ଶିକ୍ଷକଙ୍କ ରଣହୁଂକାରର ସ୍ୱର ବିଧାନସଭାରେ ଶାଣିତ

ଭୁବନେଶ୍ବର:  ରାଜଧାନୀରେ ଶିକ୍ଷକଙ୍କ ରଣହୁଂକାରର ସ୍ୱର ବିଧାନସଭାରେ ଶାଣିତ ହୋଇଛି। ଦଳମତ ନିର୍ବିଶେଷରେ ଶିକ୍ଷକଙ୍କ ସମସ୍ୟା ସମାଧାନ ଲାଗି ଗୃହରେ ଉଦବେଗ ପ୍ରକାଶ ପାଇଛି। ଆଉ ଶେଷରେ ଶିକ୍ଷକଙ୍କ ଦାବି ପ୍ରତି ସରକାର ଅନୁଧ୍ୟାନ କରିବାକୁ ନିର୍ଦେଶ ଦେଇଛନ୍ତି ବାଚସ୍ପତି। ମହାସଂଘକୁ ଆଲୋଚନା ଲାଗି ସରକାର ଡାକିଛନ୍ତି। ସେପଟେ ଆନ୍ଦୋଳନରତ ଶିକ୍ଷକ ବି ରୋକଠୋକ୍ ଶୁଣାଇଦେଇଛନ୍ତି ଯେ, ଦାବି ପୂରଣ ନ ହେଲେ ଆହୁରି ତୀବ୍ର ହେବ ଆନ୍ଦୋଳନ।

ଚୁକ୍ତିଭିତ୍ତିକ ନିଯୁକ୍ତି ଉଛେଦ, ମୂଳ ଚାକିରୀକୁ ସରକାରୀ ସେବା ଭାବେ ଗ୍ରହଣ ସହ ୬ଟି ପଦୋନ୍ନତି, ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ, ସପ୍ତମ ବେତନ କମିଶନ ହାରରେ ଦରମା ଆଦି ଦାବିରେ ବିଧାନସଭା ସମ୍ମୁଖରେ ରଣହୁଂକାର ଦେଇଛନ୍ତି ଲକ୍ଷାଧିକ ଶିକ୍ଷକ। ଆଉ ଏମାନଙ୍କ ସ୍ୱରକୁ ଆଜି ଦଳମତ ନିର୍ବିଶେଷରେ ବିଧାନସଭାରେ ବି ପ୍ରତିଫଳିତ ହୋଇଛି। ପ୍ରଶ୍ନୋତ୍ତର କାଳ ଆରମ୍ଭରୁ କଂଗ୍ରେସ ଓ ବିଜେପି ଶିକ୍ଷକଙ୍କ ସମସ୍ୟା ସମାଧାନ ଦାବିରେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ସାଢେ ୧୧ଟା ଯାଏ ଗୃହ ମୁଲତବୀ ହୋଇଥିଲା। ଏହା ପରେ ଗୃହରେ ସଚଳାବସ୍ଥା ଆଣିବାକୁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ଦଳମତ ନିର୍ବିଶେଷରେ ଗୃହରେ ଶିକ୍ଷକଙ୍କ ସମସ୍ୟା ନେଇ ଉଦବେଗ ପ୍ରକାଶ ପାଇଥିଲା।

ଲକ୍ଷାଧିକ ଶିକ୍ଷକ ଧର୍ମଘଟରେ ଥିଲା ବେଳେ ଶିକ୍ଷାମନ୍ତ୍ରୀ ପଦ୍ମପୁର ପ୍ରଚାରରେ। ଲମ୍ୱା ଛୁଟିରେ। ଏଭଳି ମନ୍ତ୍ରୀଙ୍କୁ କାହିଁକି ଏଭଳି ବିଭାଗ ଧରାଇଦିଆଯାଇଛି। ସ୍କୁଲରେ ପାଠ ଠପ୍। ଏଭଳି ଆନ୍ଦୋଳନରେ କେବଳ ଶିକ୍ଷକ କଷ୍ଟ ପାଉନାହାନ୍ତି, ଜନସାଧାରଣଙ୍କଠୁ ନେଇ ଆମ୍ୱୁଲାନ୍ସ ବି ଅସୁବିଧାରେ ପଡ଼ିଛି। ଠିକା ନିଯୁକ୍ତି ବନ୍ଦ ଘୋଷଣାକୁ ଐତିହାସିକ କହି ବାହାବା ନେଇଥିବା ସରକାର ଏବେ କାହିଁକି ଶିକ୍ଷକ ସମସ୍ୟା ନେଇ ଚୁପ୍। ପରିସ୍ଥିତି ଅଣାୟତ୍ତ ହେଲେ ସରକାର ଦାୟୀ ରହିବେ। ସେପଟେ ଶାସକ ଦଳର କହିବା କଥା, ଶିକ୍ଷକଙ୍କ ସମସ୍ୟା ସମାଧାନ ଦିଗରେ ସରକାର ସଚେତନ ଓ ସମ୍ୱେଦନଶୀଳ। ଠିକାପ୍ରଥା ଉଛେଦ ହୋଇଛି। ଆଉ ଯିଏ ବାଦ୍ ପଡ଼ିଯାଇଛନ୍ତି, ସେମାନଙ୍କ କଥାକୁ ବିଚାର କରାଯିବ।

ଗୃହରେ ଦଳମତ ନିର୍ବିଶେଷରେ ଉଦବେଗ ପ୍ରକାଶ ପାଇବା ପରେ ବାଚସ୍ପତି ରୁଲିଂ ଦେଇଥିଲେ। ଶିକ୍ଷକଙ୍କ ଦାବି ପ୍ରତି ସରକାର ଧ୍ୟାନ ଦେବାକୁ ନିର୍ଦେଶ ଦେଇଛନ୍ତି। ସେପଟେ ଲୋୟର ପିଏମଜିରେ ଧାରଣାରତ ଶିକ୍ଷକ ମହାସଂଘକୁ ସରକାର ଆଲୋଚନା କରିବାକୁ ଡାକିଛନ୍ତି। କିନ୍ତୁ ଦାବି ପୂରଣ ନ ହେଲେ ଆନ୍ଦୋଳନ ଅଧିକ ତୀବ୍ର ହେବ ବୋଲି ଚେତେଇ ବି ଦେଇଛି ମହାସଂଘ। ଆଜି ସମଗ୍ର ଓଡ଼ିଶାରେ ପ୍ରାଥମିକ ଶିକ୍ଷାଦାନ ବି ବନ୍ଦ ରହିଥିଲା। ଶିକ୍ଷକଙ୍କ ରଣହୁଙ୍କାରର ସ୍ୱର ବିଧାନସଭାରେ ଶାଣିତ ହୋଇଛି। ଆଜିଠୁ ଅଧିକାଂଶ ସ୍କୁଲରେ ତାଲା ପଡ଼ିଯାଇଛି କହିଲେ ଭୁଲ୍ ହେବନି।

ସିମ୍ପୁଲ ନାୟକ, ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *