ବିଧାନସଭାରେ ନକଲି ସାର୍ଟିଫିକେଟ ଝଡ଼

() ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ଡାକ ମଣ୍ଡଳରେ ନକଲି ସାର୍ଟିଫିକେଟ କାରନାମା ଧରାପଡ଼ିବା ପରେ ଆଉ ଅଭିଯୁକ୍ତଙ୍କୁ ପୁଲିସ ବାନ୍ଧିବା ପରେ ଏହାକୁ ନେଇ ବିଧାନସଭାରେ ବି ସ୍ୱର ଉଠିଛି। ବଡ଼ କଥା ହେଲା, ଜାଲି ସାର୍ଟିଫିକେଟ ତିଆରିରେ ବିଜେଡି ଆଇଟି ସେଲ୍ ସାମିଲ ଥିବାର ଗମ୍ଭୀର ଆରୋପ ଲଦିଛନ୍ତି ବିରୋଧୀ। ଆଉ ଶାସକ ଦଳ କହିଛି, ଯିଏ ବି ଏଥିରେ ଜଡ଼ିତ ଥାଉ ନାଁ କାହିଁକି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ସାର୍ଟିଫିକେଟ ପିଛା ୫୦ ହଜାରରୁ ୫ ଲକ୍ଷ। ବିଭିନ୍ନ ଶିକ୍ଷାନୁଷ୍ଠାନର ଜାଲି ସିଲ୍, ଷ୍ଟାମ୍ପ ବ୍ୟବହାର କରି ନକଲି ସାର୍ଟିଫିକେଟର ରାକେଟ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ଆଲୋକ ଉଦଗାତାଙ୍କ ସମେତ ସହଯୋଗୀ ୧୯ ଜଣଙ୍କୁ ବଲାଙ୍ଗୀର ପୁଲିସ ଗିରଫ ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେପଟେ କେନ୍ଦ୍ରାପଡ଼ାରେ ବି ଜାଲି ସାର୍ଟିଫିକେଟର ଚେର ଲମ୍ୱିଛି। ଡାକ ପଦବୀ ପାଇଁ ନକଲି ସାର୍ଟିଫିକେଟ ବଳରେ ଚାକିରୀ ହାତେଇବା ଘଟଣା ସାରା ରାଜ୍ୟରେ ଚିନ୍ତା ବଢ଼ାଇଥିଲା ବେଳେ ଏହାକୁ ନେଇ ବିଧାନସଭାରେ ବି ଝଡ଼ ଦେଖିବାକୁ ମିଳିଛି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ଜାଲି ସାର୍ଟିଫିକେଟ ରାକେଟରେ ବିଜେଡି ନେତାଙ୍କ ସଂପୃକ୍ତି କଥା ଆଣିଛନ୍ତି। ବିଜେଡି ଆଇଟି ସେଲର ସଦସ୍ୟ ଗିରଫ ହୋଇଥିବାରୁ ଅଭିଯୁକ୍ତଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ବୁକ୍ କରିବାକୁ ବାଚସ୍ପତିଙ୍କୁ ରୁଲିଂ ଦାବି କରିଥିଲେ।
ସେପଟେ ବିଜେପି ବି ସମାନ କଥା କହିଛି। ଏଭଳି ଜାଲି ସାର୍ଟିଫିକେଟ ବଳରେ ଚାକିରୀ କରୁଥିବେ ଅନେକ। ଏହାର ତଦନ୍ତ ହେଉ। ଗିରଫ ୧୯ ଜଣଙ୍କ ଭିତରେ ବିଜେଡି ଆଇଟି ସେଲ୍ ସଦସ୍ୟ ଥିବାରୁ ବିଜେଡି ନେତାଙ୍କ ଦୁର୍ନୀତି ଓ ସଂପୃକ୍ତି ସ୍ପଷ୍ଟ ହୋଇଛି। ଶାସକ ଦଳର ଛତ୍ରଛାୟା ତଳେ ଏହା ଚାଲୁଥିବାର ଅଭିଯୋଗ ଆଣିଛି ବିଜେପି। ଆଉ ଶାସକ ଦଳ କହିଛି, ଜାଲି ସାର୍ଟିଫିକେଟ ଯିଏ ବି କରୁନା କାହିଁକି, ତାହା ଜଘନ୍ୟ ଅପରାଧ। ଏଥିରେ ଯିଏ ସଂଶ୍ଳିଷ୍ଟ ଥିବେ, ସେମାନେ ଦୋଷୀ। ଦଳମତ ନିର୍ବିଶେଷରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।
ବଲାଙ୍ଗୀର ଡାକ ମଣ୍ଡଳରେ ଜାଲି ସାର୍ଟିଫିକେଟ ଦେଇ ଚାକିରୀ ଆବେଦନ କରି କେତେଜଣ ପ୍ରାର୍ଥୀ ଧରାପଡିବା ପରେ ପୁଲିସ ତଦନ୍ତ କରି ଏହି ରାକେଟକୁ ଧରିଛି। ଜାଲି ସାର୍ଟିଫିକେଟ କାରବାର ଆନ୍ତଃ ରାଜ୍ୟ ରାକେଟ ହୋଇଥିବାରୁ ଏହାର ପର୍ଦ୍ଦାଫାସ କରିବାକୁ ବଡ଼ ଧରଣର ଆକ୍ସନ ଜରୁରୀ।
ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ