ବିଧାନସଭାରେ କା’

ଭୁବନେଶ୍ବର: ରାଜ୍ୟରେ ଚାଷୀ ଶୋଷଣର ଶୀକାର। ଉଚିତ ମୂଲ୍ୟ ପାଉନି। ତା ସାଙ୍ଗକୁ ଇନପୁଟ ସବସିଡି ଓ  ବୀମାରାଶି ପାଇବାରୁ ବି ବଞ୍ଚିତ। ଏ ସମ୍ପର୍କିତ ମୁଲତବୀ ଆଲୋଚନାକୁ ନେଇ ଆଜି ସରଗରମ ଥିଲା ଗୃହ। ସମବାୟ ମନ୍ତ୍ରୀଙ୍କ ବଦଳରେ କା ସାଜି ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ଦେବାରୁ ଏହାକୁ ବିରୋଧ କରି ବିଜେପି ଗୃହ ଭିତରେ ଧାରଣା ଦେଇଥିଲା। ସେପଟେ ଚାଷୀ ସମସ୍ୟା ନେଇ କେବଳ ରାଜନୀତି ହେଉଛି, କିନ୍ତୁ ଆନ୍ତରିକତା ନାହିଁ କହି ଗର୍ଜିଛି କଂଗ୍ରେସ।

ଧାନ ବିକ୍ରିରେ ବ୍ୟାପକ ଅବ୍ୟବସ୍ଥା। ନା ଚାଷୀ ଉଚିତ୍ ଦର ପାଉଛି ନା ଠିକ୍ ସମୟରେ ଇନପୁଟ ସବସିଡି ସହ ବୀମାରାଶି ପାଉଛି। ଚାଷୀ ସମସ୍ୟା ନେଇ ବିଧାନସଭାରେ ଦଳମତ ନିର୍ବିଶେଷରେ ଯଦି ସମସ୍ତଙ୍କ ସମାନ ଉଦବେଗ ରହିଛି। ତେବେ ଶୁକ୍ରବାର ଏ ନେଇ ବିଜେପି କାହିଁକି ମୁଲତବୀ ନୋଟିସ୍ ଦେଲାନି। ଶାସକ ଦଳ କାହିଁକି ବିରୋଧୀ ଭୂମିକା ନିର୍ବାହ କରି ଗୃହର ମଧ୍ୟଭାଗକୁ ଆସି ନାରାବାଜି କଲେ। ଏତେ ଯାତ୍ରା, ନାଟକବାଜି କାହିଁକି। ଦୁର୍ନୀତି ପାଇଁ କାଳିଆ ସ୍କିମ୍ ଆଣିଲ। କେତେ ଗାଁରେ ମରୁଡି, ସେ ନେଇ ସରକାରଙ୍କ ପାଖରେ ତଥ୍ୟ କାଇଁ। ପଦ୍ମପୁର ଉପ-ନିର୍ବାଚନକୁ ଚାହିଁ ଇନପୁଟ ସବସିଡି ଘୋଷଣା ହୋଇଛି। ପଦ୍ମପୁରର ୩ ବ୍ଲକକୁ କାହିଁକି କେବଳ ଫସଲ ବୀମା। ଏମିତି ଗୁଡ଼ାଇତୁଡ଼ାଇ ମୁଲତବୀ ଆଲୋଚନା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ।

ସେପଟେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ବଦଳରେ ପଞ୍ଚାୟତିରାଜ ମନ୍ତ୍ରୀ କା ସାଜି ଉତ୍ତର ରଖିବାକୁ ବିରୋଧ କରି ବିଜେପି ବାଚସ୍ପତିଙ୍କ ପୋଡିଅମ ତଳେ ଧାରଣା ଦେଇଥିଲା। ଆଉ ପରେ କକ୍ଷତ୍ୟାଗ କରିଥିଲା। ପଦ୍ମପୁର ପ୍ରଚାର ଚିନ୍ତା ଏତେ ଘାରିଛି ଯେ, ବିଧାନସଭାକୁ ଗୌଣ କରିଦିଆଯାଉଛି କହି ଗର୍ଜିଛି ବିଜେପି। ଚାଷୀ ସମସ୍ୟାର ସମାଧାନ ଲାଗି ଚିନ୍ତା ନାହିଁ। ଆଉ କାଉଣ୍ଟରରେ ଗୃହରେ ଧାରଣା ନ ଦେଇ ବରଂ ରବିବାର ଓଡ଼ିଶା ଆସୁଥିବା କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିକଟରେ ଧାରଣା ଦେଇ ହକ୍ ମାଗନ୍ତୁ ବୋଲି କଟାକ୍ଷ କରିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ। ଫସଲବୀମା ଦେବାକୁ କେନ୍ଦ୍ରକୁ ୧୫ରୁ ଅଧିକ ଚିଠି ଲେଖାଗଲାଣି। କିନ୍ତୁ ଫଳ ଶୂନ୍। ଏମଏସପି ବୃଦ୍ଧି ଦିଗରେ କେନ୍ଦ୍ର ପୁରା ନୀରବ। ଧାନ ସଂଗ୍ରହକୁ ବ୍ୟବସ୍ଥିତ କରିବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି।

ଚାଷୀ ସମସ୍ୟା ନେଇ ଶୁକ୍ରବାର ଗୃହ ଭିତରେ ଓ ବାହାରେ ତୁମ୍ୱିତୋଫାନ କରିଥିଲେ ଉଭୟ ଶାସକ ଓ ବିରୋଧୀ। ବିଜେଡି ଗାନ୍ଧୀମୂର୍ତ୍ତି ତଳେ ବିକ୍ଷୋକ୍ଷ କରି ରାଜଭବନକୁ ପଦଯାତ୍ରା କରିଥିଲା ବେଳେ ବିଜେପି ବିଧାନସଭାରୁ ପଦଯାତ୍ରା କରି ଲୋୟର ପିଏମଜି ଧାରଣାସ୍ଥଳ ଓ ପରେ ରାଜଭବନ ଯାଇଥିଲା। କଂଗ୍ରେସ ବି ଗୃହ ଭିତରେ ନାରାବାଜି କରିଥିଲା। ଫଳରେ ଗୃହ ଅଚଳ ହୋଇଯାଇଥିଲା।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *