କଂଗ୍ରେସକୁ ବଡ ଝଟକା

Spread the love

ଗୋଟିଏ ପଟେ ଭାରତ ଯୋଡ଼ ଯାତ୍ରା କରି ଦଳକୁ ମଝଭୁତ କରିବା ସହ ଦଳ ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବାକୁ ଟାର୍ଗେଟ ରଖିଛନ୍ତି ରାହୁଲ। ପଦଯାତ୍ରାକୁ ଅକୁଣ୍ଠ ସମର୍ଥନ ମିଳୁଥିବାର ଦାବି କରୁଛି କଂଗ୍ରେସ। ସେପଟେ କିନ୍ତୁ ଦଳ ଛାଡ଼ିବାରେ ଲାଗିଛନ୍ତି ଦଳୀୟ ବିଧାୟକ। ଗୋଆରେ କଂଗ୍ରେସ ପୁଣି ସଙ୍କଟରେ ପଡ଼ିଛି। ଦଳର ୮ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତଙ୍କୁ ୮ କଂଗ୍ରେସ ବିଧାୟକ ଭେଟିଛନ୍ତି। ୮ କଂଗ୍ରେସ ବିଧାୟକ ବିଜେପିରେ ସାମିଲ୍ ହେଉଥିବାର କଥାକୁ ପୁଷ୍ଟି କରିଛନ୍ତି ରାଜ୍ୟ ବିଜେପି ସଭାପତି। ଏମାନଙ୍କ ଭିତରେ ଅଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗାମ୍ୱର କାମାତ୍ ଓ ପୂର୍ବତନ ବିରୋଧୀ ଦଳ ନେତା ମାଇକେଲ୍ ଲୋବୋ। କଂଗ୍ରେସ ବିଧାୟକ ଦଳ ବୈଠକ ବସି ବିଜେପିରେ ସାମିଲ୍ ହେବାକୁ ନିଷ୍ପତ୍ତି ନେଇଥିଲେ ଏ ସବୁ ଟପ୍ ନେତା। ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ସାଓ୍ୱନ୍ତଙ୍କ ହାତମୁଠାକୁ ଟାଣ କରିବୁ ବୋଲି କହିଛନ୍ତି ଏ ସବୁ ନେତା।

ଏହି ୮ ବିଧାୟକ ବିଜେପିରେ ସାମିଲ ପରେ ଗୋଆ ବିଧାନସଭାରେ କଂଗ୍ରେସର ଆସନ ସଂଖ୍ୟା ୩ କୁ ଖସିଆସିଛି। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିର ୨୦ ବିଧାୟକ ଅଛନ୍ତି। ଏବେ ବିଜେପିର ସଂଖ୍ୟା ୨୮କୁ ବୃଦ୍ଧି ପାଇବ। ଜୁଲାଇ ୨୦୧୯ରେ ବି ସମାନ ଅବସ୍ଥା ହୋଇଥିଲା କଂଗ୍ରେସରେ। କଂଗ୍ରେସର ୧୦ ବିଧାୟକ ଦଳରେ ବିଦ୍ରୋହ କରି ବିଜେପିକୁ ଜମ୍ପ୍ କରିଥିଲେ।

ଗୋଆରେ କଂଗ୍ରେସ ପୁରା ସଂକଟରେ। ଭାରତ ଯୋଡ଼ ଯାତ୍ରା ବେଳେ ଦଳ ନିଜର ଶକ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିଲା ବେଳେ ଗୋଆ ବିଧାନସଭାରେ ସଦସ୍ୟ ସଂଖ୍ୟା ମାତ୍ର ୩କୁ ଖସିଆସିଛି। ଚଳିତ ଜୁଲାଇରେ ଲୋବୋଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇ ଦେଇଥିଲା କଂଗ୍ରେସ। ସେବେଠୁ ଲୋବୋ ଦଳରେ ବିଦ୍ରୋହ କରିବେ ବୋଲି ଚର୍ଚ୍ଚା ଚାଲିଥିଲା। ଗୋଆ କଂଗ୍ରେସ ଭିତରେ କଛି ଚାଲିଥିବା କହି ମନୀଷ ତିଓ୍ୱାରୀ ବି ଟ୍ୱିଟ୍ କରିଛନ୍ତି। କିଛି ଭଲ ସୂଚନାର ଗନ୍ଧ ବାରିହେଉନି ବୋଲି କହିଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *