ଓଡ଼ିଶା
ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଥିବା ବେଳେ କିନ୍ତୁ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ବଙ୍ଗୋପସାଗରରେ ଗତ କିଛି ସପ୍ତାହ ହେଲା ସିରିଜ ଲଘୁଚାପ ସୃଷ୍ଟି ହେଉଥିବାରୁ ବର୍ଷା ଜାରି ରହିଥିବା ବେଳେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବା ନେଇ ଆଶଙ୍କା ଦେଖା ଦେଇଛି।
ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ସେପ୍ଟେମ୍ବର ୨୫ ବେଳକୁ ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଟ୍ରଫ୍ ଲାଇନ ସୃଷ୍ଟି ସମ୍ଭାବନା ରହିଛି । ସେପ୍ଟେମ୍ବର ୨୬ରେ ଏହା ଏକ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୨୭ ବେଳକୁ ଏହା ଆହୁରି ଚିହ୍ନିତ ହୋଇ ଲଘୁଚାପରେ ପରିଣତ ହୋଇପାରେ ।
ତେଣୁ ଏହାର ପ୍ରଭାବରେ ସେପ୍ଟେମ୍ବର ୨୮ରେ ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ସ୍ଥାନରେ ବର୍ଷା ହେବାର ଅନୁମାନ କରାଯାଉଛି। ଏହା ପରେ ପୁଣି ୨୯ ତାରିଖ ବେଳକୁ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ଏସିଆ ଅତିକ୍ରମ କରି ବଙ୍ଗୋପସାଗରରେ ପ୍ରବେଶ କରିବ।