ଆରଜି କର ମେଡିକାଲ କଲେଜ ଉପରେ ସଂଘବଦ୍ଧ ଆକ୍ରମଣ କଲା MOB

କୋଲକାତାର ଆରଜି କର ମେଡିକାଲ କଲେଜର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ପ୍ରତିବାଦ କରି ବୁଧବାର ଦେଶ ବ୍ୟାପୀ ଅନେକ ଜାଗାରେ ରାତି ୧୧ଟା୫୫ରେ ରିକ୍ଲେମ ଦି ନାଇଟ୍ ନାଁରେ ବିରୋଧ ହୋଇଥିଲା। ଏହାର ଅର୍ଥ ରାତିରେ ନିଜର ଅଧିକାରକୁ ହାସଲ କରିବା। ଏହି ପ୍ରତିବାଦରେ ସ୍ୱାଧୀନତାର ଅର୍ଦ୍ଧରାତିରେ ମହିଳାଙ୍କ ସ୍ୱାଧୀନତା ଲାଗି ସ୍ୱର ଶାଣିତ କରିବା ଉଦ୍ଦେଶ୍ୟ ଥିଲା। କିନ୍ତୁ କୋଲକାତାରେ ଆୟୋଜିତ ଏହି ପ୍ରତୀକାତ୍ମକ ବିରୋଧ ହିଂସାର ରୂପ ନେଇଥିଲା। ରାତିରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା, ଯେତେବେଳେ ହଜାର ହଜାର ସଂଖ୍ୟାର ଭିଡ଼ ହସ୍ପିଟାଲର ଏମର୍ଜେନ୍ସି ବିଲଡିଂର ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଥିଲେ। ରାତି ପ୍ରାୟ ୧୨ଟା ବେଳେ ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଡାକ୍ତରଙ୍କ ସହ ବି ମାଡପିଟ୍ କରିଥିଲେ। ହସ୍ପିଟାଲ ପରିସରରେ ଯେଉଁଠି ଡାକ୍ତରମାନେ ଧାରଣା ଦେଇଥିଲେ, ସେଠାରେ ବି ଉପଦ୍ରବୀ ଭଙ୍ଗାରୁଜା ସହ ଚୌକି, ପଙ୍ଖା ସବୁ ଚୁରମାର୍ କରିଦେଲେ। ଝରକା, କବାଟ, ରୋଗୀଙ୍କ ଶଯ୍ୟାରୁ ନେଇ ମେଡିକାଲ ଉପକରଣ। କିଛି ବି ବାଦ୍ ପଡ଼ିଲାନି। ଏପରିକି ହସ୍ପିଟାଲ ପରିସରରେ ଥିବା ଫାଣ୍ଡିକୁ ବି ଭାଙ୍ଗିଲେ ଉପଦ୍ରବୀ। ଯେଉଁ ଏମର୍ଜେନ୍ସି ବିଲଡିଂରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସେହି ବିଲଡିଂକୁ ବ୍ୟାପକ କ୍ଷତି କରିଛନ୍ତି। କାନ୍ଥ ଚଢ଼ି ହଷ୍ଟେଲରେ ପଶି ଜୁନିଅର ଡାକ୍ତରଙ୍କୁ ପିଟିଥିଲେ। କାର୍, ବାଇକ କିଛି ବାଦ୍ ପଡ଼ିଲାନି। ଡାକ୍ତର କହିଛନ୍ତି, ଏଭଳି ଭୟ ଦେଖାଇଲେ ବି ନ୍ୟାୟ ପାଇବାକୁ ସେମାନେ ସଂଘର୍ଷ ଜାରି ରଖିବେ। ପୁଲିସର ପାରିଲାପଣିଆକୁ ନେଇ ପ୍ରଶ୍ନ କରିଛନ୍ତି। ପୁଲିସ ଭିଡ଼କୁ ସମ୍ଭାଳିବାକୁ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଧସ୍ତାଧସ୍ତିରେ ଅନେକ ପୁଲିସ କର୍ମୀ ବି ଆହତ ହୋଇଛନ୍ତି। ପୁଲିସର କହିବା କଥା, କିଛି ଗୁଣ୍ଡା ଆନ୍ଦୋଳନକାରୀ ବେଶରେ ମେଡିକାଲ କଲେଜ ହସ୍ପିଟାଲରେ ପଶିଥିଲେ। ପ୍ରାୟ ୪୦ ଜଣିଆ ଏକ ଗ୍ରୁପ୍ ଆନ୍ଦୋଳନକାରୀଙ୍କ ବେଶରେ ପଶି ହିଂସା ଭିଆଇଥିଲେ। କୋଲକତା ପୁଲିସ କମିଶନରଙ୍କ କହିବା କଥା, ହସ୍ପିଟାଲରେ ମୁତୟନ ପୁଲିସ ସଂଖ୍ୟା କମ୍ ଥିବାରୁ ଭିଡ଼କୁ ନିୟନ୍ତ୍ରଣ କରିବା ସମ୍ଭବ ନଥିଲା। ପୁଲିସ ଯଥାସମ୍ଭବ ଭିଡ଼କୁ ଘଉଡ଼ାଇବାକୁ ଚେଷ୍ଟା କରିଛି। ତା ସତ୍ତ୍ୱେ ଗୁଜବରୁ ଅବସ୍ଥା ସାଙ୍ଘାତିକ ହୋଇଯାଇଥିଲା। ସବୁ ଦୋଷ ମିଡିଆ ଉପରେ ଲଦି ଦେଇଛନ୍ତି ସିପି। କୋଲକାତା ପୁଲିସର ଛବିକୁ ମଳିନ କରିବାକୁ ମିଡିଆରେ ଚାଲିଥିବା ଅଭିଯାନ ଉପଦ୍ରବୀଙ୍କ ସାହାସ ବଢ଼ାଇଦେଇଛି। ପୁଲିସ କଦାପି କହିନି, ଜଣେ ମାତ୍ର ଅଭିଯୁକ୍ତ ଏ ମାମଲାରେ ସଂଶ୍ଲିଷ୍ଟ। ବୈଜ୍ଞାନିକ ପଦ୍ଧତିରେ ପ୍ରମାଣକୁ ଅପେକ୍ଷା କରାଯାଇଛି। ଏଥିଲାଗି ସମୟ ଦରକାର। କେବଳ ଗୁଜବ ଆଧାରରେ କୌଣସି ଯୁବ ପିଜି ଛାତ୍ରକୁ ଗିରଫ କରାଯାଇପାରିବନି। ଏହା ତାଙ୍କ ଅନ୍ତରାତ୍ମା ବିରୋଧୀ କାମ। ଏବେ ତଦନ୍ତ ସିବିଆଇ କରୁଛି।

ଉପଦ୍ରବୀଙ୍କ ଉତ୍ପାତ ପଛରେ ତା ହେଲେ କିଏ। ଟିଏମସିର ହାତ ଅଛି କହି ଆରୋପ ଲଦିଛି ବିଜେପି। ଆରଜି କର ମେଡିକାଲ କଲେଜ କ୍ୟାମ୍ପସରେ ଅଣରାଜନୈତିକ ବିରୋଧ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଶୁଣି ନିଜର ଗୁଣ୍ଡାକୁ ସାମିଲ୍ କରାଇଲେ। ଆନ୍ଦୋଳକାରୀ ବେଶରେ ଭିଡ଼ରେ ପଶି ହିଂସା ଭିଆଇଲେ। ହସ୍ପିଟାଲ ଭିତରେ ଅରାଜକତା ସୃଷ୍ଟି କଲେ। ପୁଲିସ ବି ଉପଦ୍ରବୀଙ୍କୁ ସୁରକ୍ଷିତ ଭାବେ ରାସ୍ତା ଦେଲା। ଟ୍ରକରେ ଆସିଲେ ଆଉ ଏହି ଆକ୍ରମଣ ଅଚାନକ ନଥିଲା। ଟିଏମସିର ପ୍ରାୟୋଜିତ ହିଂସା। ହସ୍ପିଟାଲରେ ପଶି କେମିତି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ କରିହେବ, ଯାହା ଫଳରେ ସିବିଆଇକୁ କିଛି ମିଳିବନି, ସେମିତି ଚକ୍ରାନ୍ତ କରାଗଲା। ଯଦି ପୁରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେଲା। ତାହେଲେ ଆରଜି କର ହସ୍ପିଟାଲ ପାଖରେ କାହିଁକି ହିଂସା ହେଲା ବୋଲି ପଚାରିଛି ବିଜେପି। ଯାଞ୍ଚ ବଦଳରେ କୋଲକାତା ପୁଲିସ ଲିପାପୋଛାରେ ମାତିଥିଲା। ସିବିଆଇ ପଶିବାରୁ ଅକଲଗୁଡୁମ୍ ହୋଇଗଲାଣି ସରକାରଙ୍କର। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ବି ଏ ସନ୍ଦର୍ଭରେ କହିଛନ୍ତି, ରାଜ୍ୟ ସରକାର ମହିଳା ସୁରକ୍ଷାକୁ ସୁନିଶ୍ଚିତ କରିବା ଜରୁରୀ। ମମତା ସରକାରଙ୍କ ନାଁ ନ ନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ମହିଳା ବିରୋଧୀ ହିଂସାର ତୁରନ୍ତ ତଦନ୍ତ ଜରୁରୀ। କଡ଼ା ଦଣ୍ଡବିଧାନ ହେଲେ ଯାଇ ସମାଜର ବିଶ୍ୱାସ ଆସିବ। ସେପଟେ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଆରଜି କର ହସ୍ପିଟାଲରେ ଅଧାରାତିରେ ଗୁଣ୍ଡାଗର୍ଦ୍ଦି ସୀମା ପାର୍ କରିନେଲା। ପୁଲିସ କମିଶନରଙ୍କ ସହ ସେ ଆଲୋଚନା କରିଛନ୍ତି। ଯିଏ ଏ ହିଂସା ଭିଆଇଛି, ଯିଏ ଦାୟୀ, ତୁରନ୍ତ ସେମାନଙ୍କୁ ଚିହ୍ନଟ କରି ଉତ୍ତରଦାୟୀ ସଜାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ପୁଲିସ। ସେ ଯେ କୌଣସି ଦଳର ହୋଇଥାଉ ନା କାହିଁକି। ଆନ୍ଦୋଳନକାରୀ ଡାକ୍ତରଙ୍କ ଦାବି ଯଥାର୍ଥ। ସରକାରଙ୍କଠୁ ସର୍ବନିମ୍ନ ଏତିକି ଦାବି କରିବା ବିଲକୁଲ ଉଚିତ୍। ଡାକ୍ତରଙ୍କ ସୁରକ୍ଷା ଓ ସଂରକ୍ଷଣକୁ ପ୍ରାଥମିକତା ଦେବା ଦରକାର। ବୁଧବାର ବି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ଦୋଷୀଙ୍କୁ ଫାଶୀ ଦେବାରେ ଆପତ୍ତି ନାହିଁ।  କିନ୍ତୁ ନିର୍ଦୋଷ ଯେମିତି ଦଣ୍ଡ ପାଇବନି, ସେ କଥାକୁ ବି ଗୁରୁତ୍ୱ ଦିଆଯିବ। ହାଇକୋର୍ଟଙ୍କ ରାୟକୁ ସମ୍ମାନ ଦେଇ ସିବିଆଇକୁ ରାଜ୍ୟ ପୁଲିସ ସମ୍ପୂର୍ଣ୍ଣ ସହଯୋଗ କରୁଛି। ତଦନ୍ତରେ କୌଣସି ହସ୍ତକ୍ଷେପ କରିବେନି ସରକାର। ଏହି ପାଶବିକ ଅତ୍ୟାଚାର ଅସହ୍ୟ। କିନ୍ତୁ ମୃତ୍ୟୁକୁ ନେଇ ବିରୋଧୀ ଭୟାବହ, ହୀନ ଓ ଶସ୍ତା ରାଜନୀତି କରନ୍ତୁନି। ସାମାଜିକ ବ୍ୟାଧିକୁ ରାଜନୈତିକ ଚକ୍ରାନ୍ତର ନାଁ ଦିଅନ୍ତୁନି।

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିବାଦର ନିଆଁ ଯେମିତି ଉଗ୍ର ହେଉଛି। ଏହାକୁ ତାଳ ଦେଇ ରାଜନୀତି ବି ସେତିକି ତେଜ୍ ହେଲାଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *