ନା କଳା ନା କଳାକାର ପାଉଛି ମର୍ଯ୍ୟଦା

Spread the love

ବର୍ଷ ତମାମ ରାଜ୍ୟ ରାଜଧାନୀ ହେଉ ବା ରାଜ୍ୟର ଅନ୍ୟ କୌଣସି ସ୍ଥାନକୁ ଅତି ବିଶିଷ୍ଠ ବା ଭିଭିଆଇପିଙ୍କ ଗସ୍ତ ରହୁଛି। ମୂଳତଃ ରାଜନୈତିକ ଗସ୍ତ ହିଁ ପ୍ରମୁଖତା ପାଇଛି। ଏ ସମୟରେ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥା କରିବାକୁ ପଡ଼ୁଛି। ରାସ୍ତାଘାଟରେ ଜନସାଧାରଣଙ୍କ ଯିବାଆସିବା ନିୟମ ପରିବର୍ତ୍ତନ ହେଉଛି। ସେମାନେ କେମିତି ଶୃଙ୍ଖଳିତ ଓ ସୁରକ୍ଷିତ ବାତାବରଣରେ ଗସ୍ତ ସାରି ଯିବେ ସେଥିପାଇଁ ତମାମ ବନ୍ଦୋବସ୍ତ ହେଉଛି। ଜାତୀୟ ସ୍ତରର ବଡ ନେତା ଆସିଲେ କିମ୍ବା ରାଜ୍ୟସ୍ତରୀୟ ନେତା ଜିଲ୍ଲାସ୍ତରକୁ ଗଲେ ଦଳ ଉତ୍ସାହିତ ହେବା ଥୟ। ତେଣୁ ସେଭଳି ସମୟରେ ଦଳ ପକ୍ଷରୁ କାହିଁରେ କ’ଣ ଆୟୋଜନ କରାଯାଉଛି। ମୌକା ପ୍ରତିପକ୍ଷ ଆଗରେ ଶକ୍ତିପ୍ରଦର୍ଶନର ଥାଏ। ଯାହାକୁ କେଉଁ ଦଳ ମଧ୍ୟ ହାତଛଡ଼ା କରିବାକୁ ଚାହାଁନ୍ତିନି । ଅନ୍ୟପଟେ ସ୍ଥାନୀୟ ନିର୍ବାଚନରେ ଦଳୀୟ ସଫଳତା ପାଇଁ ହେଉ ଅବା ଦେଶର କେଉଁ କୋଣରେ ଦଳର ବିଜୟକୁ ନେଇ ଉତ୍ସବ ପାଳନ ଅବସର ଗୁଡ଼ିକ ଏବେ ପୂର୍ବାପେକ୍ଷା ବେଶ ବଡ଼ ଆକାରର ହେଉଛି। ଆୟୋଜନ ଯେତେ ବଡ଼ ମିଡିଆ କଭରେଜ୍ ସେତିକି ବଡ଼। ତେବେ ରାଜନୈତିକ ଦଳ ହେଉ ବା ଅନୁଷ୍ଠାନ କି ବ୍ୟକ୍ତିବିଶେଷ । ଉତ୍ସବ ପାଳିବା, ଖୁସି ହୋଇ ବାଜା, ବାଣ, ରୋଷଣୀର ଆୟୋଜନ କରିବା କିଛି ନୂଆ କଥା ନୁହେଁ। ଅନ୍ୟମାନେ ପ୍ରଭାବିତ ନହେବା ଯାଏଁ ଏବଂ ସେଲିବ୍ରେସନ୍ ସ୍ଥଳୀରେ କୌଣସି କଟକଣା ନଥିବା ଯାଏଁ ଦେଶର ଆଇନ ମଧ୍ୟ ଏହାକୁ ନିଷେଧ କରେନାହିଁ। କିନ୍ତୁ ଦୀର୍ଘ ଦିନରୁ ଗୋଟିଏ ପ୍ରସଙ୍ଗ ମନକୁ ଆସୁଛି । ନେତା, ମନ୍ତ୍ରୀ, ରାଷ୍ଟ୍ରମୁଖ୍ୟ, ରାଜ୍ୟମୁଖ୍ୟଙ୍କୁ ସ୍ୱାଗତ କରିବା ବେଳେ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ରାସ୍ତାଘାଟରେ, ଭିଆଇପିଙ୍କ ଯିବା ଆସିବା ରାସ୍ତାର ଉଭୟ ପାର୍ଶ୍ୱରେ ହେଉଛି ତାର ଉଦେଶ୍ୟ କ’ଣ। କାହା ଫ୍ଲାଇଟ୍ ଡେରି ହୋଇଗଲା, କିଏ ବିଳମ୍ବରେ ପହଞ୍ଚିଲା, କାହାର ଯାତ୍ରା ଠିକ୍ ଶେଷ ମୁହୁର୍ତ୍ତରେ କ୍ୟାନସଲ୍ ହେଲା କିନ୍ତୁ କଳାକାରଙ୍କ କାର୍ଯ୍ୟକ୍ରମ ଜାରି ରହୁଛି। ଖରା, ବର୍ଷା, ଶୀତ ପୁଣି ସକାଳ, ଖରାବେଳ ଓ ରାତି ଯେତେବେଳେ କହିବେ ସେତେବେଳେ ସେମାନେ କଳାପ୍ରଦର୍ଶନ କରିବେ। ହଁ ଅଭାବ ଅନଟନରେ ଥିବା କଳାକାରଙ୍କୁ ତା ପ୍ରତିବଦଳରେ କିଛି ଅର୍ଥ ମିଳେ। କିନ୍ତୁ କଳାକାର ପାଇଁ ତାହା ପର୍ଯ୍ୟାପ୍ତ ଭାବିବା ଉଚିତ କି। ଯେମିତି ରାଷ୍ଟ୍ରମୁଖ୍ୟ ଆଦିବାସୀ ସମୁଦାୟରୁ ହେଲେ। ସମସ୍ତେ ଆନନ୍ଦିତ ହେବା ସହ ଓଡ଼ିଶା ମାଟି ଗର୍ବିତ ହେବା ସ୍ୱାଭାବିକ ଥିଲା।

ଏଭଳି ଏକ ଆନନ୍ଦ ଓ ଉତ୍ସବ ସମୟରେ ଦିନ ତମାମ ଆଦିବାସୀ ମହିଳା ଓ ପୁରୁଷ କଳାକାର ନୃତ୍ୟ ପ୍ରଦର୍ଶନ କରୁଥିଲେ। ଭଳିକି ଭଳି ବାଜା ବଜାଇ ଆଦିବାସୀ କଳାସଂସ୍କୃତିର ପ୍ରଦର୍ଶନ କରୁଥିଲେ। ଆଜି ସମର୍ଥନ ପାଇଁ ଆସିଲେ, କାଲି ନିର୍ବାଚନ ଫଳ ବାହାରିଲା, ପରେ ଶପଥ ନେଲେ। ଏସବୁ ଅବସରକୁ ଆମେ ଉପଭୋଗ୍ୟ କରିବାର ବ୍ୟବସ୍ଥା କରିଥିଲୁ । ଆଦିବାସୀ ଲୋକ ସଂସ୍କୃତି, ନୃତ୍ୟ, ଗୀତ ତାଙ୍କ ବେଶଭୂଷା ପରିପାଟୀକୁ କିଛି ଲୋକ ଆଖି ପୁରାଇ ଦେଖୁଥିଲେ। କଳାକାରଙ୍କ ମନରେ ସରାଗ ଥାଉ କି ନଥାଉ ସେମାନେ ନାଚୁଥିଲେ ବା ନାଚିବାକୁ ବାଧ୍ୟ ଥିଲେ। ବେଳେ ବେଳେ ନୁହେଁ ପ୍ରାୟ ସମୟରେ ସେମାନେ କେଉଁଠିକୁ ଆସିଛନ୍ତି କାହାଙ୍କ ପାଇଁ କଳା ପ୍ରଦର୍ଶନ କରୁଛନ୍ତି କିଛି ଜାଣି ନଥାନ୍ତି। କେବଳ ଏତିକି କିଏ ଜଣେ ବଡ ଲୋକ ଆସିଛନ୍ତି। ଯାହାଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କୁ ନାଚିବା, ଗାଇବା ଓ ବଜାଇବା ପାଇଁ କୁହାଯାଇଛି। କେବଳ ଏହି ଅବସର ନୁହେଁ ଯେବେ ଯେବେ ବଡ ଆୟୋଜନ ହେବ ସେବେ ଉପାନ୍ତ ଅଞ୍ଚଳର ଜନଜାତି କଳାକାରଙ୍କୁ ଖୋଜା ପଡ଼ିବ। ଆଉ ଅନ୍ୟ ସମୟରେ ସେ ଯେମିତି ଚଳୁଥାନ୍ତୁ ପଛେ। ଅନ୍ୟପଟେ ଅତିଥି ଯେତେ ବଡ ତାକୁ ଚାହିଁ ସର୍ବୋତ୍କୃଷ୍ଟ କଳାକାର ବଛା ଯାଇଥିବେ, ଅଣ୍ଟା ନଇଁ ଯାଇଥିବା ପୋଖତ ଘଣ୍ଟୁଆ ଦରକାର ହେଉଥିବେ। ଯୋଡ଼ି ଶଙ୍ଖ ପୁଣି ଝାଞ୍ଜ କୀର୍ତ୍ତନ ବଜାଇବାରେ ଯାହାର ସୁନାମ ଅଛି ସେ ଅନୁଷ୍ଠାନ ଆସିଥିବେ। କିନ୍ତୁ ଏଭଳି ଆୟୋଜନ ବେଳେ ସେମାନଙ୍କୁ ଯେଉଁ ସମ୍ମାନ ଓ ମର୍ଯ୍ୟଦା ମିଳିବା କଥା ତାହା ଦେଖିବାକୁ ମିଳେ କି । ଯଦି ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିବ ଆଉ ସେହିଠାରେ ବିଶେଷ ମଞ୍ଚରେ ନିର୍ଦ୍ଧିଷ୍ଟ ସମୟ ପାଇଁ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ଯାହାକୁ ଉପସ୍ଥିତ ଅତିଥି ସମସ୍ତେ ଦେଖିବେ ତାହା ଭିନ୍ନ କଥା। କିନ୍ତୁ ଧିରେ ଧିରେ ସେ ପରମ୍ପରା ବଦଳିଲାଣି। ରାସ୍ତାରେ ରାସ୍ତାରେ ନାଚ, ଗୀତ ସାରି ମଞ୍ଚରେ କେବଳ ଭାଷଣ ପାଇଁ ବ୍ୟବସ୍ଥା ହେଉଛି। ପ୍ରଶ୍ନ ଉଠେ, କଳାକାରଙ୍କ ନୃତ୍ୟ, ଗୀତ, ବାଦ୍ୟର ଆସର ବାସ୍ତବରେ କାହା ମନୋରଞ୍ଜନ ପାଇଁ। ଅତିଥିଙ୍କ ପାଇଁ ନା କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ। ଭୋଜି ଭାତ ଓ ମନୋରଞ୍ଜନ ସହ ନୂଆ ଉର୍ଜ୍ଜା ଧରି ଘରକୁ ଫେରିବା ପାଇଁ ଏ ବ୍ୟବସ୍ଥା। ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ଦିନକୁ ଦିନ ଆଗ୍ରହ କମୁଥିବା ବେଳେ ଅନେକ କଳାକାରଙ୍କ ପେଟ ଅପୋଷା ରହୁଛି। ତେଣୁ ଯିଏ ଡାକିଲା ସେଠି ଯାଇ ଦୁଇ ପଇସା ରୋଜଗାର କରିବା କଥା। କିନ୍ତୁ କଳାକାରକୁ କେବଳ କ’ଣ ଅର୍ଥ ଦରକାର ହୁଏ। କଳା ସବୁ ବେଳେ ମଞ୍ଚ ଖୋଜେ ଏବଂ ସେ ମଞ୍ଚ ତଳର ଦର୍ଶକଙ୍କ କରତାଳି ମଧ୍ୟ ଖୋଜେ। ସେ କଳା ପ୍ରଦର୍ଶନରେ କେତେ ନିପୁଣ ସେକଥା ସମସ୍ତେ ଦେଖି ପ୍ରଶଂସା କରନ୍ତୁ ବୋଲି ସେ ଚାହେଁ। କିନ୍ତୁ ସେ ସବୁ ଏଭଳି କାର୍ଯ୍ୟକ୍ରମରେ ମିଳୁଛି କି। ଗୋଟିଏ ସ୍ଥାନର ପରିଚୟ ତାର ସାଂସ୍କୃତିକ ସମ୍ଭାର। କଳାକାର ତା ଅଞ୍ଚଳର ଗର୍ବ। କିନ୍ତୁ ସେ ଭିଆଇପିମାନେ ତାଙ୍କ ଆଡ଼କୁ କେତେ ଦୃଷ୍ଟି ଦିଅନ୍ତି। ସେ କି ପ୍ରକାର ନୃତ୍ୟ, ଗୀତ ଓ ବାଦ୍ୟର ପ୍ରଦର୍ଶନ କରୁଛନ୍ତି ତାକୁ କିଏ ଖାତିର କରେ। ଏହା କୌଣସି ନିର୍ଦ୍ଧିଷ୍ଟ ଦଳ ପକ୍ଷରୁ ହେଉଥିବା ଘଟଣା ନୁହେଁ। ପ୍ରାୟ ଏ ଧାରା ବହୁ ପୂର୍ବରୁ ଆରମ୍ଭ ହୋଇଛି ଯାହା ଏବେକା ପରିସ୍ଥିତିରେ ଏକ ଭିନ୍ନ ମୋଡ଼ ଧରିଛି। ହୁଏତ ସେ କଳାକାରମାନେ ଏକଥା କହି ନପାରନ୍ତି । ସବୁ ପେଟପାଟଣାର କଥା । କିନ୍ତୁ ଏମିତି କୌଣସି ସମୟ ନାହିଁ ଯେଉଁଠି ମାନବିକ ଅଧିକାର ଓ ମର୍ଯ୍ୟଦାର ପ୍ରସଙ୍ଗକୁ ଭୁଲିଯିବା ଉଚିତ ହେବ। ପ୍ରସଙ୍ଗଟିକୁ ଟିକିଏ ସୂକ୍ଷ୍ମରେ ବିଚାର କଲେ ଏହା ଭିତରେ ଥିବା ଅସଲ କଥାଟିକୁ ସମ୍ଭବତଃ ହୃଦବୋଧ କରଯାଇ ପାରେ।

ସୁପ୍ରିୟା ଦାଶଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *