ଓଡ଼ିଶା

ପ୍ରଶାସନ ଦୃଷ୍ଟି ଆଢୁଆଳେ ସିଦ୍ଧେଶ୍ବର ପୀଠ

ଯାଜପୁର:  ଜରାଜୀର୍ଣ୍ଣ ଅବସ୍ଥାରେ ଯାଜପୁରର ସିଦ୍ଧେଶ୍ବର ପୀଠ । ଅସ୍ଥି ବିର୍ସଜନ ପାଇଁ ଭାରତର କୋଣ ଅନୁକୋଣରୁ ପ୍ରତିଦିନ ଏଠାକୁ ଲୋକଙ୍କର ସୁଅ ଛୁଟୁଥିବା ବେଳେ ପ୍ରଶାସନର ଅବହେଳା ଯୋଗୁଁ ଏହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି । ତେଣୁ ଏହି  ସ୍ଥାନ ର ପୁନଃଉଦ୍ଧାର ପାଇଁ ଦାବି ହେଉଛି।

ଅସ୍ଥି ବିସର୍ଜନ ପାଇଁ ଭାରତବର୍ଷରେ ଯେଉଁସବୁ ସ୍ଥାନ ରହିଛି , ସେଥି ମଧ୍ୟରୁ ଯାଜପୁରର ସିଦ୍ଧେଶ୍ବର ପୀଠ ଅନ୍ୟତମ । ଏହି ପୀଠ ଧିରେ ଧିରେ ଲୋପ ପାଇବାକୁ ବସିଲାଣି। ପଦ୍ମ ପୁରାଣ ଅନୁସାରେ ୭ ଥର ପୁରୀ ଯିବାର ପୂଣ୍ୟ ଥରେ ସିଦ୍ଧେଶ୍ୱର ରଶିକାକୁଡିରୁ ମିଳିଥାଏ। ରାଜା ଯଯାତୀ କେଶରୀଙ୍କ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ହେଲେ ଆଜି ଏହି ମନ୍ଦିର ମାଟିରେ ମିଶିଯିବାକୁ ବସିଛି। ବୈତରଣୀ ନଦୀ କୂଳରେ ଥିବା ଉଭୟ ସିଦ୍ଧେଶ୍ୱର ଓ ଅସ୍ଥିଶ୍ୱର ମନ୍ଦିରକୁ ପୁନଃଉଦ୍ଧାର କରିବାକୁ ଦାବି କରିଛନ୍ତି ସେବାୟତ ଓ ପର୍ଯ୍ୟଟକ ।

ବିଶ୍ୱାସ ରହିଛି ଏହି ସ୍ଥାନରେ ଥିବା ଅସ୍ଥିଶ୍ୱର ମନ୍ଦିରକୁ ସାକ୍ଷୀ ରଖି ଲୋକେ ନିଜର ପିତୃ ପୁରୁଷଙ୍କ ‌ଆତ୍ମାର ପୁନଃଜନ୍ମ ନ ହୋଇ ମୋକ୍ଷ ପ୍ରାପ୍ତି ପାଇଁ ଅସ୍ଥି ବିସର୍ଜନ କରି ପିଣ୍ଡଦାନ କରନ୍ତି। ପ୍ରତିଦିନ ଏଠାକୁ ଶହ ଶହ ଲୋକଙ୍କ ସୁଅ ଛୁଟେ । ପ୍ରଶାସନର ଅବହେଳା ଯୋଗୁଁ ଏହା ଏବେ ଲୁପ୍ତ ପ୍ରାୟ ଅବସ୍ଥାରେ। ଏଠାରେ ଶୌଚାଳୟ ନ ଥିବାରୁ ପର୍ଯ୍ୟଟକମାନେ  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ଖୁବ ଶୀଘ୍ର ମନ୍ଦିରର ପୁର୍ନରୁଦ୍ଧାର  କରାଯିବ ବୋଲି  କହିଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲାପାଳ।

ତେବେ ଭଗ୍ନ ଅବସ୍ଥାରେ ପଡିରହିଥିବା ସିଦ୍ଧେଶ୍ୱରପୀଠ ପରିସରରେ ଥିବା ଅସ୍ଥିଶ୍ୱର ଓ ଶ୍ମଶାନେଶ୍ୱର ମନ୍ଦିର ଉପରେ କେବେ ପ୍ରଶାସନର ନଜର ପଡୁଛି , ତାହା ଦେଖିବାକୁ ବାକି ରହିଲା..

ହିମାଂଶୁ କୁମାର ପାଢ଼ୀ

Leave a Reply

Your email address will not be published.

Back to top button