କୁଆଡେ ଗଲେ ପାଣ୍ଡିଆନ, ପୁରୁଣା ଫର୍ମାଟକୁ ଫେରିଲେ ନବୀନ!

Spread the love

କୁଆଡ଼େ ଗଲେ ପାଣ୍ଡିଆନ୍। ବିଜେଡିରେ ଓ ନବୀନ ସରକାରରେ ସବୁଠୁ ପାଓ୍ୱାରଫୁଲ୍ ଥିବା ବ୍ୟକ୍ତିତ୍ୱଙ୍କ ଅଚାନକ ଅନ୍ତର୍ଦ୍ଧାନ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଜେଡିର ବଡ଼ ପରାଜୟ ପରେ ପାଣ୍ଡିଆନଙ୍କୁ ନା ନବୀନ ନିବାସରେ ନା ଦଳୀୟ ନେତାଙ୍କ ଗହଣରେ ଦେଖିବାକୁ ମିଳୁଛି। ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ପାଣ୍ଡିଆନଙ୍କ ବିନା ନବୀନ ପଟ୍ଟନାୟକ ପୁଣି ଥରେ ପୂର୍ବଭଳି ଦଳର କମାଣ୍ଡ ସମ୍ଭାଳିବା ଭଳି ଦୃଶ୍ୟ ରାଜନୀତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ପୁରୁଣା ଫର୍ମାଟକୁ ଫେରିଲେ ନବୀନ। ଏଥର ନା ତାଙ୍କ ମାଇକ୍ ଧରିବାକୁ  ପାଖରେ କାହାକୁ ସୁଯୋଗ ଦେଲେ ନା ଗାଡ଼ିର ପଛ ସିଟ୍‌ରେ କାହାକୁ ବସାଇଲେ। ଦଳୀୟ ବିଧାୟକଙ୍କୁ ତାଙ୍କରି ନାଁରେ ହାକିମାତି କରିବାକୁ କାହାକୁ ଆଗକୁ ଛାଡ଼ିଲେନି ନବୀନ। ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଶାସନ ଡୋରି ଧରି ଓଡ଼ିଶାର ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିବା ନବୀନଙ୍କୁ ଦୀର୍ଘ ବର୍ଷ ପରେ ପୁରୁଣା ମୁଦ୍ରାରେ ଦେଖିବାକୁ ପାଇଲେ ଓଡ଼ିଶାବାସୀ। ବିଜେଡିର ବଡ଼ ବିପର୍ଯ୍ୟୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜଭବନ ଯାଇଥିଲା ବେଳେ ସାଙ୍ଗରେ ନଥିଲେ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀ କାରର ପଛ ସିଟରେ ବି ପାଣ୍ଡିଆନଙ୍କୁ ଦେଖିବାକୁ ମିଳିନଥିଲା। ରାଜଭବନରୁ ବାହାରିବା ସମୟରେ ହସ ହସ ମୁହଁରେ ସମସ୍ତଙ୍କୁ ହାତ ହଲାଇ ଅଭିବାଦନ ଜଣାଇବାକୁ ଭୁଲିନଥିଲେ ନବୀନ। ନବୀନ ନିବାସକୁ ବିଜେଡି ବିଧାୟକ ଓ ତୁଙ୍ଗ ନେତାଙ୍କୁ ଡାକି ବୈଠକ କଲେ। ନିର୍ବାଚନରେ ହାର ଜିତ୍ ଲାଗି ରହିବା ଏକ ସ୍ୱାଭାବିକ ପ୍ରକ୍ରିୟା କହି ଆଶ୍ୱାସନା ବି ଦେଲେ ନବୀନ। ହେଲେ ଦଳୀୟ ସୁପ୍ରିମୋ ହିସାବରେ ମନୋବଳ ବଢ଼ାଉଥିଲା ବେଳେ ନବୀନ ନିବାସରେ ବି ନଥିଲେ ପାଣ୍ଡିଆନ୍। ପରାଜୟର ଅନୁଶୀଳନ ଭିତରେ ଅନେକ ନିର୍ବାଚିତ ବିଧାୟକ ଅବଶ୍ୟ ପାଣ୍ଡିଆନଙ୍କ ଅନୁପସ୍ଥିତି ବାବଦରେ କହିବାକୁ ସାହସ ଜୁଟାଇପାରିନଥିଲେ। ଆଉ କିଛି ତ କହିଥିଲେ, ପାଣ୍ଡିଆନଙ୍କୁ ଦୋଷ ଦେବା ଉଚିତ୍ ନୁହେଁ। ଏପରିକି କାହାର କଅଣ କହିବାର ଅଛି ବୋଲି ନବୀନ ପଚାରିଥିଲେ ବି କେହି କିଛି କହିନଥିଲେ। ପରାଜୟର କାରଣ ଖୋଜିବ ବରିଷ୍ଠ ନେତାଙ୍କୁ ନେଇ ଗଠିତ କମିଟି। କିନ୍ତୁ ସେ କମିଟିରେ ପାଣ୍ଡିଆନ୍ ରହିବେ କି ନାହିଁ ।

ତେବେ ଆଜି ପାଣ୍ଡିଆନ କାହିଁକି ଅଛୁଆଁ। ୨୪ ରେଜଲ୍ଟରେ ଦଳ ଧରାଶାୟୀ ହୋଇଗଲା। ଅପରାଜେୟ ନବୀନ ବିରଳ ରେକର୍ଡ ରଚିବାରୁ କେବଳ ବଞ୍ଚିତ ହେଲେନି। ନିଜେ ବି ପ୍ରଥମ ଥର କଣ୍ଟାବାଞ୍ଜିରୁ ବଡ଼ ବ୍ୟବଧାନରେ ହାରିଲେ। ହେଲେ ରାଜନୀତି ସମୀକ୍ଷକ ଓ ଅନ୍ୟାନ୍ୟ ଦଳର କହିବା କଥା ପ୍ରତିଶୋଧପରାୟଣ ରାଜନୀତି, କୋଟରୀ ଗ୍ରୁପ୍ ଦ୍ୱାରା ଆବଦ୍ଧର ପ୍ରତିଫଳନ ବିଜେଡି ଭୋଗିଲା ବୋଲି ବିଜେପି କହିଛି। ଜୟନାରାୟଣ କହିଛନ୍ତି, ପାଣ୍ଡିଆନ୍ ଜେଲ ଯିବେ। ଯେଉଁଠି ଥିଲେ ବି ପୁଲିସ ପାଣ୍ଡିଆନଙ୍କୁ ଖୋଜି ବାହାର କରିବ। ସୌମ୍ୟ କହିଛନ୍ତି, ପାଣ୍ଡିଆନଙ୍କୁ ସବୁ ଦୋଷ ଦେଇ ଖସିପାରିବେନି ନବୀନ। ପାଣ୍ଡିଆନଙ୍କୁ ଏତେ କ୍ଷମତା ଦେଇଥିଲା କିଏ। ଦଳକୁ ଏଣିକି ଗଣତାନ୍ତ୍ରିକ ହିସାବରେ ନବୀନ ଚଳାନ୍ତୁ ବୋଲି ପରାମର୍ଶ ଦେଇଛି କଂଗ୍ରେସ।

ନବୀନଙ୍କ ନାଁରେ ଭୋଟ୍ ଥିଲା। ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ବିଜେଡି ବିଜୟର ବଡ଼ ଅସ୍ତ୍ର ଥିଲା। ହେଲେ ନବୀନ ଯେ ନିର୍ଦ୍ଦିଷ୍ଟ କୋଟରୀ ଗ୍ରୁପ ଦ୍ୱାରା ପରିଚାଳିତର ବାର୍ତ୍ତାକୁ ଜନମାନସରେ ପହଞ୍ଚାଇବାକୁ ସଫଳ ହେବାରୁ ଆଜି ବିଜେପି ପ୍ରଥମ ଥର ଓଡ଼ିଶାରେ ସରକାର କରିବାକୁ ଯାଉଛି। ବିଜୟର ଶ୍ରେୟ ପଛରେ ବହୁ କାରଣ ବାହାରେ। କିନ୍ତୁ ପରାଜୟର ଗ୍ଳାନିରେ ସନ୍ତୁଳିତ ବିଜେଡି ପରାଜୟର ବୋଝ କାହା କାନ୍ଧରେ ଥାପିବ। ତାହା ହିଁ ବଡ଼ ପ୍ରଶ୍ନ।

Leave a Reply

Your email address will not be published. Required fields are marked *