ବ୍ରହ୍ମକ୍ଷେତ୍ର ଘୋଷଯାତ୍ରାର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

Spread the love

ସାଲେପୁର : ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ଆସନ୍ତା ଜୁନ୍ ୨୦ ତାରିଖରେ ଅନୁଷ୍ଠିତ ହେବ । ପବିତ୍ର ଅକ୍ଷୟତୃତୀୟା ତିଥିରେ ରଥ କାଠର ଅନୁକୂଳ କରାଯାଇଥିଲା ବେଳେ ଶୀତଳ ଷଷ୍ଠୀ ଅବସରରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ବୁଧବାର ପ୍ରତ୍ୟୁଷରୁ ଶ୍ରୀଜୀଉଙ୍କନିକଟରେ ଯଥାରୀତି ପୂଜାର୍ଚ୍ଚନା ପୂର୍ବକ ମ୍ୟାନେଜିଂ ଟ୍ରଷ୍ଟୀ ଧୀରେନ୍ଦ୍ରନାଥ ବେହେରା ଓ ରଥ ନିର୍ମାଣର ମୁଖ୍ୟ କାରିଗର ଧୃବ ଚରଣ ମହାରଣାଙ୍କ ଦ୍ୱାରା ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥ ଖଳାରେ ଅଧିଷ୍ଠିତ କରାଇଥିଲେ । ପରେ ହରିହର ମହାରଣା, ମହେନ୍ଦ୍ର ମହାରଣା, ସଞ୍ଜୟ ଦାସ ଏବଂ ସେମାନଙ୍କର ସହଯୋଗୀ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷ ରଥ ନିର୍ମାଣ ପାଇଁ ମ୍ୟାନେଜିଂ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆବଶ୍ୟକ ଥିବା ରଥର ଅଂଶବିଶେଷ ପାଇଁ ବିଭିନ୍ନ ପ୍ରକାର ନୂତନ କାଠ ମଧ୍ୟ ସଂଗ୍ରହ କରାଯାଇଛି । ଆସନ୍ତା ଜୁନ୍ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପଡୁଥିବାରୁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ଜୀଉ ସ୍ନାନ ମଣ୍ଡପରେ ଅଧିଷ୍ଠିତ ହୋଇ ପାରମ୍ପରିକ ନୀତିକାନ୍ତି କରାଯିବା ପରେ ୧୮ ତାରିଖ ପର୍ଯ୍ୟନ୍ତ ଅଣସର ଘରେ ଅବସ୍ଥାନ କରିବେ । ଏହି ଦିନ ନେତ୍ରୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜୁନ୍ ୧୯ ତାରିଖ ଦିନ ଶ୍ରୀ ଜୀଉ ଭକ୍ତମାନଙ୍କୁ ନବ ଯୌବନ ବେଶରେ ଦର୍ଶନ ଦେବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ଅତ୍ୟନ୍ତ ଧୁମଧାମ୍ ଓ ଆଡମ୍ବର ସହକାରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଟ୍ରଷ୍ଟ ବୋର୍ଡର ସଭ୍ୟ ଚୌଧୁରୀ ଅଜୟ କୁମାର ନନ୍ଦ, ରାଜେନ୍ଦ୍ର ମୋହନ କର, ଜ୍ୟୋତିରଂଜନ ସ୍ୱାଇଁଙ୍କ ସମେତ ବହୁ ଭକ୍ତବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *