ଆୟୁଷ୍ମାନ ଭାରତ ଲାଗୁ ପାଇଁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Spread the love

ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଭେଟି ଓଡ଼ିଶାର ଓଡ଼ିଶାର ବିଭିନ୍ନ ସ୍ବାର୍ଥ ସମ୍ବଳିତ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି। ଏଥିରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା, ବାକି ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା, ଓଡ଼ିଶାରେ ୟୁଏଇ କନସୁଲେଟ୍ ଖୋଲିବା, ଭୁବନେଶ୍ବର ଏମ୍‌ସର ସମ୍ପ୍ରସାରଣ, ସମ୍ବଲପୁରରେ ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା, ନୌବାଣିଜ୍ୟ କେନ୍ଦ୍ର ପ୍ରତିଷ୍ଠା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି।

ଜୟଶଙ୍କରଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ‘ୟୁଏଇ’ର କନସୁଲେଟ ଖୋଲିବା ଉପରେ ଗୁରୁତ୍ବ ଦେଇଥିଲେ। ଦୁବାଇରେ ଓଡ଼ିଶାର ଅନେକ ଲୋକ କାମ କରୁଥିବାରୁ ଓ ଦୁବାଇ ସହିତ ବ୍ୟାବସାୟିକ ସଂପର୍କ ବୃଦ୍ଧି ପାଇଁ ଏହା ବିଶେଷ ସହାୟକ ହେବ ବୋଲି ସେ କହିଥିଲେ। ଓଡ଼ିଶାର ୮ ଜଣ ବ୍ୟକ୍ତି ଦୁବାଇରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଓ ରାଜ୍ୟକୁ ଫେରି ପାରୁନଥିବା କଥା ଉଠାଇବା ସହ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହଯୋଗ ସେ କାମନା କରିଥିଲେ।

ଏସବୁ ସଂପର୍କରେ ଗୁରୁତ୍ବ ଦିଆଯାଇ ଆଶୁ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟଶଙ୍କର ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ରରେ ଗଲ୍ଫ କୋର୍ସ ପ୍ରତିଷ୍ଠା, ରାଜ୍ୟରେ ଏକ ପ୍ରମୁଖ ନୌବାଣିଜ୍ୟ କେନ୍ଦ୍ର ପ୍ରତିଷ୍ଠା, ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର ଖୋଲିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହାଦ୍ବାରା ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ଅଧିକ ସଂଖ୍ୟାରେ ଆସିବାକୁ ଆଗ୍ରହୀ ହେବେ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *