ଭୁବନେଶ୍ୱର : ରେଳ ମନ୍ତ୍ରଣାଳୟର ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ଓ ଅନ୍ୟ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଆଭାସ ପଦ୍ଧତିରେ ଯୋଗ ଦେଇଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେ ଓଡ଼ିଶାରେ ରେଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବା ଯୋଗୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବା ସହ ରାଜ୍ୟ ପାଇଁ ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ପୁରୀ- ରାଉରକେଲା ଏବଂ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଲାଗି ଦାବି କରିଥିଲେ ।
ନିଜର ସମ୍ବୋଧନରେ ମୁଖ୍ୟମନ୍ତ୍ରୀ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଦାବିକୁ ପୁଣି ଦୋହରାଇଥିଲେ । ପୁରୀରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କରାଯାଉ, ଆଗାମୀ ୩/୪ ବର୍ଷ ଭିତରେ ଏହି ଏୟାରପୋର୍ଟର କାମ ଶେଷ ହେଉ । ନିଜେ ପ୍ରଧାନମନ୍ତ୍ରୀ ପୁରୀ ବିମାନବନ୍ଦରର ଲୋକାର୍ପଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ ।
ସେ କହିଥିଲେ ଯେ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ମଧ୍ୟରେ ନୂଆ ରେଳ ଲାଇନ କାମ ହେଉ । ରେଳ ଚାଲୁ । ଏହା ରାଜ୍ୟର ପର୍ଯ୍ୟଟନ ବିକାଶକୁ ଆଗକୁ ନେବ । ଏଥିସହ ଅନୁଗୁଳ- ସୁକିନ୍ଦା ଏବଂ ହରିଦାସପୁର-ପାରାଦୀପ ଲାଇନରେ ଶୀଘ୍ର ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ମଧ୍ୟ ସେ ଦାବି କରିଥିଲେ ।
ସେ କହିଥିଲେ ଯେ ପୁରୀ-କୋଣାର୍କ ରେଳ ପ୍ରକଳ୍ପରେ ରାଜ୍ୟ ସରକାର ସବୁପ୍ରକାର ସହଯୋଗ କରିବେ । ଏ ପ୍ରକଳ୍ପର ୫୦ ପ୍ରତିଶତ ନିର୍ମାଣ ଖର୍ଚ୍ଚ ସହ ସମୁଦାୟ ଜମି ଅଧିଗ୍ରହଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now