ମାଗଣା ଚାଉଳକୁ ନେଇ ରାଜନୀତି ସରଗରମ

ଭୁବନେଶ୍ବର: ଯାହା କୁହାଯାଇଥିଲା ସେୟା ହେଲା। ମାଗଣା ଚାଉଳକୁ ନେଇ ନିତି ବିବାଦୀୟ ବୟାନ ଆସୁଛି ଆଉ ତାକୁ ନେଇ ରାଜନୀତି ସରଗରମ ହୋଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଗଣା ଚାଉଳକୁ ନେଇ ଟିକିନିକ ହିସାବ ଦେବା ପରେ କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ଉଠାଇଛି ବିଜେଡି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପୂର୍ବରୁ ୧୦ କେଜି ଚାଉଳ ଦିଆଯାଉଥିବା ବେଳେ ଏବେ କାହିଁକି ୫ କେଜି ଚାଉଳ କଟାଗଲା ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛି ବିଜେଡି। ଚଳିତ ମାସରୁ ଏହାକୁ ଲାଗୁ ନ କଲେ ଅନ୍ଦୋଳନର ଧମକ ଦେଇଛି ଦଳ। ଏପଟେ ରାଜ୍ୟ ସରକାରଙ୍କର ମିଛ ପ୍ରଚାର ଧରା ପଡିଗଲା ବୋଲି କହିଛି ବିଜେପି । ଅନ୍ୟପଟେ କଂଗ୍ରେସ କହିଛି ଆରୋପ ପ୍ରତ୍ୟାରୋପରୁ ଦୂରରେ ରହି ଉଭୟ ଦଳ ରାଜ୍ୟବାସୀଙ୍କ ହିତରେ କାମ କରନ୍ତୁ । 

ପୁଣି ଉଠିଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । ସାମ୍ନା ସାମ୍ନି ହେଲେ ବିଜେଡି ବିଜେପି । ମାଗଣା ଚାଉଳକୁ ନେଇ ବଢୁଛି ବିବାଦ । ବିଜେଡିର ଆନ୍ଦୋଳନ ଧମକ ପରେ ବିଜେପିର ପାଲଟା ଆକ୍ରମଣ। ଉୟଭ ଦଳକୁ କଂଗ୍ରେସର କଡ଼ା ସମାଲୋଚନା । ବଢୁଛି ମାଗଣା ଚାଉଳ ବିବାଦ । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଉଳକୁ ନେଇ କଡାଗଣ୍ଡା ହିସାବ ଦେବା ପରେ ଚିହିଁକି ଉଠିଛି ଶାସକ ଦଳ । ଆଉ ଶୁକ୍ରବାର ସାମ୍ୱାଦିକ ସମ୍ମିଳନୀ କରି ଦୋହରାଇଛି କେନ୍ଦ୍ର ଅବହେଳା ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମୋଟ ୧୦କେଜି ଲେଖାଏଁ ଚାଉଳ ମିଳୁଥିଲା। ଏ ଯୋଜନା ବନ୍ଦ ହୋଇଯାଇଥିବାରୁ ୫ କେଜି ଚାଉଳରୁ ବଞ୍ଚିତ ହେବେ ହିତାଧିକାରୀ । ଫଳରେ ଅନେକ ପରିବାର ସହ ଚାଷୀକୂଳ ମଧ୍ୟ ହଇରାଣ ହେବେ ବୋଲି ଅଭିଯୋଗ କରିଛି ବିଜେଡି । ଏହାସହ ଚଳିତ ମାସରୁ ଏହାକୁ ପୁଣି ଥରେ ଲାଗୁ ନ କଲେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏପ୍ରସଙ୍ଗକୁ ଉଠାଇବ ବୋଲି କହିଛି ଦଳ।

ସେପଟେ ବିଜେଡି ଆରୋପର କଡା ଜବାବ ରଖିଛି ବିଜେପି । ବିଜେଡିର ଚାଉଳ ବ୍ରାଣ୍ଡ ବନ୍ଦ ହେବା ସହ ମିଛ ପ୍ରଚାର ଧରା ପଡିଗଲା ବୋଲି ଦଳ କହିଛି । ଏପରିକି ବିଜେଡିର ଚାଉଳ ବ୍ରାଣ୍ଡ ହାତରୁ ଖସି ଯିବା ଯୋଗୁ ଦଳ ପାଇଁ ଅସ୍ଥିତ୍ୱ ସଙ୍କଟ ସୃଷ୍ଟି ହୋଇଛି । ଦୀର୍ଘ ଦିନର ମିଛ ପ୍ରଚାର ଧରା ପଡିଗଲା ବୋଲି ବିଜେପି କହିଛି। ଅନ୍ୟପଟେ ଲୋକଙ୍କ ସମସ୍ୟାକୁ ଛାଡି ଉଭୟ ଦଳ ରାଜନୀତିରେ ମାତିଛନ୍ତି କହିଛି କଂଗ୍ରେସ ଦୁଇ ଦଳର ଏହି ଜନବିରୋଧୀ ଆଭିମୁଖ୍ୟକୁ ଲୋକଙ୍କ ପାଖେ କଂଗ୍ରେସ ପହଞ୍ଚାଇବ ବୋଲି ଦଳ କହିଛି ।

୨୦୧୯ ନିର୍ବାଚନ ପରେ ନିରବ ପଡିଯାଇଥିବା କେନ୍ଦ୍ର ଅବହେଳା ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଲାଣି । ଆଗକୁ ଏହି  ଅବହେଳା ତାଲିକାରେ  ନୂଆ ନୂଆ ଫର୍ଦ୍ଦ ଯୋଡିହେବା ସହ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋରଦାର ହେବାର ସଂକେତ ମିଳୁଛି ।

ସ୍ୱରୁପା ମହାପାତ୍ର ଓ ନବ କିଶୋର ସାହୁ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *