ସୌମ୍ୟଙ୍କ ସିଧା ନିଶାନା

() ଏଥର ବୁଲେଇ ବଙ୍କେଇ ନୁହେଁ। ସିଧାସଳଖ ସରକାରଙ୍କୁ ନିଶାନା। ଯାହାକୁ ନେଇ ପୁଣି ଚର୍ଚ୍ଚାରେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨୩ ବର୍ଷ ହେଲା କ୍ଷମତାରେ ଥିବା ବିଜେଡି ଆଉ କେତେଦିନ ବିଜୁ ବାବୁଙ୍କ ନାଁରେ କ୍ଷମତାର ମହୁ ପିଇବ ବୋଲି ତୀର୍ଯ୍ୟକ ତୀର ମାରିଛନ୍ତି। ସେପଟେ ଏହାକୁ ନେଇ ପୁଣି ରାଜନୀତିକ ଘମାସାନ ଲାଗି ଖୋରାକ୍ ଯୋଗାଇଛନ୍ତି ସୌମ୍ୟ।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସାହସ, ନିର୍ଭୀକତା ଓ ସ୍ୱପ୍ନକୁ ନେଇ ଗର୍ବ କରିବାର ଅଭ୍ୟାସ ଆଉ ବେଶୀ ଦିନ ଚଳିବନି। ତାଙ୍କ ଲାଗି ଖାଲି ଗର୍ବ ନ କରି ଅନୁକରଣ କରିବା ଉଚିତ। ପାରାଦୀପରେ ବିଜୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀରେ ମୁଖ୍ୟ ଅତିଥି ସୌମ୍ୟରଞ୍ଜନ ପଟ୍ଟନାୟକ ଏତିକିରେ ସୀମିତ ରହିନଥିଲେ। ୨୩ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ବିଜୁ ବାବୁଙ୍କ ନାଁରେ ମହୁ ଖାଇବାର ଯୋଗ୍ୟତା ଅଛି ତ ବୋଲି ପ୍ରଶ୍ନ ପଚାରି ପୁଣି ବିବାଦକୁ ଟାଣି ହୋଇଯାଇଛନ୍ତି।

ବିଜେଡିକୁ ତୀର୍ଯ୍ୟକ ତୀର ମାରିବାରେ ଏହା ପ୍ରଥମ ଘଟଣା ନୁହେଁ। ଏହା ଆଗରୁ ବିଧାନସଭା ଭିତରେ ଓ ବାହାରେ ବି ତେରେଛା ତୀର ମାରିସାରିଛନ୍ତି ସୌମ୍ୟ। ନିଜ କଲମମୁନରେ ବି ଅନେକ ଥର ସମ୍ପାଦକୀୟରେ ବିଜେଡିକୁ ଲହୁଲୁହାଣ କରିସାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିହେଉନି। ସତ କହିଲେ ବହିଷ୍କାର। ସବୁ ଜୀବନ ଯଦି ମୂଲ୍ୟବାନ୍, ତେବେ ସରକାରଙ୍କ ପାତରଅନ୍ତର କାହିଁକି। ଏମିତି ଅନେକ କଥା ଓଗାଳିଛନ୍ତି। ଆଉ ସରକାର କିଏ ଚଳାଉଛି, ଏ ପ୍ରଶ୍ନର ଉତ୍ତର ମାଗି ପୁଣି କଟାକ୍ଷ କରିଛନ୍ତି ବିରୋଧୀ।

ତେବେ ସୌମ୍ୟଙ୍କ ଏହି ନୂଆ ଅବତାର ଯେମିତି ବିରୋଧୀଙ୍କୁ ବେଶ୍ ସୁହାଉଛି। ଆଉ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ବି ସୌମ୍ୟଙ୍କୁ ତୀର୍ଯ୍ୟକ ତୀର ମାରିବାରେ ଲାଗିଛନ୍ତି। ତା ସହ ଶାସକ ଦଳ ବି ଏ କଥାର କାଉଣ୍ଟର କରିବାକୁ ବାଟ ପାଉନି। ଅବଶ୍ୟ ସୌମ୍ୟଙ୍କ ମତ ସହ ଦଳ ଏକମତ ନୁହେଁ ବୋଲି ଅନେକ ତୁଙ୍ଗ ନେତା ଆଗକୁ ଆସି ଯଦିଓ କହୁଛନ୍ତି। କିନ୍ତୁ ସୌମ୍ୟ ସତ କହୁଛନ୍ତି କି ନାହିଁ। ସେ କଥାର ପୁଷ୍ଟି କରିବାକୁ ଯେମିତି ଟିକେ ଥତମତ ବି ହେଉଛନ୍ତି। ଆଜି ସୌମ୍ୟ ଯାହା କହି ଆଶଙ୍କା ପ୍ରକାଶ କରିଛନ୍ତି, ଦଳର ପ୍ରତିଷ୍ଠା ଦିବସରେ ଅନୁରୂପ ଭାବେ ତୁଙ୍ଗ ନେତା ପ୍ରସନ୍ନ ଆଚାର୍ଯ୍ୟ ଏ କଥା ଉଖାରିଥିଲେ। ବିଜୁଙ୍କ ଆଦର୍ଶରେ ଦଳ ଚାଲୁଛି କି ନାଁ, ତାକୁ ନେଇ ପ୍ରସନ୍ନ ସନ୍ଦେହ କରିଥିଲେ।

ବିଜୁ ବାବୁ ଥିଲେ ଅନନ୍ୟ ଓ ବ୍ୟତିକ୍ରମ। କିନ୍ତୁ ବିଜୁଙ୍କ ନାଁରେ ଗଢ଼ା ଦଳ କ୍ଷମତାସୀନ ହେବା ପରଠୁ ତାଙ୍କରି ନାଁ ଓ ଆଦର୍ଶରେ ଏ ଯାଏ ଦଳ ଚାଲିଛି କି ନାଁ, ତାକୁ ନେଇ ସୌମ୍ୟଙ୍କଠୁ ନେଇ ପ୍ରସନ୍ନଙ୍କ ଯାଏ, ପ୍ରଶ୍ନ ଉଙ୍କିମାରୁଛି।

ପାରାଦୀପରୁ ସୁବ୍ରତ ନାୟକ ଓ ଭୁବନେଶ୍ୱରରୁ ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *