକାରୀ ସେମାନଙ୍କ କାର୍ଯ୍ୟକାଳରେ କରିଥିବା ପାର୍ଟ-ପ୍ଲଟ ପଞ୍ଜୀକରଣ ସଂଖ୍ୟାରେ ତଥ୍ୟରେ ତାଳମେଳ ନାହିଁ। ଏଇ ଯେମିତି ଜଟଣୀର ପୂର୍ବତନ ସବରେଜିଷ୍ଟାର ହୃଷିକେଶ ତ୍ରିପାଠୀ। ଜାନୁଆରୀ ୨୦୨୫ରେ ଯେଉଁ ତଥ୍ୟ ଆସିଥିଲା, ସେଥିରେ ହୃଷିକେଶ ୧୭୬୫ ଦଲିଲ୍ ପଞ୍ଜୀକରଣ କରିଥିଲେ। କିନ୍ତୁ ଏପ୍ରିଲରେ ତାହା ୩୭୪୮ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ୩ ବର୍ଷର ତଥ୍ୟ ଗଲା ୧୩ ବର୍ଷରୁ ବଳିଯାଉଛି। ଜଟଣୀ ସବରେଜିଷ୍ଚ୍ରାର ଥିଲା ବେଳେ ବିଞ୍ଜେସ ରଞ୍ଜନ ନାୟକ ୪୧୦୪ ନା ୩୪୭୯ ପାର୍ଟ ପ୍ଲଟ ପଞ୍ଜୀକରଣ କରିଛନ୍ତି। ଖଣ୍ଡଗିରି ସବରେଜିଷ୍ଟ୍ରାର ଥିଲା ବେଳେ ମନୋଜ କୁମାର ସେନାପତି ୩୭୪୦ ନା ୨୭୮୯ ପାର୍ଟ ପ୍ଲଟ ପଞ୍ଜୀକରଣ କରିଛନ୍ତି। ସେହିଭଳି ଭୁବନେଶ୍ୱର ସବରେଜିଷ୍ଟ୍ରାର୍ ଜ୍ଞାନରଞ୍ଜନ ସାହୁ ୫୪୮୯ ନା ୪୪୧୫ ପାର୍ଟ-ପ୍ଲଟ୍ ପଞ୍ଜୀକରଣ କରିଛନ୍ତି। କେଉଁ ଡାଟା ସତ। ଏଭଳି ତଥ୍ୟ ଅମେଳରୁ ଅନେକ ସନ୍ଦେହ ଜାତ ହେବା ସ୍ୱାଭାବିକ। ଯଦି ବେଆଇନ କାମକୁ ଧରିବାର ଅଛି, ତାହେଲେ ତଥ୍ୟରେ ଅସଙ୍ଗତି ହେଲେ କେମିତି କାର୍ଯ୍ୟାନୁଷ୍ଠାନ ହେବ। କାହିଁକି ସମ୍ୱଲପୁର ଡେଭେଲପମେଣ୍ଟ ଅଥୋରିଟି ଓ ରାଉରକେଲା ଡେଭେଲପମେଣ୍ଟ ଅଥୋରିଟିର ଡାଟା ଉପଲବ୍ଧ ନାହିଁ। ରାଜସ୍ୱ ମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ ଥିବା ପ୍ରଦୀପ କୁମାର ସାହୁଙ୍କୁ ବି ଟାର୍ଗେଟ କରିଛନ୍ତି। ପ୍ରଦୀପ ସାହୁ ସମ୍ୱଲପୁର ଡିଏସଆର ଥିଲା ବେଳେ ତାଙ୍କ ଅମଳରେ ହୋଇଥିବା ପାର୍ଟ-ପ୍ଲଟ ପଞ୍ଜୀକରଣର ତଥ୍ୟ କାହିଁକି ନାହିଁ ବୋଲି ସନ୍ଦେହ ହୋଇଛି। ସେଥିଲାଗି କାମରେ ସ୍ୱଛତା ଓ ପାରଦର୍ଶିତା ରଖିବାକୁ ହେଲେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀଙ୍କୁ ଅନୁରୋଧ କରିଛନ୍ତି ବିମଳେନ୍ଦୁ। ଆଇଜିଆରଙ୍କୁ ବି ଅଙ୍ଗୁଳି ଉଠାଇଛନ୍ତି ବିମଳେନ୍ଦୁ। ଆଉଟ ସୋର୍ସିଂ ଏଜେନ୍ସି ଟେରାସିସର ନାଁ ଚିଠିରେ ଉଲ୍ଲେଖ କରିବାକୁ କାହିଁକି ଏତେ ଆଗଭର ଦେଖାଇଲେ ଆଇଜିଆର। ନିଜ ଦାୟିତ୍ୱରୁ ମୁକୁଳିବାକୁ ଏକ ଘରୋଇ ଆଉଟସୋର୍ସ ଏଜେନ୍ସିର ନାଁ ଆଳରେ ଖସିଯିବାକୁ ମସୁଧା କରୁନାହାନ୍ତି ତ। ଆଇଜିଆରଙ୍କ ସ୍ୱାର୍ଥ ଓ ସନ୍ଧି ବି ଜଳଜଳ କରି ଦିଶୁଛି। ଜାଲିଆତି ଦସ୍ତାବିଜରେ ରେଜିଷ୍ଟ୍ରେସନ କରିଥିବା ଭୁବନେଶ୍ୱର ସବରେଜିଷ୍ଟ୍ରାର ଜ୍ଞାନରଞ୍ଜନ ସାହୁଙ୍କ ପ୍ରତି ସରକାରଙ୍କ ଏତେ ଦରଦ କାହିଁକି। ବାରଙ୍ଗ ଓ ଖୋର୍ଦ୍ଧା ସବରେଜିଷ୍ଟ୍ରାରଙ୍କୁ ସୁରକ୍ଷା ଦେଉଛି କିଏ। ଖୋଦ୍ ଆଇଜିଆର ଏମାନଙ୍କ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଉନାହାନ୍ତି ତ ବୋଲି ପ୍ରଶ୍ନ ଉଙ୍କି ମାରିଲାଣି। କାମରେ ସ୍ୱଛତା ରହୁ। ଆଇନଗତ ପ୍ରତିବନ୍ଧକ ହଟୁ। ଲୋକେ କେମିତି ସହଜ ଓ ସରଳ ବାଟରେ ନିଜର ଜରୁରୀକାଳୀନ ଆବଶ୍ୟକତା ଲାଗି ଜମିର କିଛି ଅଂଶ ବିକିପାରିବେ, ସେ ନେଇ ବାଟ କାଢ଼ନ୍ତୁ ସରକାର। ଏପ୍ରିଲ ପହିଲା ସୁଦ୍ଧା ପାର୍ଟ-ପ୍ଲଟ ପଞ୍ଜୀକରଣ କଟକଣା ହଟିବ ବୋଲି କହିଥିଲେ ମନ୍ତ୍ରୀ। କିନ୍ତୁ ଏପ୍ରିଲ ସରିବାକୁ ବସିଲାଣି। ନଗର ଉନ୍ନୟନ ବିଭାଗ ବି କେବେଠୁ ଡ୍ରାଫ୍ଟ ପ୍ରୋପୋଜାଲ ଦେଇସାରିଲାଣି। ଆଇନ ବିଭାଗ ଓ ଏଜି ବି ମୋହର ମାରିସାରିଲେଣି କେବେଠୁ। ଘନ ଘନ ବୈଠକ ହେଉଛି ସତ। କଥା ପଡ଼ିଛି, ତାହେଲେ ଅହେତୁକ ବିଳମ୍ୱ ପଛର କାରଣ କଅଣ। ମନ୍ତ୍ରୀ ତ କହିଥିଲେ ଏସଓପି ଅଥବା କିଛିଟା ସ୍ପଷ୍ଟିକରଣରେ ଏ ପ୍ରତିବନ୍ଧକ ହଟାଇ ଆଗ ଲୋକେ କିଣାବିକା କେମିତି କରିପାରିବେ, ସେ ବାଟ ଫିଟାଇବେ। ହେଲେ ଏହା ହୋଇପାରିଲାନି। ଲୋକେ ବି ଚର୍ଚ୍ଚା କଲେଣି, ପୂଜାରୀ ପାରୁନାହାନ୍ତି କି। କେଉଁ ଅଦୃଶ୍ୟ ଚାପରେ ମନ୍ତ୍ରୀ ଚେପା ବୋଲି କଥା ଉଠିଲାଣି। ପୂର୍ବ ସରକାର ଭଳି ବ୍ୟୁରୋକ୍ରାଟଙ୍କ ଫନ୍ଦିରେ ପଡ଼ିଯାଇନାହାନ୍ତି ତ ମନ୍ତ୍ରୀ ମହୋଦୟ ବୋଲି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହେଲାଣି। ଏମିତିରେ ଲେଆଉଟ୍ ଆପ୍ରୁଭାଲର ଆଳ ନେଇ ଲୋକଙ୍କୁ ବେଶ୍ ହନ୍ତସନ୍ତ କରି ଆସିଥିବା ବିଡିଏ ବି ରାସ୍ତା ସଂଲଗ୍ନ ଜମିକୁ ଛାଡିଦେଲେ ବାକି ଜମିରେ ଦେଇପାରିବନି ବୋଲି ହାତ ଟେକିସାରିଛି। ଏନଓସି ଜରୁରୀ ନୁହେଁ ବୋଲି କହିସାରିଛି। ତା ସତ୍ତ୍ୱେ ଏତେ ଫନ୍ଦି କାହା ପାଇଁ। କାହା ସ୍ୱାର୍ଥରେ ପାର୍ଟ-ପ୍ଲଟ୍ ପଞ୍ଜୀକରଣକୁ ନେଇ ଚାଲିଥିବା ସମସ୍ୟାର ପ୍ରହସନ ସରୁନି ବୋଲି ସବୁଠି ଚର୍ଚ୍ଚା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *