ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

Spread the love

ଭୁବନେଶ୍ବର: ଆସନ୍ତକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ  ରାଷ୍ଟ୍ରପତି। ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି କମିଶନରେଟ ପୁଲିସ ପକ୍ଷରୁ କାରକେଡ଼ ରିହଲସେଲ କରାଯାଇଛି । ବ୍ଲୁ ବୁକ ଗାଇଡ଼ଲାଇନ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ  ରହିଛି  ଅନ୍ୟାନ୍ୟ କାର୍ଯ୍ୟକ୍ରମ।  ଗସ୍ତ ସମୟରେ ଜନସାଧାରଣ ଙ୍କ ସୁରକ୍ଷା ଓ ସୁବିଧା ଉପରେ ମଧ୍ୟ ଯଥେଷ୍ଟ ଦୃଷ୍ଟି ଦିଆଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ସରିଲା କାରକେଡ଼ ରିହରସେଲ । ଅପେକ୍ଷା ରାଷ୍ଟ୍ରପତିଙ୍କ ଗସ୍ତକୁ । ଦ୍ୱିତୀୟ ଥର  ପାଇଁ ଓଡିଶା ଆସୁଛନ୍ତି  ମହାମହିମ ରାଷ୍ଟ୍ରପତି। ଏଥିପାଇଁ ସରିଛି ସଂପୂର୍ଣ୍ଣ ପ୍ରସ୍ତୁତି। ରାଜଭବନରେ ୨୪ ଘଣ୍ଟିଆ ପୋଲିସ ନିୟୋଜିତ ହୋଇଛନ୍ତି । ମୋଟ ୪୦ ପ୍ଲାଟୁନ ପୋଲିସ ସୁରକ୍ଷା ଦାୟିତ୍ୱରେ ରହିବେ । ୨ ଶହ ପୋଲିସ ଅଫିସରଙ୍କ ନଜରରେ ରହିବ ସଂପୂର୍ଣ୍ଣ ସହର । ୧୪ ଏଡିସିପି ରାଙ୍କ ଅଫିସର, ୩୫ ଏସପି ରାଙ୍କ ଅଫିସର, ୪୭ ଇନସ୍ପେକ୍ଟର, ୧୮୮ ସବ ଇନସ୍ପେକ୍ଟର ଓ ୫୦ ହୋମଗାର୍ଡ ନିୟୋଜିତ ହେବେ । କାରକେଡର ଇନଚାର୍ଜ ଜଣେ ଏସପି ରାଙ୍କ ଅଫିସର ରହିବେ। କାରକେଡ୍ ମୁଭମେଣ୍ଟର ତଦାରଖ କରିବେ । ୨୮ଟି କାର କାରକେଡରେ ସାମିଲ ହେଉଛନ୍ତି ।

ଶୁକ୍ରବାର ସକାଳେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ ପରେ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେବେ ରାଷ୍ଚ୍ରପତି। ଅପରାହ୍ନ ୩ଟା ୫୦ ମିନିଟ ରେ ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ରମାଦେବୀର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେବେ।  ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହିବେ । ସମାବର୍ତ୍ତନ ଉତ୍ସବରେ ୨୨ ଜଣଙ୍କୁ ସ୍ବର୍ଣପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଡିଲିଟ ଉପାଧି ପ୍ରଦାନ କରାଯିବ। ଏହାସହ ୭ ହଜାର ୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ୩୦ଜଣ ସହପାଠିନୀ ଉପସ୍ଥିତ ରହିବେ ।

୧୧ ତାରିଖରେ ଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୀମିତ ସମୟ ପାଇଁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ । ପରେ କଟକ ଗସ୍ତ କରି ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ବିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି ।

ସ୍ୱରୂପା ଓ ନବକିଶୋରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *