ବିପର୍ଯ୍ୟସ୍ତ ରାସ୍ତା

Spread the love

କେନ୍ଦୁଝର:  ହଜାର ହଜାର କୋଟି ଟଙ୍କାର ରାଜସ୍ଵ ଦେଉଛି ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲା । କିନ୍ତୁ ଜିଲ୍ଲାବାସୀଙ୍କ ପାଇଁ ସର୍ବନିମ୍ନ ମୈାଳିକ ସୁବିଧା ମିଳିବା ମଧ୍ୟ ସ୍ୱପ୍ନ ହୋଇଛି। ଯେଉଁଠି ଧୂଳି ଧୂଆଁର ଆସ୍ତରଣରେ ଅଣନିଃଶ୍ୱାସୀ ଲୋକ ରୋଗାକ୍ରାନ୍ତ ହେଉଛନ୍ତି ସେଠି ଗମନା ଗମନ ପାଇଁ ଉପଯୁକ୍ତ ରାସ୍ତା ନଥିବା ଓ ଖାଲଖମା ରାସ୍ତାରେ ଜୀବନକୁ ପାଣି ଛଡେଇ ଯିବା ଅଞ୍ଚଳବାସୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଯାହାକୁ ନେଇ ଜନଅସନ୍ତୋଷ ବଢିଥିବା ବେଳେ ରାସ୍ତା ନିର୍ମାଣ ଦାବୀ ରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ହଜାର ହଜାର ସଂଖ୍ୟାର ଯାନବାହାନ ରାସ୍ତାରେ ଅଟକି ରହିଛି ।

କେନ୍ଦୁଝର ପଳାଶପଙ୍ଗା ଠାରୁ ବାମେବାରୀ ପର୍ଯନ୍ତ ଥିବା ୨ ନଂ ଏକ୍ସପ୍ରେସ ହାଇୱେ ରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ ସହ ଏକାଧିକ ଯାତ୍ରୀବାହୀ ଯାନବାହାନ ଚଳାଚଳ କରିଥାଏ । ହେଲେ ପଳାଶପଙ୍ଗା ଛକ ଠାରୁ ଧନୁର୍ଜୟପୁର ଗ୍ରାମ ପର୍ଯ୍ୟନ୍ତ ୭ କି.ମି ରାସ୍ତା ଦୀର୍ଘ ଦିନ ଧରି ମରାମତି ଆଭାବ ରୁ  ବିପର୍ଯ୍ୟସ୍ତ ହୋଇପଡିଛି । ରାସ୍ତା ଉପରୁ ସଂପୂର୍ଣ୍ଣ ପିଚୁ ଉଠି ଯାଇଥିବା ବେଳେ ରାସ୍ତା ସାରା ଖାଲ ଖମା ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତାରେ ଯାନବାହାନ ଚଳାଚଳ ସମୟ ରେ ପ୍ରବଳ ଧୂଳି ଧୂଆଁ ଉଡୁଛି । ଏପରିକି କୂଅ, ପୋଖରୀ, ଘର ଭିତରେ ଥିବା ଖାଦ୍ୟ ଦ୍ରବ୍ୟ ଓ ଅନ୍ୟ ଆସବାବପତ୍ର ସମେତ ଏହି ଅଞ୍ଚଳ ରେ ଥିବା ସ୍କୁଲର କ୍ଲାସରୁମ ଓ କମ୍ପ୍ୟୁଟର ରୁମରେ ଧୂଳିର ଆସ୍ତରଣ ଜମି ସବୁ ନଷ୍ଟ ହେବା ଆରମ୍ଭ କରିଛି । ଗଛପତ୍ରର ରଙ୍ଗ ବଦଳିଗଲାଣି । ଏହି ଧୂଳି ଧୂଆଁ ଯୋଗୁଁ ଅଞ୍ଚଳବାସୀ  ଶ୍ଵାସ ଓ ଚର୍ମ ଜନିତ ରୋଗ ରେ ପିଡିତ ହେଉଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ସ୍ତରରେ ତୁରନ୍ତ ରାସ୍ତା ନିର୍ମାଣ କରି ଗ୍ରାମବାସୀଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦିଆଯାଉ ବୋଲି ଦାବି ହୋଇଛି । ଏକାଧିକ ବାର ପ୍ରଶାସନକୁ ଏ ସମସ୍ୟା କୁହା ହୋଇଥିଲେ ମଧ୍ୟ ତା ପ୍ରତି ଦୃଷ୍ଟି ନଦେବାରୁ ନିରୁପାୟ ଗ୍ରାମବାସୀ କଣ୍ଡରାପଶି ଛକରେ ପ୍ରାୟ ୨୪ ଘଣ୍ଟା ଧରି ରାସ୍ତା ଅବରୋଧ କରି ବସି ରହିଛନ୍ତି । କିନ୍ତୁ କୌଣସି ଅଧିକାରୀ ଆଲୋଚନା ପାଇଁ ନ ପହଞ୍ଚିବା ପ୍ରଶାସନର ଆଭିମୁଖ୍ୟକୁ ସୂଚାଇଛି । ଏପରିକି କ୍ୟାମେରା ସାମ୍ନା ରେ ମଧ୍ୟ ଅଧିକାରୀମାନେ ମୁହଁ ଖୋଲିବାକୁ ନାରାଜ ।

ରତ୍ନଗର୍ଭା କେନ୍ଦୁଝର ରାଜକୋଷକୁ ସମୃଦ୍ଧ କରିବାରେ ଯେତିକି ଭାଗିଦାରୀ ହୋଇଛି ତା ପ୍ରତି ବଦଳରେ ସେ ଅଞ୍ଚଳ କାଣିଚାଏ ବି ପାଉନି। ସେଥିପାଇଁ ଗ୍ରାମବାସୀଙ୍କୁ ଦିନ ଦିନ ରାସ୍ତାରେ ଧାରଣା ଦେବାକୁ ପଡ଼ୁଛି । ସମୟ କହିବ କେବେ ସମାଧାନର ବାଟ ଫିଟିବ । କେବେ ଅଞ୍ଚଳ ତା ପ୍ରାପ୍ୟ ପାଇବ ।

ପାର୍ଥ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *