କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନେଇ ତେଜିଲା ରାଜନୀତି l ଆଜି ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଜେଡ଼ି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା lଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଜେଡି ନେତା ଦାବି କରିଥିଲେ l ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କେନ୍ଦ୍ରାପଡାରେ ଅୟୋଜିତ ଏକ ସଭାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ପ୍ରତିଶ୍ରୁତି ଦେଇଛନ୍ତି l ଶତାଧିକ ଦଳୀୟ କର୍ମୀ ଏକ ପଟୁଆରରେ ବାହାରି ସହର ପରିକ୍ରମା କରି ଜିଲ୍ଲା ପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲେ l ଜିଲ୍ଲା ରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବା ନେଇ ମଞ୍ଚରେ ଖୁବ୍ ବର୍ଷିଥିଲେ ବିଜେଡି ନେତା l ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଜେଡ଼ି ଦାବି କରିବା ସହିତ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ରାଜ୍ୟସରକାରଙ୍କ ନିକଟରେ ଦୃଢ଼ଦାବି ଉପସ୍ଥାପନ କରିଥିଲେ l ରାଜ୍ୟ ସରକାର ପଡୋଶୀ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ସେଥିରୁ ବାଦ୍ ପଡ଼ିବା ଦୁର୍ଭାଗ୍ଯଜନକ ବୋଲି ବିଜେଡି ନେତାମାନେ ମତବ୍ୟକ୍ତ କରିଥିଲେ l ତେବେ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ପୂର୍ବରୁ ଗଣେଶ୍ଵର ବେହେରା ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ l କଂଗ୍ରେସରେ ଥିବା ବେଳେ ଗଣେଶ୍ଵର ବେହେରା “ମାଟି ପାଇଁ ପାଟି ଖୋଲ” ଅଭିଯାନ ଆରମ୍ଭ କରି ମେଡିକାଲ କଲେଜ ପାଇଁ ଦାବି କରିଥିଲେ l ଏବେ ବିଜେଡିରେ ଯୋଗଦେବା ପରେ ପୁନର୍ବାର ଗଣେଶ୍ଵର ମେଡିକାଲ ଆନ୍ଦୋଳନ ଆରମ୍ଭ କରିଛନ୍ତି l କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଧାରଣା କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲା ବିଜେଡି ସଭାପତି ଧୀରେନ୍ ସାହୁ, ମୁନିସପାଲଟି ଚେୟାରମ୍ୟାନ ସରିତା ସାହୁଙ୍କ ସମେତ ବହୁ ବିଜେଡି ନେତା ଯୋଗଦେଇ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଲଢେଇ ଜୋରଦାର୍ ହେବା ନେଇ ଚେତାବନୀ ଦେଇଥିଲେ l

Naxatra News is now on Whatsapp
Join and get latest news update delivered to you via whatsapp
Join Now