ସମୟ ଆସିଲେ ସବୁ ସତ ଉଗାରିବି

Spread the love

ଭୁବନେଶ୍ବର: ବିନା ତଥ୍ୟ ପ୍ରମାଣରେ ମିଛ ଖବର ପ୍ରସାରଣ କରନ୍ତୁନି। କୋର୍ଟରେ ହାଜର ହେଲା ବେଳେ ଗଣମାଧ୍ୟମକୁ ଏଭଳି ଶବ୍ଦରେ ପ୍ରତିକ୍ରିୟା ଦେଇ ଅର୍ଚ୍ଚନା ଏପିସୋଡକୁ ଆଉ ଥରେ ରୋମାଞ୍ଚକର କରିଦେଇଛନ୍ତି ନିଜେ ଅର୍ଚ୍ଚନା। ସମୟ ଆସିଲେ ସବୁ ସତ ଉଗାରିବି ବୋଲି କହିଛନ୍ତି ଅର୍ଚ୍ଚନା। ସେପଟେ ଅର୍ଚ୍ଚନା ମାମଲାରେ ସଂପୃକ୍ତ ବଡ଼ବଡ଼ିଆଙ୍କ ଲିଂକକୁ ନେଇ ପୁଲିସର ନିଷ୍କ୍ରିୟତା ପ୍ରତିବାଦ ରାଜନୀତି  ଅଧିକ ତେଜିଛି।

ଫସାଇବାକୁ ଚକ୍ରାନ୍ତ କରାଯାଇଛି। ମୋ ବିରୋଧରେ କିଛି ପ୍ରମାଣ ନାହିଁ। ମୁଁ କିଛି କରିନି। କାହାରିକୁ ବ୍ଲାକମେଲିଂ କରିନି। ସମୟ ଆସିଲେ ସବୁ ସତ କହିବି। କିନ୍ତୁ ବିନା ତଥ୍ୟ ପ୍ରମାଣରେ ମିଛ ଖବର ପ୍ରସାରଣ କରନ୍ତୁନି ବୋଲି କୋର୍ଟରେ ହାଜିରା ବେଳେ ବିନା ସଙ୍କୋଚରେ ଏମିତି ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା।

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ବୋଲି ଗଣମାଧ୍ୟମରେ ଶିରୋନାମା ସାଜିଥିବା ଅର୍ଚ୍ଚନା ନାଗ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ବେଳେ ଏଭଳି କହିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲରୁ କୋର୍ଟକୁ ଅଣାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଭ୍ୟାନ ଚାରିପଟକୁ ଘୋଡ଼ଣୀରେ ଢାଙ୍କି ଦିଆଯାଇଥିଲା। ଝାରପଡ଼ାରୁ କୋର୍ଟ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭ୍ୟାନରୁ ବାହାରିଲା ବେଳେ ମୁହଁ ଶୁଖିଯାଇଥିଲେ ବି ଅର୍ଚ୍ଚନା ନିଜର ମୁହଁ ଲୁଚାଇନଥିଲେ। କୋର୍ଟରେ ଅର୍ଚ୍ଚନାଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଲାଗିଥିଲା। କୋର୍ଟରେ ପ୍ରାୟ ୪୫ ମିନିଟ୍ ରହିବା ଭିତରେ ଅର୍ଚ୍ଚନା ନୟାପଲ୍ଲୀ ଥାନାରେ ପ୍ରଯୋଜକ ଅକ୍ଷୟ ପରିଜା କରିଥିବା ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଜାମିନ ଆବେଦନ କରିଥିଲେ। ରାୟ ସଂରକ୍ଷିତ ରହିଛି। ଅର୍ଚ୍ଚନା ଓ ଜଗବନ୍ଧୁ ନିର୍ଦୋଷ ଆଉ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ। ମିଡିଆ ଟ୍ରାଏଲ ବନ୍ଦ ହେଉ। ସେପଟେ ସରକାରୀ ଓକିଲ କହିଛନ୍ତି, ରିମାଣ୍ଡ ଲାଗି ପୁଲିସ ଏ ଯାଏଁକୌଣସି ଆବେଦନ କରିନି। ଅର୍ଚ୍ଚନାଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୮୪, ୩୮୫, ୩୮୭, ୧୨୦ବି, ୫୦୬ରେ ମାମଲା ରୁଜୁ ହୋଇଛି।

ଅର୍ଚ୍ଚନା ପୁଣି ଝାରପଡ଼ା ଜେଲ ଫେରିଯାଇଛନ୍ତି। ସେପଟେ ଅର୍ଚ୍ଚନା ଓ ଧର୍ମେନ୍ଦ୍ର ସାହୁ ସୁଇସାଇଡ ମାମଲା ତାତି ବିରୋଧୀ ଦଳର ରାଜନୀତିରେ ଯେମିତି ମୁଖ୍ୟ ମୁଦ୍ଦା ସାଜିଛି। ଅର୍ଚ୍ଚନା କେଉଁମାନଙ୍କ ବଳରେ ବଳୀୟାନ ହେଲେ, ଅର୍ଚ୍ଚନାଙ୍କୁ ବିଜେଡିର କେଉଁ ମନ୍ତ୍ରୀ ଓ ବିଧାୟକ ସୃଷ୍ଟି କଲେ, ଏଭଳି ଘଟଣାରେ କାହିଁକି ସିବିଆଇ ତଦନ୍ତ ଲାଗି ରାଜ୍ୟ ସରକାର ସୁପାରିଶ କରୁନାହାନ୍ତି ବୋଲି ବିଜେପି ପଚାରିଛି। ଛାତ୍ର କଂଗ୍ରେସ ବି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ଚେତାବନୀ ଦେବା ସହ ୨୯ରେ ନବୀନ ନିବାସ ଘେରାଓ ଲାଗି ଚେତାବନୀ ଦେଇଛି।

ଅର୍ଚ୍ଚନା ଏପିସୋଡ୍ ଦିନକୁ ଦିନ କୁହେଳିକା ଭିତରେ ପେଶି ହୋଇଗଲାଣି। ଆଉ ଗଣମାଧ୍ୟମ ଉଦେଶ୍ୟରେ ଏଭଳି ରୋକଠୋକ ଜବାବ ପରେ ଅର୍ଚ୍ଚନା ନାଗଫାଶରେ ବଡ଼ବଡ଼ିଆ ପଡ଼ିଥିଲେ ନା ବଡ଼ବଡ଼ିଆଙ୍କ ଲାଗି ବିପଦ ଭାବେ ଉଭା ହୋଇଥିବା ଅର୍ଚ୍ଚନାଙ୍କ ମୁହଁ ବନ୍ଦ କରିବାକୁ ଏ ସବୁ ଫନ୍ଦି ବୋଲି ସାଧାରଣରେ ଚର୍ଚ୍ଚା ଧରିଛି।

Leave a Reply

Your email address will not be published. Required fields are marked *